ମହାବୀରଙ୍କୁ ନାଗାର୍ଜୁନ ବେଶରେ ଦର୍ଶନ କରି ଭକ୍ତ ବିଭୋର
ଶ୍ରୀକ୍ଷେତ୍ର ପରିକ୍ରମା କଲେ ସାଧୁସନ୍ଥ, ଶ୍ରଦ୍ଧାଳୁ
ପୁରୀ (ବୁ୍ୟରୋ): କାର୍ତ୍ତିକ ପୂର୍ଣ୍ଣିମା ଅତିକ୍ରମର କରିବାର ପାଞ୍ଚଦିନ ଦିବସରେ ଶ୍ରକ୍ଷେତ୍ର ପରିକ୍ରମାର ପରମ୍ପରା ରହିଛି । ଏହି କ୍ରମରେ ରବିବାର ଶ୍ରୀକ୍ଷେତ୍ରରେ ସାଧୁସନ୍ଥ ଓ ଭକ୍ତମାନେ ତୀର୍ଥ ପୁଷ୍କରିଣୀ ଠାରୁ ଆରମ୍ଭ କରି ଦରିଆ ମହାବୀର, ସିଦ୍ଧ ମହାବୀର, ଶ୍ରୀଲୋକନାଥ ପୀଠ, ଆଲାମଚଣ୍ଡୀ, ସ୍ୱର୍ଗଦ୍ୱାର ସମେତ ସହରର ବିଭିନ୍ନ ସ୍ଥାନରେ ରହିଥିବା ଧର୍ମନୁଷ୍ଠାନକୁ ପରିକ୍ରମା କରିଛନ୍ତି । ଏହି ସମୟରେ ଶ୍ରୀକ୍ଷେତ୍ର ପାଲଟିଥିଲା ଭକ୍ତମୟ ପରିବେଶ ।
ଅନ୍ୟପକ୍ଷରେ ବଡ଼ଦାଣ୍ଡ ସଂକୀର୍ତ୍ତନ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା । ଏହି ପରିକ୍ରମାରେ ଭୁବନେଶ୍ୱରରୁ ଆସିଥିବା ଇସ୍କନ ଭକ୍ତ, ବୃନ୍ଦାବନର ଗୌଡ଼ୀୟ ଭକ୍ତ ଓ ନବଦ୍ୱୀପରୁ ଆସିଥିବା ଭକ୍ତମାନେ ସାମିଲ ହୋଇଥିଲେ । ଆଜିର ଦିନରେ ପୁରୀର ସିଦ୍ଧମହାବୀର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥାନ୍ତି । ବର୍ଷକରେ ଥରେ ମହାବୀର ଏହି ବେଶରେ ଦର୍ଶନ କରିଥାନ୍ତି । ତେଣୁ ଭକ୍ତମାନେ ମହାବୀରଙ୍କୁ ଏହି ଦୁର୍ଲ୍ଲଭ ବେଶରେ ଦର୍ଶନ କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ । ସେଥିପାଇଁ ଆଜି ସକାଳୁ ସକାଳୁ ସିଦ୍ଧମହାବୀରଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏତେସଂଖ୍ୟକ ଭକ୍ତଙ୍କୁ ଲକ୍ଷ୍ୟ କରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଧାଡ଼ିରେ ଯାଇ ମହାବୀରଙ୍କୁ ଦର୍ଶନ କରି ଅନ୍ୟ ଦୁଆର ଦେଇ ବାହାରକୁ ଆସିଥାନ୍ତି । ଭକ୍ତମାନେ ଭୋର ସମୟରୁ ଆରମ୍ଭ କରି ବିଳମ୍ବିତ ରାତ୍ରପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମହାବୀରଙ୍କୁ ଦର୍ଶନ କରିଥିଲେ । ଆଜିର ଦିନରେ ମହାବୀରଙ୍କ ନିକଟରେ ରସଗୋଲା ଭୋଗ କଲେ ବହୁ ପୁଣ୍ୟ ମିଳେ ବୋଲି ପୁରାଣରେ କଥିତ ରହିଛି । ସେଥିପାଇଁ ଭକ୍ତମାନେ ଛୋଟ ଛୋଟ କୁଡୁଆରେ ରସଗୋଲା ନେଇ ମହାବୀରଙ୍କ ନିକଟରେ ଭୋଗ କଲା ପରେ ମନ୍ଦିର ନିକଟରେ ଥିବା କୁନି କୁନି ପିଲାମାନଙ୍କୁ ମିଠା ବଣ୍ଟନ କରିଛନ୍ତି । ସେହିପରି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଭକ୍ତଙ୍କ ପାଇଁ ମାଗଣାରେ ମହାବୀରଙ୍କ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା । ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଶେଷ ହେବାର ପାଞ୍ଚଦିନ ପରେ ସିଦ୍ଧମହାବୀରଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷକରେ ଥରେ ଏହି ବେଶ ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ମହାବୀରଙ୍କ ନାଗାର୍ଜୁନ ବେଶକୁ ଦର୍ଶନ କରି ବିଭୋର ହୋଇ ପଡ଼ିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ ରଖି ତାଳବଣିଆ ଥାନାଧିକାରୀ ସୁଜାତା ବେହେରାଙ୍କ ନେତୃତ୍ୱରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା ।