ହିମାଚଳରେ ୬୬% ମତଦାନ

ଶିମ୍ଲା (ଏଜେନ୍ସି): ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ଭୋଟଗ୍ରହଣ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ନିର୍ବାଚନ ଆୟୋଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬% (୬୫.୯୨%) ଭୋଟ୍ଗ୍ରହଣ ହୋଇଛି । ସବୁଠୁ ବଡ଼ କଥା ହିମାଚଳର କେତେକ ସମ୍ବେଦନଶୀଳ ଅଞ୍ଚଳ (ତୁଷାରପାତ)ରେ ମଧ୍ୟ ଉତ୍ସାହଜନକ ଭୋଟିଂ ହୋଇଛି । ତେବେ ଭୋଟ୍ ଗ୍ରହଣ ଶେଷ ହେବା ପରେ ନିର୍ବାଚନ କର୍ମଚାରୀମାନେ ଇଭିଏମ୍ ଓ ଭିଭିପାଟ୍ ମେସିନଗୁଡ଼ିକୁ ସିଲ୍ କରିଦେଇଛନ୍ତି । ଏଥିସହ ମୋଟ୍ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଯାଇଛି । ଆସନ୍ତା ମାସ ଡିସେମ୍ବର ୮ରେ ଭୋଟ୍ ଗଣତି ହେବା ସହ ଫଳାଫଳ ଘୋଷଣା କରାଯିବ ।
ନିର୍ବାଚନ ଆୟୋଗଙ୍କ ସୂଚନା ଆଧାରରେ ଜିଲ୍ଲାୱାରୀ ହାରାହାରି ଭୋଟ୍ ଅନୁସାରେ ସିରମୌର ଜିଲ୍ଲାରେ ସର୍ବାଧିକ ୭୨.୩୫% ଭୋଟିଂ ହୋଇଛି । ପଛକୁ ସୋଲନ୍ ଜିଲ୍ଲାରେ ୬୮.୪୮% ଏବଂ ଉନ୍ନାରେ ୬୭.୬୭% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ସିଲାଇ ଜିଲ୍ଳାରେ ସର୍ବାଧିକ ୭୭% ଏବଂ ସରକାଘାଟ୍ ଅଞ୍ଚଳରେ ସର୍ବନିମ୍ନ ୫୫.୪ଠ% ଭୋଟିଂ ହୋଇଛି । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସିରାଜ ବିଧାନସଭା ମଣ୍ଡଳୀରେ ମୋଟ୍ ୭୪% ଭୋଟିଂ ହୋଇଛି । ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନେ୍ଦାବସ୍ତ କରାଯାଇଥିଲା ।
ଭୋଟରଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ତାଙ୍କ ପରିବାର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ତାଙ୍କ ପରିବାର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ତାଙ୍କ ପରିବାର ସଦସ୍ୟମାନେ ଭୋଟ୍ ଦେବାକୁ ନିଜ ଅଞ୍ଚଳର ମତଦାନ କେନ୍ଦ୍ରକୁ ଯାଇଥିଲେ । ସେହିପରି କଂଗ୍ରେସର ଅନେକ ବଡ଼ ନେତା ସେମାନଙ୍କ ପରିବାର ସହ ଭୋଟ୍ କେନ୍ଦ୍ରକୁ ଆସି ଭୋଟ୍ ଦେବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଏଥର ହିମାଚଳ ବିଧାନସଭା ନିର୍ବାଚନରେ ମୋଟ୍ ୪୧୨ ପ୍ରାର୍ଥୀ (୩୮୮ ପୁରୁଷ, ୨୪ ମହିଳା) ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଶେଷ ସୁଦ୍ଧା ପ୍ରାୟ ୯୨ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ । ଫଳରେ ବର୍ତ୍ତମାନ ସମୟରେ ମୈଦାନରେ କେବଳ ୪୧୨ ପ୍ରାର୍ଥୀ ହିଁ ରହିଛନ୍ତି । ବିଜେପି, କଂଗ୍ରେସ ଏବଂ ଆପ୍ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଆଇଏମ୍ ୧୧ଟି ଆସନରେ, ସିପିଆଇ ୧ଟି ଆସନରେ, ବହୁଜନସମାଜ ପାର୍ଟି (ବିଏସ୍ପି) ୫୩ଟି ଆସନରେ ଏବଂ ରାଷ୍ଟ୍ରୀୟ ଦେବଭୂମୀ ପାର୍ଟି (ଆର୍ଡିପି) ୨୯ଟି ଆସନରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *