ସବୁ ଦୋଷୀ ମୁକ୍ତ
ରାଜୀବ ହତ୍ୟାକାଣ୍ଡ
ସୁପ୍ରିମ୍ ଆଦେଶରେ କଂଗ୍ରେସ ନାରାଜ
ନୂଆଦିଲ୍ଲୀ, ୧୧ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ସବୁ ୬ ଦୋଷୀ ଶୁକ୍ରବାର ଜେଲ୍ରୁ ମୁକ୍ତି ପାଇଛନ୍ତି । ପୂର୍ବାହ୍ନରେ ସୁପ୍ରିମ୍କୋର୍ଟର ନ୍ୟାୟମୂର୍ତ୍ତି ବି.ଆର୍. ଗବଇ ଓ ନ୍ୟାୟମୂର୍ତ୍ତି ବି.ବି.ନାଗରତ୍ନାଙ୍କ ନ୍ୟାୟପୀଠ ଏମାନଙ୍କୁ ମୁକ୍ତି ଦେବା ପାଇଁ ଆଦେଶ ଦେଇଥିଲେ । କୋର୍ଟ ଆଦେଶ ଆସିବାର ଘଣ୍ଟାଏ ପରେ ପ୍ରାୟ ୩୧ ବର୍ଷ ହେଲା ଜେଲଦଣ୍ଡ ଭୋଗି ଆସୁଥିବା ରବିଚନ୍ଦ୍ରନ୍, ମୁଗୁଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପୟାସଙ୍କୁ ଜେଲ୍ରୁ ଖଲାସ କରିଦିଆଯାଇଛି । ୧୯୯୧ ମେ ୨୧ ତାରିଖ ଦିନ ରାଜୀବ ଗାନ୍ଧୀ ତାମିଲନାଡୁର ଶ୍ରୀ ପେରମ୍ବୁଦୁରଠାରେ ନିର୍ବାଚନ ର୍ୟାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ନିହତ ହୋଇଥିଲେ । ଏହି ମାମଲାରେ ଚଳିତ ବର୍ଷ ମେ ୧୮ରେ ମାମଲାର ଅନ୍ୟତମ ଦୋଷୀ ପେରାରୀବଲନଙ୍କୁ ସୁପ୍ରିମ୍କୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ଦିଆଯାଇଥିବା ବିଶେଷାଧିକାର ପ୍ରୟୋଗ ପୂର୍ବକ ମୁକ୍ତି ଦେଇଥିଲେ । ଏବେ ଅବଶିଷ୍ଟ ୬ଜଣ ଜେଲ୍ରୁ ମୁକୁଳିଲେ । ନ୍ୟାୟପୀଠ କହିଛନ୍ତି ଯେଉଁ ନିୟମରେ ପେରାରୀବଲନ୍ଙ୍କୁ ମୁକ୍ତି ଦିଆଯାଇଛି, ସେହି ନିୟମ ଅନ୍ୟ ସବୁ ଦୋଷୀଙ୍କ ପ୍ରତି ଲାଗୁ ହେଉଛି । ତା’ଛଡା ତାମିଲନାଡୁ ସରକାର ସବୁ ଦୋଷୀଙ୍କୁ ମୁକ୍ତି ଦେବାକୁ ସୁପାରିସ କରିଥିଲେ ।
ପେରାରୀବଲନ୍ ଜେଲ୍ରୁ ମୁକଳିବା ପରେ ସୁପ୍ରିମ୍କୋର୍ଟଙ୍କ ସେହି ସମ୍ବନ୍ଧୀୟ ଆଦେଶର ଉଦାହରଣ ଦେଇ ଅନ୍ୟ ଦୋଷୀମାନେ କୋର୍ଟରେ ମୁକ୍ତି ପ୍ରାର୍ଥନା କରିଥିଲେ । ସବୁ ଦୋଷୀଙ୍କୁ ମୁକ୍ତି ଦିଆଯିବା ସମ୍ବନ୍ଧୀୟ ସୁପ୍ରିମ୍କୋର୍ଟ ଆଦେଶକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଏପରିକି ମାମଲାରେ ସୋନିଆ ଗାନ୍ଧୀଙ୍କ ମତ ସହ ଦଳ ସହମତ ନୁହେଁ ବୋଲି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦୋଷୀମାନଙ୍କୁ କ୍ଷମା ଦିଆଯାଉ ବୋଲି ସୋନିଆ ବହୁ ପୂର୍ବରୁ କହିଥିଲେ । ଏବେ କଂଗ୍ରେସ ଦୋଷୀମାନଙ୍କୁ ପୁଣି ଥରେ ଜେଲ୍କୁ ଫେରାଇ ଆଣିବା ପାଇଁ ବିକଳ୍ପ ମାର୍ଗର ଉପଯୋଗ କରିବ ବୋଲି ସିଂଘବୀ କହିଛନ୍ତି । ସେ କହିଛନ୍ତି, ରାଜୀବଙ୍କ ବଳିଦାନକୁ ଆମେ ବ୍ୟର୍ଥ ହେବାକୁ ଦବୁ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଭାରତର ଅସ୍ତିତ୍ୱ ଉପରେ ଆକ୍ରମଣ ସଙ୍ଗେ ସମାନ । ଏଥିରେ କୌଣସି ରାଜନୈତିକ ରଙ୍ଗ ନାହିଁ । ଏହି ପ୍ରକାର ଅପରାଧରେ କାହାରିକୁ ମୁକ୍ତି ଦିଆଯିବା ଅନୁଚିତ୍ । ଅପରପକ୍ଷେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ସୁପ୍ରିମ୍ ଆଦେଶକୁ ସ୍ୱାଗତ କରିଛନ୍ତି । ଜେଲ୍ରୁ ମୁକୁଳିବା ପରେ ନଳିନୀ କହିଛନ୍ତି, ମୁଁ ଆତଙ୍କବାଦୀ ନୁହେଁ । ଗତ ୩୨ ବର୍ଷ ହେଲା ବନ୍ଦିନୀ ଥିଲି । ତାହା ଥିଲା ମୋର ସଂଘଷର ଦିନ ।
ରାଜୀବ ଗାନ୍ଧି ହତ୍ୟା ମାମଲାରେ ଟ୍ରାଏଲ୍ କୋର୍ଟ ଷଡଯନ୍ତ୍ରରେ ସାମିଲ ୨୬ ଦୋଷୀଙ୍କୁ ଟାଡା ଅଧିନିୟମ ଅନୁଯାୟୀ ମୃତୁ୍ୟ ଦଣ୍ଡାଦେଶ ଦେଇଥିଲେ । ଟାଡା ହଟିଯିବାର କିଛିବର୍ଷ ପରେ, ୧୯୯୯ ମେ’ରେ ସୁପ୍ରିମ୍କୋର୍ଟ ସେଥିରୁ ୧୯ଜଣଙ୍କୁ ନିଦେ୍ର୍ଦାଷ ବୋଲି ରାୟ ଦେବା ପରେ ଜେଲ୍ରେ ରହିଯାଇଥିଲେ ଆଉ ୭ଜଣ । ସେମାନଙ୍କ ଭିତରୁ ୪ଜଣ (ନଳିନୀ, ମୁରୁଗନ ଓରଫ ଶ୍ରୀହରନ, ସନ୍ଥନ ଓ ପେରାରୀବଲନ)ଙ୍କୁ ମୃତୁ୍ୟ ଦଣ୍ଡାଦେଶ ଶୁଣାଇ ଦିଆଯାଇଥିଲା । ରବିଚନ୍ଦ୍ରନ, ରବର୍ଟ ପାୟସ ଓ ଜୟ କୁମାରଙ୍କୁ ମିଳିଥିଲା ଆଜୀବନ ସଜା । ପୂର୍ବୋକ୍ତ ୪ଜଣଙ୍କ କ୍ଷମା ପିଟିସନ୍ ପାଇବା ପରେ ତାମିଲନାଡୁ ରାଜ୍ୟପାଳ କେବଳ ନଳିନୀଙ୍କ ମୃତୁ୍ୟଦଣ୍ଡକୁ ଆଜୀବନ ସଜା ରୂପ ବଦଳାଇ ଦେଇଥିଲେ । ଅନ୍ୟ ୩ଜଣଙ୍କ ପିଟିସନ୍କୁ ୨୦୧୧ରେ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ ।