ବଦଳୁଛି ପୁରୀ ମାନଚିତ୍ର, ଗରିବଙ୍କ ଭାଗ୍ୟ ଯଥାପୂର୍ବ

ପୁରୀ (ବୁ୍ୟରୋ): ପୁରୀ ହେବ ବିଶ୍ୱସ୍ତରୀୟ ଐତିହ୍ୟନଗରୀ । ସେଥିଲାଗି ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି । ଏନେଇ ମଧ୍ୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନିର୍ମାଣ ଜାରି ରହିଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଐତିହ୍ୟ କରିଡର୍ ନିର୍ମାଣ ଲାଗି ପ୍ରଥମେ ଶ୍ରୀମନ୍ଦିର ଚାରିପଟେ ରହିଥିବା ଶହ ଶହ ଉଠାଦୋକାନୀକୁ ଉଚ୍ଛେଦ କରାଯାଇଥିଲା । ଶହ ଶହ ଉଠାଦୋକାନୀମାନେ ଆଜିପର୍ଯ୍ୟନ୍ତ ସଠିକ୍ ଭାବେ ରୋଜଗାରକ୍ଷମ ହୋଇପାରି ନାହାନ୍ତି । ଏହି ଦୁଃଖ ଓ କଷ୍ଟକୁ ଲୋକେ ଭୁଲି ନ ଥିବାବେଳେ ପୁଣି ଗରିବଙ୍କ ପେଟରେ ଲାତ ମାରୁଛି ପ୍ରଶାସନ । ସେମାନଙ୍କ ବିକାଶ ଲାଗି କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନି । ବିକାଶ ଆଳରେ ବିନାଶର ଶିକାର ହେଉଛନ୍ତି ଶତାଧିକ ଗରିବ ପରିବାର । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଳାଭୂମି ଓ ବଡ଼ଦାଣ୍ଡ ଉଠାଦୋକାନୀଙ୍କ କ୍ଷେତ୍ରରେ । ସେମାନଙ୍କୁ କୌଣସି ସ୍ଥାନରେ ଥଇଥାନ ନ କରି ବାରମ୍ବାର ପୌରପାଳିକା ପକ୍ଷରୁ ବେଳାଭୂମି ଓ ବଡ଼ଦାଣ୍ଡରେ ବ୍ୟବସାୟ କରି ପେଟ ପୋଷୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ଏହାକୁ ବିରୋଧ କରି ଉଠାଦୋକାନୀମାନେ ବେଳାଭୁମି ରାସ୍ତାକୁ ଅବରୋଧ କରିବା ସହ ପ୍ରଶାସନ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଶେଷରେ ଗରିବଙ୍କ ପେଟରେ ଦାନା ଯୋଗାଉଥିବା ବ୍ୟବସାୟୀ ଅନୁଷ୍ଠାନରେ ଚଢୁଛି ଜେସିବି । ପ୍ରଶାସନର ଜିଦ୍ ଆଗରେ ହାର ମାନିଥିଲେ ଉଠାଦୋକାନୀ ।
ବେଳାଭୂମି ଉପରେ ନିର୍ଭର କରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ କିପରି ସେମାନଙ୍କ ପରିବାରକୁ ପ୍ରତିପୋଷଣ କରିବେ ତାହାକୁ ନେଇ ଏବେ ମୁଣ୍ଡରେ ଚଡ଼କ ପଡ଼ିଛି । ମହାମାରୀ କରୋନା ଯୋଗୁଁ ଦୀର୍ଘ ୨ବର୍ଷ ହେଲା ଉଠା ବ୍ୟବସାୟୀମାନେ ହାତବାନ୍ଧି ଘରେ ବସି ରହିଥିଲେ । ଏପରିକି ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଏବେ କଟକଣା କୋହଳ ହେବା ପରେ ପୁରୀକୁ ପର୍ଯ୍ୟଟନଙ୍କ ଆଗମନ ହେବା ଫଳରେ ଚଳଚଞ୍ଚଳ ହୋଇଉଠିଥିଲା ବେଳାଭୂମି । ହେଲେ ସେଠାରୁ ଭଲ ଦି ପଇସା ରୋଜଗାର କରି ସେମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଥିବାବେଳେ ଏବେ ପୌରପାଳିକା ତାଙ୍କ ପେଟକୁ ଲାତ ମାରିଛି । ଏନେଇ ବ୍ୟବସାୟୀମାନେ କୁହନ୍ତି, କରୋନା କଷ୍ଟ ଠାରୁ ପ୍ରଶାସନ ଦୁଇଗୁଣ କଷ୍ଟ ଦେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *