ସମୀକ୍ଷା ବୈଠକ କରିବ ବିସିସିଆଇ

ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ପରାଜୟ ପ୍ରସଙ୍ଗ
ମୁମ୍ବାଇ, ୧୨ା୧୧ (ଏଜେନ୍ସି): ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାଜିତ ହେବା ପରେ ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅସନ୍ତୁଷ୍ଟ ଅଛି । ସ୍ପୋର୍ଟ୍ସ ପୋର୍ଟାଲ୍ ‘ଇନ୍ସାଇଡ୍ ସ୍ପୋର୍ଟ’ ଅନୁଯାୟୀ ବିସିସିଆଇ ଶୀଘ୍ର ଏକ ସମୀକ୍ଷା ବୈଠକ ଡାକିବାକୁ ଯାଉଛି । ଏହି ବୈଠକରେ କୋଚ୍ ରାହୁଲ ଦ୍ରାବିଡ଼, ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶ୍ନ କରାଯିବ ।
କ୍ଷ ବୈଠକର ଅଧ୍ୟକ୍ଷତା କରିବେ ଶାହା
ବିସିସିଆଇ ସମ୍ପାଦକ ଜୟ ଶାହା ଏହି ବୈଠକରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନର ସମୀକ୍ଷା କରିବେ । ବୋର୍ଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ, “ଆମେ ଏକ ବୈଠକ କରିବାକୁ ଯାଉଛି । ସେମିଫାଇନାଲ୍ର ଏହି ପରାଜୟରୁ ଆମେ ବି ମୁକୁଳି ପାରି ନାହୁଁ । ନିଶ୍ଚିତରୂପେ ଟିମ୍ରେ ପରିବର୍ତ୍ତନର ଆବଶ୍ୟକତା ଅଛି । ସମୀକ୍ଷା ବୈଠକରେ ଟିମ୍ର କଥା ବି ଶୁଣିବା ଜରୁରୀ । ଏହା ବିନା କୌଣସି ନିଷ୍କର୍ଷ ଯାଏଁ ପହଞ୍ଚି ହେବ ନାହିଁ । ଏଥିପାଇଁ ଦ୍ରାବିଡ଼, ରୋହିତ ଓ କୋହଲିଙ୍କ ଇନ୍ପୁଟ୍ ଶୁଣି ଭବିଷ୍ୟତର ଟି-୨୦ ଟିମ୍ର ଯୋଜନା କରାଯିବ ।”
କ୍ଷ ଚୟନ କମିଟି ବି ପ୍ରଶ୍ନ ଘେରରେ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇ ଚୟନ କମିଟିର ପ୍ରଦର୍ଶନରେ ମଧ୍ୟ ଅସନ୍ତୁଷ୍ଟ ଅଛି । ଚୟନ କମିଟିର ମୁଖ୍ୟ ରହିଛନ୍ତି ପୂର୍ବତନ ଦ୍ରୁତ ବୋଲର୍ ଚେତନ ଶର୍ମା । ବୈଠକରେ ଚୟନ କମିଟିର ପ୍ରଦର୍ଶନକୁ ମଧ୍ୟ ସମୀକ୍ଷା କରାଯିବ ।
ଚର୍ଚ୍ଚା ହେଉଛି ଯେ ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ପଦବୀରୁ ହଟାଇ ଦିଆଯିବ । ତେବେ ନିଜେ ଚେତନ ଏହି ବୈଠକରେ ଯୋଗ ଦେବେ ନା ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ ।
କ୍ଷ ବର୍ଷେ ଭିତରେ ଟି-୨୦ ଟିମ୍ରେ ବହୁତ ପରିବର୍ତ୍ତନ ଘଟିବ
ପରବର୍ତ୍ତୀ ବିଶ୍ୱକପ୍ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ । ବିସିସିଆଇ ମତରେ ସେତେବେଳକୁ ଅଧିକାଂଶ ସିନିଅର୍ ଖେଳାଳି ସ୍ୱତଃ ଟି-୨୦ ଫର୍ମାଟ୍ ଛାଡ଼ିଦେବେ ।
ବୋର୍ଡ ଅଧିକାରୀଙ୍କ କହିବାନୁଯାୟୀ, “ଆସନ୍ତା ଏକ ବର୍ଷ ମଧ୍ୟରେ ଟି-୨୦ ଟିମ୍ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । ରୋହିତ ଶର୍ମା, ବିରାଟ କୋହଲି, ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ଖେଳାଳି ଧୀରେ ଧୀରେ ବାହାରି ଯିବେ । ଆମେ କୌଣସି ଜଣେ ଖେଳାଳି ନୁହେଁ ବରଂ ପୂରା ଟିମ୍ ବିଷୟରେ ଚିନ୍ତା କରୁଛୁ । ଖେଳାଳି ନିଜ ବିଷୟରେ ନିଜେ ନିଷ୍ପତ୍ତି ନେଇପାରନ୍ତି । ଆମେ କ୍ରିକେଟ୍ ଓ ଟିମ୍ ଇଣ୍ଡିଆ ବିଷୟରେ ଚିନ୍ତା କରୁଛୁ । ଇଂଲଣ୍ଡ ସହିତ ସେମିଫାଇନାଲ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ପରେ ଏସବୁ ଅଟକିବା ଦରକାର । ଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।”

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *