୧୩ରୁ ରାଜ୍ୟସ୍ତରୀୟ ଖୋ ଖୋ ଚାମ୍ପିଅନ୍ସିପ୍

ପୁରୀ (ବୁ୍ୟରୋ): ଚଳିତ ମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ରାଜ୍ୟସ୍ତରୀୟ ୫୫ ତମ ସିନିଅର୍ ବର୍ଗର ଖୋ ଖୋ ଚମ୍ପିୟାନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଶୁକ୍ରବାର ପୂର୍ବାହ୍ଣରେ ସର୍କିଟ ହାଉସ ଠାରେ ଏ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଖେଳାଳିଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିବାରୁ କ୍ରୀଡ଼ା ପ୍ରତି ପିଲାମାନେ ଆକୃଷ୍ଟ ହେବାକୁ ଆହ୍ୱାନ ଦେଇଥିଲେ । ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖେଳ ସମ୍ପର୍କିତ ବିସ୍ତୃତ ସୂଚନା ଦେଇଥିଲେ । ଜିଲ୍ଲା ହାଇସ୍କୁଲ୍ ଠାରେ ନଭେମ୍ବର ୧୩ ଅପରାହ୍ଣ ୫.୩୦ରେ ଉଦ୍ଘାଟିତ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ୭ଟାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏଥିରେ ବିଭିନ୍ନ ଜିଲ୍ଲା ସହ, କିଟ୍ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲର ଅନ୍ତେବାସୀମାନେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କ ଦଳ ଚଳିତ ୨୦-୨୪ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଆୟୋଜିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପ୍ରେ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନର୍ସ ଅପ୍ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *