ଆଜି ହିମାଚଳ ଲଢ଼େଇ

ଶିମଲା (ଏଜେନ୍ସି): ୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଆସନ୍ତାକାଲି (ଶନିବାର) ଭୋଟ୍ ଗ୍ରହଣ କରାଯିବ । ପ୍ରାୟ ଦେଢ଼ ମାସ ଧରି ଏଠାରେ ଚାଲିଆସିଥିବା ପ୍ରଚାର ଲଢ଼େଇ ଗତକାଲି ଅର୍ଥାତ୍ ଗୁରୁବାର ଏଠାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଦିନ ତମାମ ଏଠାରେ ଶାନ୍ତ ପରିବେଶ ରହିଥିଲା । ତେବେ ଭୋଟ୍ଗ୍ରହଣ ପାଇଁ ରାଜ୍ୟବ୍ୟାପୀ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟ୍ ପୂର୍ବରୁ ଏଠାରେ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ପୋଲ୍ (ଓପିନିୟନ୍ ପୋଲ୍)ର ଫଳାଫଳ ସାମ୍ନାକୁ ଆସିଛି । କେତେକ ଓପିନିୟନ୍ ପୋଲ୍ରେ ବିଜେପି ଏଥର ସରକାର ଗଢ଼ୁଥିବା ନେଇ ଦାବି କରାଯାଉଥିବା ବେଳେ ଆଉ କିଛି ଓପିନିୟନ୍ ପୋଲ୍ରେ ଝୁଲା ସରକାର ହେବା ନେଇ ମତାମତ ଆସିଛି । ତେବେ ଆସନ୍ତା କାଲି ଏସବୁ କଳ୍ପନାଜଳ୍ପନାର ଅବସାନ ହୋଇଯିବ ବୋଲି କୁହାଯାଉଛି । ଚଳିତ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ମୋଟ୍ ୫୫.୯୨,୮୨୮ ଜଣ ଭୋଟର (୨୮,୫୪,୯୪୫ ପୁରୁଷ ଏବଂ ୨୭,୩୭୮୪୫ ମହିଳା, ୩୮ ତୃତୀୟ ଲିଙ୍ଗ) ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୧,୨୧,୪ଠ୯ ଭୋଟରଙ୍କ ବୟସ ୮ଠ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବା ବେଳେ ୫୬,୫ଠ୧ଜଣ ଶାରୀରିକ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଚଳିତ ବର୍ଷ ପାଇଁ ୧,୯୩,୧ଠ୬ ନୂଆ ଭୋଟର (୧୮/୧୯ ବର୍ଷରେ ଉପନୀତ)ଙ୍କୁ ସାମିଲ କରାଯାଇଛି ।
ଦ୍ଭ ବିଜେପି-କଂଗ୍ରେସ-ଆପ୍ ତ୍ରିମୁଖୀ ଟକ୍କର୍
ଦ୍ଭ ରାଜ୍ୟବାସୀଙ୍କୁ ଚିଠି ଲେଖିଲେ ମୋଦି
ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଏବଂ କଂଗ୍ରେସକୁ ବାଦ୍ ଦେଲେ ଏଥର ହିମାଚଳ ମୈଦାନ୍କୁ ଆମ୍ ଆଦ୍ମୀ ପାର୍ଟି (ଆପ୍) ଓହ୍ଲାଇଛି । ସବୁଠୁ ବଡ଼ କଥା ହେଉଛି ହିମାଚଳ ବିଧାନସଭାର ଟ୍ରାକ୍ ରେକର୍ଡ ଅନୁସାରେ ଏଠାରେ ୫ ବର୍ଷ ବିଜେପି ଏବଂ ୫ ବର୍ଷ କଂଗ୍ରେସ ସରକାରର ପ୍ରଥା ଚାଲିଆସୁଛି । ସମ୍ପ୍ରତି ହିମାଚଳରେ ବିଜେପି ୫ ବର୍ଷର ସରକାରୀ କାର୍ଯ୍ୟକାଳ ଶେଷ କରୁଥିବା ବେଳେ ପ୍ରଥା ଅନୁସାରେ ଏଥର କଂଗ୍ରେସକୁ ରାଜ୍ୟବାସୀ ବହୁମତ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ସୁତରାଂ କଂଗ୍ରେସ କେବଳ ଏହି ପ୍ରଥାକୁ ନେଇ ସରକାର ଗଢ଼ିବା ପାଇଁ ଦୃଢ଼ ଆଶାବାଦୀ ରହିଥିବା ବେଳେ ବିଜେପି କିନ୍ତୁ ଏହି ପରମ୍ପରାକୁ ଭଙ୍ଗ କରି ବିଜେପିକୁ ପୁୂଣି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି । ଅନ୍ୟପକ୍ଷେ ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ଅନେକ ବିଦ୍ରୋହୀ ନେତା ଏବେ ଦଳ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଯାହା ବିଜେପି ପାଇଁ ଚିନ୍ତାର କାରଣ ସାଜିଛି । ଏସବୁ ମଧ୍ୟରେ ଶୁକ୍ରବାର ମୋଦି, ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ଏକ ଚିଠି ମଧ୍ୟ ଲେଖିଥିବା ଜଣାପଡିଛି । ଏଥିରେ ଡବଲ୍ ଇଞ୍ଜିନ୍ ସରକାର ର ଲାଭ, ଗତ ୫ ବର୍ଷରେ ବିଜେପି ଏଠାରେ କରିଥିବା ଜନହିତକର କାର୍ଯ୍ୟ ତଥା ଯୋଜନା ସମ୍ପର୍କରେ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୋଦି ଚେଷ୍ଟା କରିଛନ୍ତି ।
ବିଜେପି ପକ୍ଷରୁ ମୋଦି ଏଠାରେ ନିର୍ବାଚନୀ ପ୍ରଚାର କରିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ପ୍ରମୁଖ ପ୍ରଚାର ଦାୟିତ୍ୱ ସମ୍ଭାଳିଥିଲେ । ରାହୁଲ ଗାନ୍ଧୀ ସମ୍ପ୍ରତି ଭାରତ ଯୋଡୋ ଯାତ୍ରା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ସେ ହିମାଚଳରେ ପ୍ରଚାର କରିନାହାନ୍ତି । ସେହିପରି ଆପ୍ ପକ୍ଷରୁ ଦଳୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ପ୍ରମୁଖ ପ୍ରଚାର କରିଛନ୍ତି ।
ଦ୍ଭ ୬୮ ଆସନ ପାଇଁ ୪୧୨ ପ୍ରାର୍ଥୀ
ଦ୍ଭ ୯୪ ଜଣଙ୍କ ନାଁରେ ଅପରାଧିକ ମାମଲା
ଏଥର ହିମାଚଳ ବିଧାନସଭା ନିର୍ବାଚନରେ ମୋଟ୍ ୪୧୨ ପ୍ରାର୍ଥୀ (୩୮୮ ପୁରୁଷ, ୨୪ ମହିଳା) ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଶେଷ ସୁଦ୍ଧା ପ୍ରାୟ ୯୨ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ । ଫଳରେ ବର୍ତ୍ତମାନ ସମୟରେ ମୈଦାନରେ କେବଳ ୪୧୨ ପ୍ରାର୍ଥୀ ହିଁ ରହିଛନ୍ତି । ବିଜେପି, କଂଗ୍ରେସ ଏବଂ ଆପ୍ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଆଇଏମ୍ ୧୧ଟି ଆସନରେ, ସିପିଆଇ ୧ଟି ଆସନରେ, ବହୁଜନସମାଜ ପାର୍ଟି (ବିଏସ୍ପି) ୫୩ଟି ଆସନରେ ଏବଂ ରାଷ୍ଟ୍ରୀୟ ଦେବଭୂମୀ ପାର୍ଟି (ଆର୍ଡିପି) ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।
ତେବେ ଏହି ୪୧୨ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରାୟ ୯୪ଜଣଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ରହିଥିବା ଜାଣିବାକୁ ମିଳିଛି । ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ପ୍ରାର୍ଥୀଙ୍କ ସତ୍ୟପାଠରୁ ଆସୋସିଏସନ୍ ଡ଼େମୋକ୍ରାଟିକ୍ ରିଫର୍ମସ (ଏଡିଆର) ଏପ୍ରକାର ତଥ୍ୟ ହାସଲ କରିଛି । ଏଡିଆର୍ ତଥ୍ୟ ଅନୁସାରେ ଏହି ୯୪ ପ୍ରାର୍ଥୀଙ୍କ ମଧ୍ୟରୁ ୫ଠଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ପାଇଁ ଉସୁକାଇବା ଏବଂ ଶୋଷଣ ଭଳି ସଂଗୀନ ମାମଲା ରୁଜୁ ହୋଇଛି । ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ସିପିଆଇ ସବୁଠାରୁ ଆଗରେ ରହିଛି । ହିମାଚଳ ବିଧାନସଭା ନିର୍ବାଚନରେ ସିପିଆଇ ମୋଟ୍ ୧୧ଟି ସିଟ୍ରେ ପ୍ରାର୍ଥୀ ଦେଇଛି । ଏଥିମଧ୍ୟରୁ ୭ଜଣଙ୍କ ନାଁରେ ରହିଛି ସଂଗୀନ ଆପରାଧିକ ମାମଲା । ଯାହା ଦଳର ମୋଟ୍ ପ୍ରାର୍ଥୀ ସଂଖ୍ୟାର ୬୪% । ସେହିପରି କଂଗ୍ରେସ ଏଥର ମୈଦାନକୁ ଯେଉଁ ୬୮ ପ୍ରାର୍ଥୀଙ୍କୁ ଓହ୍ଲାଇଛି ସେମାନଙ୍କ ମଧ୍ୟରୁ ୩୬ଜଣ ଦାଗି ନେତା ରହିଛନ୍ତି । ଅର୍ଥାତ୍ କଂଗ୍ରେସର ପ୍ରାର୍ଥୀ ସଂଖ୍ୟାର ପ୍ରାୟ ୫୩% ଦାଗୀ ନେତା । ଏତଦ୍ବ୍ୟତୀତ ବିଜେପି ଓ ଆପ୍ରେ ୧୨ଜଣ ଲେଖାଏ ଦାଗୀ ନେତାଙ୍କୁ ଏଥର ସାମିଲ କରାଯାଇଛି । ସୂଚନାଯୋଗ୍ୟ, ୨ଠ୧୭ ହିମାଚଳ ବିଧାନସଭା ନିର୍ବାଚନରେ ମୋଟ୍ ୩୩୮ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣଙ୍କ ବିରୋଧରେ ଅପରାଧିକ ପୃଷ୍ଠଭୂମୀ ରହିଥିଲା, ଯାହାକି ମୋଟ୍ ପ୍ରାର୍ଥୀ ସଂଖ୍ୟାର ୧୮% । କିନ୍ତୁ ଚଳିତ ବର୍ଷ ପ୍ରାର୍ଥୀ ସଂଖ୍ୟା ୪୧୨କୁ ବୃଦ୍ଧି ପାଇଥିବା ବେଳେ ୨୩% ଦାଗୀ ପ୍ରାର୍ଥୀଙ୍କୁ ବିଭିନ୍ନ ଦଳ ପକ୍ଷରୁ ଟିକଟ ପ୍ରଦାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *