ବିରାଟଙ୍କ ନାମରେ ସର୍ବାଧିକ ରନ୍

ଟି-୨୦ ବିଶ୍ୱକପ୍
ମେଲ୍ବର୍ଣ୍ଣ, ୧୩ା୧୧ (ଏଜେନ୍ସି): ଟି-୨୦ ବିଶ୍ୱକପ୍ ୨୦୨୨ ଶେଷ ହୋଇଛି । ଫାଇନାଲ୍ରେ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ମୁକୁଟ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବିରାଟ କୋହଲିଙ୍କ ଆଧିପତ୍ୟ ରହିଥିଲା । ସେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ବୋଲିଂରେ ଶ୍ରୀଲଙ୍କା ୱାନିନ୍ଦୁ ହସରଙ୍ଗା ଶୀର୍ଷରେ ରହିଥିଲେ । ତେବେ ଉଭୟ ଟିମ୍ ମଧ୍ୟରୁ କେହି ମୁକୁଟ ପର୍ଯ୍ୟାୟରେ ନ ଥିଲେ । ଶ୍ରୀଲଙ୍କା ତ ସେମିଫାଇନାଲ୍କୁ ଯାଇପାରି ନ ଥିଲା ।
ବିଶ୍ୱକପ୍ରେ ସର୍ବାଧିକ ସ୍କୋରର୍ ତାଲିକାରେ ବିରାଟ ଛଅ ମ୍ୟାଚ୍ ଖେଳି ୯୮.୬୬ ଆଭରେଜ୍ ଓ ୧୩୬.୪୦ ଷ୍ଟ୍ରାଇକ୍ ରେଟ୍ରେ ୨୯୬ ରନ୍ କରି ସର୍ବାଗ୍ରେ ରହିଛନ୍ତି । ସେ ଚାରି ଅର୍ଦ୍ଧଶତକ ଲଗାଇଥିଲେ । ସେ ଦ୍ୱିତୀୟ ସ୍ଥାନରେ ଥିବା ନେଦରଲାଣ୍ଡ୍ସର ମ୍ୟାକ୍ସ ଓ’ ଡୌଡ଼ଙ୍କ ଠାରୁ ୫୪ ରନ୍ ଆଗରେ ଅଛନ୍ତି । ମ୍ୟାକ୍ସ ଆଠ (କ୍ୱାଲିଫାୟର୍୍ ମ୍ୟାଚ୍କୁ ମିଶାଇ) ମ୍ୟାଚ୍ ଖେଳି ୨୪୨ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ଛଅ ମ୍ୟାଚ୍ରୁ ୨୩୯ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି ।
ଇଂଲଣ୍ଡର ଅଧିନାୟକ ଜୋସ୍ ବଟ୍ଲର୍ ଛଅ ମ୍ୟାଚ୍ ଖେଳି ୨୨୫ ରନ୍ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କାର କୁସଲ ମେଣ୍ଡିସ୍ ଆଠ (କ୍ୱାଲିଫାୟର୍୍ ମ୍ୟାଚ୍କୁ ମିଶାଇ) ମ୍ୟାଚ୍ରୁ ୨୨୩ ରନ୍ କରି ପଞ୍ଚମ ସ୍ଥାନରେ ଅଛନ୍ତି ।
ହସରଙ୍ଗାଙ୍କୁ ସର୍ବାଧିକ ୱିକେଟ୍
ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ମଧ୍ୟରେ ହସରଙ୍ଗା ପୂର୍ବ ଟି-୨୦ ବିଶ୍ୱକପ୍ ଭଳି ଏହି ବିଶ୍ୱକପ୍ରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ । ରହସ୍ୟମୟ ସ୍ପିନର୍ ଭାବେ ପରିଚିତ ହସରଙ୍ଗା ୨୦୨୧ ଟି-୨୦ ବିଶ୍ୱକପ୍ରେ ୧୬ ୱିକେଟ୍ ନେଇଥିବା ବେଳେ ୨୦୨୨ ସଂସ୍କରଣରେ ଆଠ (କ୍ୱାଲିଫାୟର୍ ମ୍ୟାଚ୍କୁ ମିଶାଇ) ମ୍ୟାଚ୍ ଖେଳି ୧୫ ୱିକେଟ୍ ପାଇଥିଲେ । ଇଂଲଣ୍ଡର ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ସାମ୍ କରନ୍ ଛଅ ମ୍ୟାଚ୍ରୁ ୧୩ ୱିକେଟ୍ ନେଇ ଦ୍ୱିତୀୟ ଓ ନେଦରଲାଣ୍ଡ୍୍ସର ବାସ୍ ଡି’ ଲିଡ୍ ଆଠ (କ୍ୱାଲିଫାୟର୍ ମ୍ୟାଚ୍କୁ ମିଶାଇ) ମ୍ୟାଚ୍ରୁ ୧୩ ୱିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । କରାନ୍ ଫାଇନାଲ୍ର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଛନ୍ତି ।
ଜିମ୍ବାୱେର ବ୍ଲେସିଙ୍ଗ୍ ମୁଜରବାନୀ ଆଠ (କ୍ୱାଲିଫାୟର୍ ମ୍ୟାଚ୍କୁ ମିଶାଇ) ମ୍ୟାଚ୍ରୁ ୧୨ ୱିକେଟ୍ ନେଇ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଏନରିକ୍ ନୋର୍ତଜେ ପାଞ୍ଚ ମ୍ୟାଚ୍ରୁ ୧୧ ୱିକେଟ୍ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି ।
ରୁସୋଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍
ଏହି ବିଶ୍ୱକପ୍ରେ ଦୁଇଟି ଶତକ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକାର ରିଲୀ ରୁସୋ ଓ ନୁ୍ୟଜିଲାଣ୍ଡର ଗ୍ଲେନ୍ ଫିଲିପ୍ସ ଶତକ ଲଗାଇଥିଲେ । ରୁସୋ ବାଂଲାଦେଶ ବିପକ୍ଷରେ ୫୬ ବଲ୍ରୁ ୧୦୯ ରନ୍ର ଇନିଂସ୍ ଖେଳିଥିଲେ, ଯାହାକି ଟୁର୍ଣ୍ଣାମେଣ୍ଟର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା । ତାଙ୍କ ଇନିଂସ୍ରେ ୭ ଚୌକା ଓ ୮ ଛକା ଥିଲା । ଫିଲିପ୍ସ ଶ୍ରୀଲଙ୍କା ବିପକ୍ଷରେ ୬୪ ବଲ୍ ଖେଳି ୧୦୪ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ୍ରେ ୧୦ ଚୌକା ଓ ୪ ଛକା ରହିଥିଲା । ଏହା ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ।
ତାଲିକାରେ ନୁ୍ୟଜିଲାଣ୍ଡର ଡେଭନ୍ କନୱେ ୫୮ ବଲ୍ରୁ ଅପରାଜିତ ୯୨ ରନ୍ କରି ତୃତୀୟ, ଇଂଲଣ୍ଡର ଆଲେକ୍ସ ହେଲ୍ସ ୪୭ ବଲ୍ରୁ ଅପରାଜିତ ୮୬ ରନ୍ କରି ଚତୁର୍ଥ ଏବଂ ସ୍କଟ୍ଲାଣ୍ଡର ମାଇକେଲ୍ ଜୋନ୍ସ ୫୫ ବଲ୍ରୁ ୮୬ ରନ୍ କରି ପଞ୍ଚମ ସ୍ଥାନରେ ରହିଛନ୍ତି ।
ରଜାଙ୍କ ସର୍ବାଧିକ ଛକା
ଜିମ୍ବାୱେର ସିକନ୍ଦର ରଜା ଟି-୨୦ ବିଶ୍ୱକପ୍ ୨୦୨୨ରେ ୮ ମ୍ୟାଚ୍ରୁ ସର୍ବାଧିକ ୧୧ ଛକା ମାରିଥିଲେ । ଇଂଲଣ୍ଡର ଆଲେକ୍ସ ହେଲ୍ସ (୬ ମ୍ୟାଚ୍) ଓ ଶ୍ରୀଲଙ୍କାର କୁସଲ ମେଣ୍ଡିସ୍ (୮ ମ୍ୟାଚ୍) ୧୦ ଲେଖାଏଁ ଛକା ମାରି ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ରିଲି ରୁସୋ (୫ ମ୍ୟାଚ୍), ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ୍ (୪ ମ୍ୟାଚ୍), ଭାରତର ସୂର୍ଯ୍ୟକୁମାର ଯାଦବ (୬ ମ୍ୟାଚ୍) ଓ ଆୟରଲାଣ୍ଡର ଆଣ୍ଡ୍ରୁ୍ୟ ବାଲବିର୍ନୀ (୭ ମ୍ୟାଚ୍) ୯ ଲେଖାଏଁ ଛକା ମାରି ମିଳିତ ତୃତୀୟ ସ୍ଥାନରେ ଅଛନ୍ତି ।
ଶନାକା ଧରିଛନ୍ତି ସର୍ବାଧିକ କ୍ୟାଚ୍
ଏହି ବିଶ୍ୱକପ୍ରେ ସର୍ବାଧିକ କ୍ୟାଚ୍ ଧରିଛନ୍ତି ଶ୍ର୍ରୀଲଙ୍କାର ଅଧିନାୟକ ଦାସୁନ ଶନାକା । ସେ ଆଠ ମ୍ୟାଚ୍ରେ ନଅ କ୍ୟାଚ୍ ଧରିଛନ୍ତି । ଆୟରଲାଣ୍ଡର ମାର୍କ ଅଡେୟର ସାତ ମ୍ୟାଚ୍ରୁ ସାତ କ୍ୟାଚ୍ ଧରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ଓ ଭାରତର ସୂର୍ଯ୍ୟକୁମାର ଯାଦବ ଛଅ ମ୍ୟାଚ୍ରୁ ଛଅ କ୍ୟାଚ୍ ଧରି ମିଳିତ ତୃତୀୟ ସ୍ଥାନରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *