ଏରିଆ ୱାର୍ଣ୍ଣିଂ ଜାରି
ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ୨ ଚୀନା ଜାହାଜର ଛାନ୍ଭିନ୍
ବିଜିଂ/ନୂଆଦିଲ୍ଲୀ,୧୨ା୧୧: ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନାର ବଡ କେନ୍ଦ୍ର ହେବାକୁ ଯାଉଛି ଭାରତ ମହାସାଗର । କିଛି ଦିନ ପୂର୍ବେ ଭାରତର ବହୁ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଚୀନ୍ ତା’ର ଗୁଇନ୍ଦା ଜାହାଜ (ମହାକାଶ ଓ କ୍ଷେପଣାସ୍ତ୍ର ଟ୍ରାକିଂ ଜାହାଜ) ୟୁଆନ୍ ୱାଙ୍ଗ୍-୬କୁ ଭାରତ ମହାସାଗରକୁ ପଠାଇଥିଲା । ଏହି କାରଣରୁ ଭାରତ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ଏବେ ଚୀନ୍ର ଆଉ ଏକ ଗୁଇନ୍ଦା ଜାହାଜ ଭାରତ ମହାସାଗରରେ ପହଞ୍ଚôଛି । ଏହାର ନାମ ୟୁଆନ୍ ୱାଙ୍ଗ-୫ । ଏହା ଏବେ ବାଲୀ ଓ ଲୋମ୍ବାକ ଦ୍ୱୀପ ମଧ୍ୟବର୍ତ୍ତୀ ଲୋମ୍ବାକ ପ୍ରଣାଳୀ ଦେଇ ଭାରତ ମହାସାଗରରେ ପ୍ରବେଶ କରିବା ସହ ଛାନଭିନ୍ ଜାରି ରଖିଛି । ଏହି ୟୁଆନ୍ ୱାଙ୍ଗ୍-୫କୁ ନେଇ ଅଗଷ୍ଟରେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ସ୍ତରରେ ବିବାଦ ହୋଇଥିଲା । ସେ ସମୟରେ ୟୁଆନ୍ ୱାଙ୍ଗ୍-୫ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଲଙ୍ଗର ପକାଇଥିଲା । ଏହି ଗୁଇନ୍ଦା ଜାହାଜର ଉପସ୍ଥିତି ଯୋଗୁ ଭାରତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ଏବେ କିନ୍ତୁ ମିସାଇଲ୍ ପରୀକ୍ଷଣ କରିବାକୁ ଭାରତ ବଦ୍ଧପରିକର ।
ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଡିଟ୍ରେସ୍ଫା ପକ୍ଷରୁ କୁହାଯାଇଛି ଯେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଭାରତ ଆଉ ଏକ ବିଜ୍ଞପ୍ତି ଜାରି କରିଛି । ତଦନୁଯାୟୀ ଭାରତ ‘ଏରିଆ ୱାର୍ଣ୍ଣିଂ’ ଜାରି କରି ଶ୍ରୀଲଙ୍କା ପର୍ଯ୍ୟନ୍ତ ବଙ୍ଗୋପସାଗରର ଅଧିକାଂଶ ଇଲାକାକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିଛି । ଭାରତର ବିଜ୍ଞପ୍ତିରୁ ସୂଚନା ମିଳୁଛି ଯେ ପରୀକ୍ଷଣ ପାଇଁ ପ୍ରସ୍ତୁତ କ୍ଷେପଣାସ୍ତ୍ରର ମାରକ କ୍ଷମତା ପ୍ରାୟ ୨ ହଜାର କିମି । ନଭେମ୍ବର ୨୩-୨୪ରେ ଓଡ଼ିଶା ତଟବର୍ତ୍ତୀ ଅବଦୁଲ୍ କଲାମ ଦ୍ୱୀପରୁ ଏହାର ପରୀକ୍ଷଣ କରାଯିବ ।
ଚୀନ୍ ପଠାଇଥିବା ପ୍ରଥମ ଗୁଇନ୍ଦା ଜାହାଜ ୟୁଆନ୍ ୱାଙ୍ଗ୍-୬ ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଅଛି । ଦ୍ୱିତୀୟ ଜାହାଜ ୟୁଆନ୍ ୱାଙ୍ଗ୍-୫ ଏଇମାତ୍ର ଲୋମ୍ବାକ୍ ପ୍ରଣାଳୀ ଦେଇ ଭାରତ ମହାସାଗରକୁ ପ୍ରବେଶ କରୁଛି । ଭାରତର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ନଭେମ୍ବର ୧ଠ ଓ ୧୧ରେ ହେବାର ଥିଲା । ଚୀନା ଗୁଇନ୍ଦା ଜାହାଜ ଆସିଯିବାରୁ ତାହାକୁ ସ୍ଥଗିତ ରଖାଯାଇଥିଲା ।
ରିପୋର୍ଟ ଅନୁଯାୟୀ ଚୀନ୍ ମହାକାଶକୁ ଗୋଟିଏ ମିଶନ ପଠାଇବାକୁ ଯାଉଛି, ଯାହାର ଉତ୍କ୍ଷେପଣ ନଭେମ୍ବର ୧୫ରୁ ୨ଠ ଭିତରେ ହେବ । ସେହି ମହାକାଶ ଯାନର ଗତିବିଧି ଅନୁଧ୍ୟାନ ପାଇଁ ଚୀନ୍ ଦୁଇଟି ଗୁଇନ୍ଦା ଜାହାଜ ପଠାଇଛି । ଏହା ଜରିଆରେ ଡ୍ରାଗନ୍ ଏକସଙ୍ଗେ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି । ପ୍ରଥମତଃ ନିଜ ମହାକାଶ ଯାନର ଗତି ନିରୀକ୍ଷଣ କରିବ, ଦ୍ୱିତୀୟତଃ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ନଜର ରଖିବ । ଭାରତର ‘ଅଗ୍ନି’ ବା ‘କେ-୪’ କ୍ଷେପଣାସ୍ତ୍ର ଚୀନ୍ ଉପରେ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ । ଯଦି ଭାରତ ‘କେ-୪’ କ୍ଷେପଣାସ୍ତ୍ର ପରୀକ୍ଷଣ କରେ ଏହାର ପରମାଣୁ ଟ୍ରାୟର୍ଡ ଖୁବ୍ ପ୍ରଭାବୀ ହେବ । ଆଉ କେତେକ ରିପୋର୍ଟ ଅନୁଯାୟୀ ଏହି କ୍ଷେପଣାସ୍ତ୍ର ଭାରତୀୟ ଉଡ଼ାଜାହାଜରୁ ଲଞ୍ଚ୍ କରାଯିବ । ‘କେ-୪’ ଅଗ୍ନି ସିରିଜ୍ର ମିସାଇଲ୍ । ଏହାର ମାରକ କ୍ଷମତା ୩୫ଠଠ କିମି ।