ରାଷ୍ଟ୍ରପତିଙ୍କ ଉପରେ ଅଭଦ୍ର ଟିପ୍ପଣୀ

କ୍ଷମା ମାଗିଲେ ମମତାଙ୍କ ମନ୍ତ୍ରୀ ଅଖିଳ ଗିରି
ଦେଶବ୍ୟାପୀ ବିରୋଧ, ଏତଲା ରୁଜୁ
ଗିରଫ ଦାବି କଲା ବିଜେପି
କୋଲକାତା, ୧୨ା୧୧: ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ପରେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ ସହ ଗିରଫ କରିବା ପାଇଁ ଦାବି କରିଛି ବିଜେପି । ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି ।
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅଜୁର୍ନ ମୁଣ୍ଡା ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଅଖିଳ ଗିରି ରାଷ୍ଟ୍ରପତିଙ୍କ ଉପରେ ଯେଭଳି ଅଭଦ୍ର ମନ୍ତବ୍ୟ ଦେଇଛନ୍ତି, ତାହା ନନ୍ଦିନୀୟ ଓ ଦୁର୍ଭାଗ୍ୟଜନକ । ଆଶ୍ଚର୍ଯ୍ୟର କଥା ଯେ ପଶ୍ଚିମବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ ଖୋଲାଖୋଲି ଭାବେ ଦେଶର ମହିଳା ଜନଜାତି ରାଷ୍ଟ୍ରପତିଙ୍କ ଉପରେ ଏଭଳି ଅସଭ୍ୟ ଟିପ୍ପଣୀ କରୁଛନ୍ତି । ଚାରିଥର ବିଧାୟକ ହୋଇଥିବା କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଅଖିଳ ଗିରି ନନ୍ଦିଗ୍ରାମଠାରେ ଏକ ସହିଦ ଦିବସ ସମାରୋହରେ ଜନସମାବେଶରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କଟାକ୍ଷ କରିବାକୁ ଯାଇ ରାଷ୍ଟ୍ରପତିଙ୍କ ସମ୍ପର୍କରେ ରୁଚିହୀନ ମନ୍ତବ୍ୟ ଦେଇଥିବାର ଭିଡିଓ ଭାଇରାଲ୍ ହୋଇଛି । ସେଥିରେ ସେ କହୁଛନ୍ତି, “ଶୁଭେନ୍ଦୁ ଅଧିକାରୀ କହିଲେ ଯେ ମୁଁ ଗୁଡ୍ ଲୁକିଂ ନୁହେଁ । ସେ ନିଜେ କେତେ ସୁନ୍ଦର? ମୁଁ ତାହାର ସୌନ୍ଦର୍ଯ୍ୟ ଜଜ୍ କରେ ନାହିଁ । ଆମ ରାଷ୍ଟ୍ରପତି ଦେଖିବାକୁ କିଭଳି?”
ଚାରିଆଡୁ ନିନ୍ଦା ବର୍ଷଣ ହେବା ଓ ବିବାଦ ବଢିବା ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ତ୍ସନା କରିବାରୁ ଅଖିଳ ସଫେଇ ଦେବା ସହ କ୍ଷମା ମାଗି କହିଛନ୍ତି, “ମୁଁ କାହାର ନାଁ ନେଇନାହିଁ । ମୁଁ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟର ଜବାବରେ ଏଭଳି ତୁଳନା କରିଥିଲି । ମୁଁ ଜଣେ ମନ୍ତ୍ରୀ । ପଦ ଓ ଗୋପନୀୟତାର ଶପଥ ନେଇଛି । ମୁଁ ଦେଖିବାକୁ କୁତ୍ସିତ ବୋଲି ଶୁଭେନ୍ଦୁ କହିବା ସମ୍ବିଧାନର ଅପମାନ । ବୟସାଧିକ୍ୟ ଯୋଗୁଁ କ୍ରୋଧରେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଏଭଳି କହିଦେଲି । ପୁଣି ଥରେ କହୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ଅଛି । ”
ଉଲ୍ଲେଖଯୋଗ୍ୟ ଯେ ଅଖିଳ ଗିରିଙ୍କ ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦ୍ରୌପଦୀ ମୁର୍ମୁଙ୍କୁ “ରାଷ୍ଟ୍ରପତ୍ନୀ” କହି ଅନୁରୂପ ବିବାଦ ସୃଷ୍ଟି କରିଥିଲେ । ପଶ୍ଚିମବଙ୍ଗ ବିଜେପି ପକ୍ଷରୁ କୁହାଯାଇଛି, ତୃଣମୂଳ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ସମର୍ଥନ ଦେଇନଥିଲା । ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ଆଦିବାସୀ ବିରୋଧୀ ବୋଲି ଅଖିଳଙ୍କ ଟିପ୍ପଣୀରୁ ସ୍ପଷ୍ଟ ହୋଇଛି । ଅଖିଳ ଗିରି ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବାବେଳେ ରାଜ୍ୟ ମହିଳା କଲ୍ୟାଣ ମନ୍ତ୍ରୀ ଶଶି ପାଞ୍ଜା ବି ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *