ଧମକ ଦେଲେ ୫ ନେତା ଟିକଟ ନ ଦେଲେ ସ୍ୱାଧୀନ ଲଢ଼ିବୁ
ହିମାଚଳ ଭଳି ଏଠି ବି ବିଜେପିକୁ ଘାରିଛି ବିଦ୍ରୋହୀଙ୍କ ଭୟ
ଅହମଦାବାଦ(ଏଜେନ୍ସି): ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ସେତିକି ଆଶା, ଆକାଂକ୍ଷା, ଉକ୍ରଣ୍ଠା ସହ ଭୟ ମଧ୍ୟ ସଞ୍ଚରିତ ହେବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଜେପି ପାଇଁ ଏକ ବଡ଼ ସମସ୍ୟା ଉତ୍ପନ୍ନ ହୋଇଛି । ହିମାଚଳପ୍ରଦେଶରେ ବିଜେପିକୁ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା, ଏବେ ଗୁଜରାଟରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରୁଛି ଦଳ ।
ପ୍ରାପ୍ତ ସୂଚନାନୁସାରେ ବିଜେପି ଏଥର ବିଧାନସଭା ନିର୍ବାଚନରେ କିଛି ପୁରୁଣା ନେତାଙ୍କୁ ଟିକଟ ନଦେବାକୁ ମନସ୍ଥ କରିବା ସହ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି । ତେବେ ଏହାକୁ ନେଇ ଦଳର ପୁରୁଣା ନେତାମାନେ ଅତ୍ୟନ୍ତ କ୍ଷୁବ୍ଧ ତଥା ଅସନ୍ତୁଷ୍ଟ ହେବା ସହ ଏବେ ଦଳ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେମାନେ ଦଳୀୟ ହାଇକମାଣ୍ଡଙ୍କୁ ସିଧାସିଧା ଚେତାବନୀ ଦେବାକୁ ମଧ୍ୟ ପଛାଉନାହାନ୍ତି । ଏସବୁ ମଧ୍ୟରେ ଦଳର ଜଣେ ବର୍ତ୍ତମାନର ବିଧାୟକଙ୍କ ସମେତ ମୋଟ୍ ୫ ପୁରୁଖା ନେତା (୪ ପୂର୍ବତନ ବିଧାୟକ) ଧମକ ଦେଇ କହିଛନ୍ତି, ଯଦି ବିଜେପି ପକ୍ଷରୁ ସେମାନଙ୍କୁ ଟିକଟ ନମିଳେ ତେବେ ସେମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ବାଧ୍ୟହେବେ । ପୂର୍ବତନ ବିଜେପି ବିଧାୟକ ହର୍ଷଦ ଭାସାଭା ନନେ୍ଦାଦ ବିଜେପିରୁ ଇସ୍ତଫା ଦେବା ସହ ଅନୁସୂଚିତ ଜନଜାତି ସଂରକ୍ଷିତ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ ମଧ୍ୟ କରିସାରିଛନ୍ତି । ପ୍ରକାଶ, ହର୍ଷଦ ଭାସାଭା ବିଜେପିର ଗୁଜରାଟ ୟୁନିଟ୍ର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି । ସେ ୨ଠଠ୨ରୁ ୨ଠଠ୭ ପର୍ଯ୍ୟନ୍ତ ଏବଂ ୨ଠଠ୭ରୁ ୨ଠ୧୨ ପର୍ଯ୍ୟନ୍ତ ରାଜପିପ୍ଲା ଆସନକୁ ପ୍ରତିନିଧିତ୍ୱ କରିଥିଲେ । ବିଜେପି ଏଥର ତାଙ୍କୁ ଏହି ଆସନରୁ ଟିକଟ ଦେବ ବୋଲି ସେ ଆଶାବାନ୍ଧି ବସିଥିବା ବେଳେ ଦଳ କିନ୍ତୁୂ ଦର୍ଶନ ଦେଶମୁଖଙ୍କୁ ଟିକଟ ଦେଇଛି । ଏହି ଘୋଷଣାକୁ ନେଇ ଅସନ୍ତୁଷ୍ଟ ହର୍ଷଦ ଭାସାଭା ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ହର୍ଷଦଙ୍କ ବ୍ୟତୀତ ବଡୋଦରାର ୬ ଥର ବିଧାୟକ ରହିଥିବା ମଧୁ ଶ୍ରୀବାସ୍ତବ ଟିକଟ ନ ମିଳିବା କାରଣରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଧମକ ଦେଇଛନ୍ତି । ଏପରିକି ସେ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ପାଦରା ଆସନର ପୂର୍ବତନ ବିଧାୟକ ଦୀନେଶ ପଟେଲ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛନ୍ତି । କରଜନରେ ସତୀଶ ପଟେଲ ମଧ୍ୟ ଟିକଟ ନ ମିଳିବାରୁ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜୁନାଗଡ଼ର କିଶୋଦ ଆସନରୁ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ପୂର୍ବତନ ବିଜେପି ବିଧାୟକ ଅରବିନ୍ଦ ଲଡ଼ାନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରକାଶ, ରାଜ୍ୟର ମୋଟ୍ ୧୮୨ ବିଧାନସଭା ଆସନ ମଧ୍ୟରୁ ବିଜେପି ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।