ଖଗେଶ୍ୱରକୁ ମାରାଥନ୍ ଜେରା
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ୧୦ ଦିନିଆ ରିମାଣ୍ଡରେ ନେଇଛି । ଦ୍ୱିତୀୟ ଦିନରେ ଖଗେଶ୍ୱରକୁ ମାରଥନ ଜେରା କରାଯାଇଥିବାବେଳେ ଖଗେଶ୍ୱର କାହା କାହାର ନାଁ କହିବ, କାହାର ସମ୍ପୃକ୍ତି କଥା କହିବ, ମନ୍ତ୍ରୀ ବିଧାୟକଙ୍କ ନାଁ କହିବ କି, କେବେଠୁ ନାଗ ଚନ୍ଦ ସାମ୍ରାଜ୍ୟ ସହ ସମ୍ପୃକ୍ତ ଥିଲା ସେନେଇ ପ୍ରଶ୍ନ ପଚରାଯାଇଛି । ହେଲେ ଜେରା ସମୟରେ ଖଗେଶ୍ୱର ହଡ଼ବଡ଼େଇ ଯାଉଥିବାର ସୂଚନା ମିଳିଛି । ଖଗେଶ୍ୱର କାହିଁକି ୫୦ ଲକ୍ଷର ଆର୍ଥିକ କାରବାର କରିଥିଲା, ଯଦି ଆକାଉଣ୍ଟରେ ୫୦ ଲକ୍ଷ ଥିଲା, ତେବେ ନଗଦ କେତେ କାରବାର କରିଛି ସେନେଇ ଜାଣିବାକୁ ଚାହିଁଛି ଇଡି ।
ଆକାଉଣ୍ଟ ଖୋଳତାଡ଼ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ·ନ୍ଦର ଆକାଉଣ୍ଟରେ ମୋଟ ୨ କୋଟି ନଗଦ ଟଙ୍କା ଡିପୋଜିଟ କରାଯାଇଛି । ମୋଟ ୫ ଆକାଉଣ୍ଟରେ ବିଭିନ୍ନ ସମୟରେ ନଗଦ ଆକାରରେ ଏହି ଟଙ୍କା ଡିପୋଜିଟ କରାଯାଇଛି । ଓଡ଼ିଶା ଭିତରୁ ହିଁ ଏହି ଟଙ୍କା କାରବାର କରାଯାଇଛି । ଏତେ ଟଙ୍କା କିଏ କାହିଁକି, କଣପାଇଁ, କେଉଁ ଉଦେ୍ଦଶ୍ୟରେ ଡିପୋଜିଟ କରିଛି ସେନେଇ ବ୍ୟାଙ୍କକୁ ଯାଇ ଇଡି ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ଼ କରିବ । ତେବେ ଜଗବନ୍ଧୁଙ୍କ ଅପେକ୍ଷା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ଡିପୋଜିଟ କରାଯାଇଛି । ଏବେ ଶ୍ରଦ୍ଧାଞ୍ଜଳି ଫେରାର ଥିବାରୁ ତାର ବୟାନ ରେକର୍ଡ କରିପାରିନି ଇଡି । ତେବେ ଖୁବ ଶୀଘ୍ର ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେଲରେ ଇଡି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।
ସେକ୍କ ରାକେଟ ଲିଙ୍କ୍ ନେଇ ମଧ୍ୟ ଜେରା ହୋଇଛି । ଦେହ ବ୍ୟବସାୟ ଦଲାଲ ସୁନିଲ ମେହେର ସହ କି ସମ୍ପର୍କ? ଏହି ରାକଟେରେ ଆଉ କିଏ ସମ୍ପୃକ୍ତ? ମାଷ୍ଟର ମାଇଣ୍ଡ କିଏ? ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ଇଡି । ସବୁଠୁ ବଡ଼ କଥା ହେଲା, ଖଗେଶ୍ୱର ଗିରଫ ପରେ ବଡ଼ବଡ଼ିଆଙ୍କ ଭିତରେ ଛନକା ପଶିଛି । ଖୁବଶୀଘ୍ର ସେମାନଙ୍କ ପାଖରେ ଇଡି ପହଞ୍ଚିବ ବୋଲି ସୂଚନା ମିଳିଛି । ଜେରା ବେଳେ ଖଗେଶ୍ୱର ସହଯୋଗ କରୁନାହିଁ ।