ବିଶ୍ୱବ୍ୟାପୀ ରାସାୟନିକ ସାର ସଂକଟ
ରୁଷ୍ ଉପରେ ପ୍ରତିବନ୍ଧକର ଆଉ ଏକ ଭୟାବହ ପରିଣାମ
ୱାଶିଂଟନ୍(ଏଜେନ୍ସି): ୟୁକ୍ରେନ୍ ସହ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ଉପରେ ବିଶ୍ୱ ସମୁଦାୟ ପକ୍ଷରୁ ଲାଗୁ କରାଯାଇଥିବା ପ୍ରତିବନ୍ଧକର ଆଉ ଏକ ଭୟାବହ ପରିଣାମ ଏବେ ସାମ୍ନାକୁ ଆସିଛି । ବିଶ୍ୱବ୍ୟାପୀ ଏବେ ରାସାୟନିକ ସାରର ଘୋର ସଂକଟ ଦେଖାଦେଇଛି । ଯାହାକି ଏବେ ସମଗ୍ର ଏସିଆ ଏବଂ ଆଫ୍ରିକୀୟ ରାଷ୍ଟ୍ରଙ୍କ ପାଇଁ ଏକ ମହାବିପଦ ରୂପେ ଉଭା ହୋଇଛି । ତେବେ କେବଳ ଏସିଆ କିମ୍ବା ଆଫ୍ରିକା ନୁହେଁ, ସମଗ୍ର ୟୁରୋପରେ ମଧ୍ୟ ଏହାର କରାଳ ପ୍ରଭାବ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।
ବିଶେଷଜ୍ଞଙ୍କ ଅନୁସାରେ ସାମ୍ପ୍ରତିକ ପରିସ୍ଥିତିରେ ଏସିଆ ଏବଂ ଆଫ୍ରିକାରେ କମ ଖାଦ୍ୟ ଉତ୍ପାଦନର ଭୟ ସଞ୍ଚରିତ ହୋଇଛି । ଏହାର ପ୍ରମୁଖ କାରଣ ରୂପେ ରାସାୟନିକ ସାରର ଅଭାବ ଏବଂ ଉପଲବ୍ଧ ହେଉଥିବା ସାରର ଅହେତୁକ ମୂଲ୍ୟ ବୃଦ୍ଧି’କୁ ଦର୍ଶାଯାଉଛି । ପରିଣାମସ୍ୱରୂପ ଗୋଟିଏ ପଟେ କୃଷି ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକରେ ରାସାୟନିକ ସାରର ଅଭାବ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ କୃଷିଜାତ ଶସ୍ୟ ଉତ୍ପାଦନ ପରିମାଣ ଅନେକାଂଶରେ ହ୍ରାସ ପାଇଛି । ଅର୍ଥାତ୍ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ଏବଂ ପରେ ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ଭଳି ସମସ୍ୟା ବର୍ତ୍ତମାନ ସମୟରେ କମ୍ ଫସଲ ଉତ୍ପାଦନ କାରଣରୁ ଅଧିକ ସାଂଘାତିକ ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଜଳବାୟୁ ବିଶେଷଜ୍ଞ ତଥା ପରିବେଶବିତ୍ଙ୍କ କହିବାନୁସାରେ ରୁଷ୍, ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆଗ ପଛ ବିଚାର ନକରି ରୁଷ୍ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ । ଏହାର ପରିଣାମସ୍ୱରୂପ ରାସାୟନିକ ସାରର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ ଅଭାବ ସୃଷ୍ଟି ହୋଇଛି ।
ପ୍ରକାଶ, ରୁଷ୍ ଏବଂ ବେଲାରୁଷ୍ ପୋଟାସିୟମ କ୍ଲୋରାଇଡର ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ଭାବେ ବିବେଚିତ ହୋଇଥାନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ରସାୟନିକ ସାରରେ ପୋଟାସିୟମ କ୍ଲୋରାଇଡ୍କୁ ମୁଖ୍ୟ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ । ଏତଦ୍ବ୍ୟତୀତ ୟୁରୋପ୍ରେ ଅଧିକାଂଶ ସାର କାରଖାନା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଗ୍ୟାସ ଉପରେ ନିର୍ଭରଶୀଳ ରହୁଥିବାରୁ ଏମାନେ ରୁଷ୍ରୁ ମୁଖ୍ୟତଃ ପ୍ରାକୃତିକ ଗ୍ୟାସ ଆମଦାନୀ କରିଥାନ୍ତି । ଏବେ ଯେତେବେଳେ ୟୁରୋପୀୟ ଦେଶଗୁଡ଼ିକ ରୁଷ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଅର୍ଥାତ୍ ସବୁପ୍ରକାର ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଛନ୍ତି ସେତେବେଳେ ୟୁରୋପରେ ସାର ପ୍ରସ୍ତୁତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସିଧାସଳଖ କହିଲେ ପ୍ରାକୃତିକ ଗ୍ୟାସର ଅଭାବ, ମୁଦ୍ରାସ୍ଫୀତି, ସାର ଉତ୍ପାଦନ ଏବଂ ଏହାର ମୂଲ୍ୟ ଉପରେ ପ୍ରଭାବ ପକାଇଛି ।
ସୂଚନାଯୋଗ୍ୟ, ରସାୟନ ସାର ଉତ୍ପାଦନରେ ନାଇଟ୍ରୋଜେନ, ଫସଫୋରିକ ଏସିଡ୍ ଏବଂ ପୋଟାସିୟମ କ୍ଲୋରାଇଡ୍ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ । ତେବେ ସମଗ୍ର ବିଶ୍ୱ ଏସବୁ ଉପାଦାନ ପାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ରୁଷ୍ ଏବଂ ବେଲାରୁଷ୍ ଉପରେ ନିର୍ଭରଶୀଳ । ଯୁଦ୍ଧ କାରଣରୁ ରୁଷ୍ ଏବଂ ବେଲାରୁଷ୍ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା କାରଣରୁ ରସାୟନ ସାରରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟ ଚଳିତ ବର୍ଷ ୬ଠ ରୁ ୭ଠ% ଯାଏ ବୃଦ୍ଧି ପାଇଛି ।