ଇଂଲଣ୍ଡକୁ ଦ୍ୱୈତ ବିଶ୍ୱ ମୁକୁଟ

ମେଲ୍ବର୍ଣ୍ଣ, ୧୩ା୧୧ (ଏଜେନ୍ସି): ଇଂଲଣ୍ଡ ଟିମ୍ ଏମ୍ସିଜି ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଫାଇନାଲ୍ରେ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ମୁକୁଟ ଜିତିଛି । ଏଥିସହିତ ଇଂଲଣ୍ଡ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଦ୍ୱୈତ ବିଶ୍ୱ ବିଜେତା ହେବାର ଗୌରବ ଅର୍ଜନ କରିଛି । ଏବେ ଇଂଲଣ୍ଡ ନାମରେ ଦିନିକିଆ ବିଶ୍ୱକପ୍ ମୁକୁଟ ମଧ୍ୟ ରହିଛି । ପ୍ରଥମ ଥର କୌଣସି ଟିମ୍ ପାଖରେ ଏକସଙ୍ଗେ ଦିନିକିଆ ଓ ଟି-୨୦ ବିଶ୍ୱ ମୁକୁଟ ଅଛି ।
୧୩୮ ରନ୍ର ସହଜ ଟାର୍ଗେଟ୍ ନେଇ ଖେଳିଥିବା ଇଂଲଣ୍ଡ ଟିମ୍ ୧୯ ଓଭର୍ରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଏହା ପୂର୍ବରୁ ଇଂଲଣ୍ଡ ୨୦୧୦ରେ ଚାମ୍ପିଅନ୍ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୫୨ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଇଂଲଣ୍ଡର ପେସର୍ ସାମ୍ କରନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ।
ସେମିଫାଇନାଲ୍ରେ ଅପରାଜିତ ଶତକୀୟ ଭାଗୀଦାରୀ କରିଥିବା ଅଧିନାୟକ ଜୋସ୍ ବଟ୍ଲର୍ ଓ ଆଲେକ୍ସ ହେଲ୍ସଙ୍କ ଯୋଡ଼ି ପ୍ର୍ରଥମ ଓଭର୍ରେ ମାତ୍ର ୭ ରନ୍ରେ ଭାଙ୍ଗିଥିଲା । ହେଲ୍ସ (୧)ଙ୍କୁ ଶାହୀନ ଶାହ ଆଫ୍ରିଦୀ ବୋଲ୍ଡ କରିଥିଲେ । ପରବର୍ତ୍ତୀ ବ୍ୟାଟର୍ ଫିଲ୍ ସଲ୍ଟ (୧୦)ଙ୍କୁ ହାରିସ୍ ରାଉଫ୍ ପାଭିଲିଅନ୍ ପଠାଇଥିଲେ । ବଟ୍ଲର୍ (୨୬)ଙ୍କ ୱିକେଟ୍ ମଧ୍ୟ ପାୱାରପ୍ଲେ ମଧ୍ୟରେ ପଡ଼ିଥିଲା । ଏହି ୱିକେଟ୍ ମଧ୍ୟ ରାଉଫ୍ଙ୍କ ଖାତାକୁ ଯାଇଥିଲା ।
୪୫ ରନ୍ ମଧ୍ୟରେ ୩ ୱିକେଟ୍ ହରାଇଥିଲା ଟିମ୍ । ଏହାପରେ ବେନ୍ ଷ୍ଟୋକ୍ସ ଟିମ୍ର ମଙ୍ଗ ଧରିଥିଲେ । ସେ ହାରୀ ବ୍ରୁକ୍ସଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ତୃତୀୟ ୱିକେଟ୍ ପାଇଁ ୩୯ ରନ୍ର ଭାଗୀଦାରୀ ହୋଇଥିଲା । ବ୍ରୁକ୍ସ ୨୦ ରନ୍ କରି ଶାଦାବ ଖାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଷ୍ଟୋକ୍ସ ଏହାପରେ ମୋଇନ୍ ଅଲୀଙ୍କ ସହ ମିଶି ୪୮ ରନ୍ ଯୋଗ କରି ଟିମ୍କୁ ଲକ୍ଷ୍ୟସ୍ଥଳ ନିକଟରେ ପହଞ୍ଚାଇଥିଲେ । ମୋଇନ୍ (୧୯) ମହମ୍ମଦ ୱାସିମ୍ଙ୍କ ଶିକାର ହୋଇଥିଲେ । ଇଂଲଣ୍ଡ ଟିମ୍ ୧୯ ଓଭର୍ରେ ୫ ୱିକେଟ୍ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା । ଷ୍ଟୋକ୍ସ ୪୯ ବଲ୍ରୁ ୫୨ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୧ ରନ୍ କରି ଅପରାଜିତ ଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା । ମହମ୍ମଦ ରିଜୱାନ ଓ ଅଧିନାୟକ ବାବର ଆଜମ୍ଙ୍କ ଓପନିଂ ଯୋଡ଼ି ୨୯ ରନ୍ର ଭାଗୀଦାରୀ କରିଥିଲା । ରିଜୱାନ କେବଳ ୧୫ ରନ୍ କରି ସାମ୍ କରନ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ମହମ୍ମଦ ହାରିସ୍ (୮) ମଧ୍ୟ ସଅଳ ପାଭିଲିଅନ୍ ଫେରିଥିଲେ । ତାଙ୍କ ୱିକେଟ୍ ଆଦିଲ୍ ରଶିଦ୍ଙ୍କ ଖାତାକୁ ଯାଇଥିଲା ।
୪୫ ରନ୍ ମଧ୍ୟରେ ଦୁଇ ୱିକେଟ୍ ପଡ଼ିଥିଲା । ଏହାପରେ ବାବର, ଶାନ୍ ମସୁଦଙ୍କ ସହ ମିଶି ୩୯ ରନ୍ ଯୋଗ କରିଥିଲେ । ବାବର ୩୨ ରନ୍ କରି ରଶିଦ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ନୂଆ ବ୍ୟାଟର୍ ଇଫତିଖାର ଅହମଦଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ ଷ୍ଟୋକ୍ସ । ୮୫ ରନ୍ରେ ଚତୁର୍ଥ ୱିକେଟ୍ ପଡ଼ିଥିଲା । ଏହାପରେ ଶାନ୍ ମସୁଦ ଓ ଶାଦାବ ମିଶି ପଞ୍ଚମ ୱିକେଟ୍ ପାଇଁ ୩୬ ରନ୍ ଯୋଗ କରିଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍ଗତି ଧୀମା ପଡ଼ିଯାଇଥିଲା ।
ମସୁଦ ସର୍ବାଧିକ ୩୮ ରନ୍ କରି କରାନ୍ଙ୍କ ଆଉ ଏକ ଶିକାର ହୋଇଥିବା ବେଳେ ଶାଦାବ (୨୦)ଙ୍କୁ ଜୋର୍ଡାନ୍ ଆଉଟ୍ କରିଥିଲେ । ଏହାପରେ ମହମ୍ମଦ ନୱାଜ୍ (୫) ଓ ମହମ୍ମଦ ୱାସିମ୍ (୪) ଯଥାକ୍ରମେ କରନ୍ ଓ ଜୋର୍ଡାନ୍ଙ୍କ ଶିକାର ହୋଇଥିଲେ । ଶାହୀନ ୫ ଓ ହାରିସ୍ ରାଉଫ୍ ୧ ରନ୍ କରି ଅପରାଜିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନୀ ଟିମ୍ ନୁ୍ୟଜିଲାଣ୍ଡକୁ ହରାଇ ଏବଂ ଇଂଲଣ୍ଡ ଟିମ୍ ଭାରତକୁ ହରାଇ ଫାଇନାଲ୍ରେ ସ୍ଥାନ ପାଇଥିଲା । ଉଭୟ ନିଜ ନିଜ ଗ୍ରୁପ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୦୯ରେ ପାକିସ୍ତାନ ଓ ୨୦୧୦ରେ ଇଂଲଣ୍ଡ ମୁକୁଟ ଜିତିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *