କୃଷକ ନା ପ୍ରଶାସନ
ପ୍ରଦୂଷିତ ବାୟୁମଣ୍ଡଳ ପାଇଁ କିଏ ଦାୟୀ?
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ଏବଂ ଏନ୍ସିଆର ଅଞ୍ଚଳରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜାରି ରହିଛି । ତେବେ ଦିଲ୍ଲୀରେ ଏପ୍ରକାର ସ୍ଥିତି ପାଇଁ ପଡୋଶୀ ରାଜ୍ୟରେ କୃଷକଙ୍କ ନଡା ପୋଡାଯିବା’କୁ ଦିଲ୍ଲୀ ସରକାର ଦର୍ଶାଇଆସୁଛନ୍ତି । ଅପରପକ୍ଷେ ପଡୋଶୀ ରାଜ୍ୟଗୁଡ଼ିକ କିନ୍ତୁ ନିଜ ଉପରୁ ଦୋଷ ଖସାଇଆସୁଛନ୍ତି । ଏସବୁ ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି), ନିଜ ଆଡୁ ଏହି ପ୍ରସଙ୍ଗକୁ ବିଚାରକୁ ନେଇଛନ୍ତି । ଫଳରେ ଦିଲ୍ଲୀ, ହରିଆଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି ୪ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବାକୁ ସୁଯୋଗ ଦେଇଛନ୍ତି । ଗତ ଗୁରୁବାର ଏହି ୪ ରାଜ୍ୟର ମୁଖ୍ୟ ସଚିବ ସେମାନଙ୍କ କଥା ରଖିଥିବା ବେଳେ ଆୟୋଗ ସେମାନଙ୍କ ଯୁକ୍ତିକୁ ବେଶ୍ ଭଲଭାବେ ଶୁଣିଛନ୍ତି । ଏଥିସହ ବାୟୁ ପ୍ରଦୂଷଣ ସମ୍ପର୍କୀତ ଯାଞ୍ଚ୍ କରାଇବା ତଥା ରିପୋର୍ଟ ପ୍ରସ୍ତୁତ କରିବାକୁ ଆୟୋଗ ଏହି ୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କୃଷକମାନେ ବାଧ୍ୟବାଧକତାରେ ସେମାନଙ୍କ ଜମିରେ ନଡା ପୋଡୁଥିବା ଏନ୍ଏଚ୍ଆର୍ସି କହିଛନ୍ତି ।
ଏନ୍ଏଚ୍ଆର୍ସି ଦର୍ଶାଇଛନ୍ତି ଯେ, କୃଷକଙ୍କ ନଡା କିମ୍ବା ଅନ୍ୟ ଶସ୍ୟଜାତ ବର୍ଜ୍ୟ ସାମଗ୍ରୀଗୁଡ଼ିକୁ ପୋଡିବା ପଛରେ ବାଧ୍ୟତାମୂଳକ ସ୍ଥିତିର ଅନୁମାନ କରାଯାଇପାରୁଛି । ଅର୍ଥାତ୍ ପ୍ରଦୂଷଣ ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ପ୍ରମାଣିତ ହେଉଛି । ବାୟୁ ପ୍ରଦୂଷଣ ତଥା ଖରାପ ଗୁଣବତ୍ତା ପାଇଁ ପ୍ରଶାସନ ହିଁ ଉତ୍ତରଦାୟୀ ରହିବେ । କୃଷକଙ୍କୁ ଶସ୍ୟ ଅମଳ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ତଥା ଅମଳ ମେସିନ୍ ଯୋଗାଇ ଦିଆଗଲେ ଏପ୍ରକାର ସ୍ଥିତି ଉତ୍ପନ୍ନ ହୋଇନଥାନ୍ତା । ଏନ୍ଏଚ୍ଆର୍ସି ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିଛନ୍ତି ଯେ, ବାୟୁ ପ୍ରଦୂଷଣ ପାଇଁ କୃଷକଙ୍କ ନଡା ଜାଳିବାକୁ କଦାପି ଦାୟୀ କରାଯାଇପାରିବନି । ଆସନ୍ତା ୧୮ରେ ଏହି ମାମଲା ଉପରେ ଏନ୍ଏଚ୍ଆର୍ସି ପୁନଃ ଶୁଣାଣି କରିବେ । ଏହି ସମୟରେ ଉପରୋକ୍ତ ରାଜ୍ୟ ସରକାରଙ୍କ ଶାସନ ସଚିବ ଉପସ୍ଥିତ ରହିବାକୁ ଏନ୍ଏଚ୍ଆରସି ନିଦେ୍ର୍ଦଶ ଦେଇଛନ୍ତି ।