ଓଡ଼ିଶାରୁ ଆରମ୍ଭ ହେଉ ବିକାଶ

ରାଜଭବନରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୦ା୧୧(ବୁ୍ୟରୋ): ଜୟ ଜଗନ୍ନାଥ…ଭାରତର ମାଟି ଖାଣ୍ଟି ସୁନା, ଭାରତର ଜଳ ଜୀବନ । ଭାରତର ପବନ ପ୍ରାଣ ସ୍ପନ୍ଦନ । ଭାରତର ଶିଳା ଶାଳଗ୍ରାମ ଓ ଭାରତର ପ୍ରତି ବୃକ୍ଷ କଳ୍ପବଟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ରାଷ୍ଟ୍ରପତି ହେବା ପରେ ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଆସି ରାଜଭବନ ପରିସରରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି- ଆପଣଙ୍କ ସ୍ନେହ, ଶ୍ରଦ୍ଧା ମୋତେ ଅଭିଭୂତ କରିଛି । ଆଜି ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛି । ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ଦାତାପଣରେ ଜଗନ୍ନାଥଙ୍କ ସରି କେହି ନାହାଁନ୍ତି । ପୁରୀରେ ଏଏସ୍ଆଇର ସର୍କଲ ଅଫିସ ଖୋଲା ଯାଇଥିବାରୁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଭାରତର ପ୍ରତି ପ୍ରଦେଶ ମୋତେ ଆପଣାଇଛି ।
ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ନିଜ ଅଞ୍ଚଳର ଦିଗଦିଗନ୍ତର ସୌନ୍ଦର୍ଯ୍ୟ ନିଆରା । ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସରେ ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି ।
ପରାକ୍ରମୀ ସମ୍ରାଟ ଖାରବେଳ ଅହିଂସାର ପୂଜାରୀ ଥିଲେ । ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିଶ ବିରୋଧୀ ଆନେ୍ଦାଳନ ଓଡିଶାରୁ ସୃଷ୍ଟି ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ, ସରଳା ଦେବୀ, ମାଳତୀ ଦେବୀଙ୍କ ଭଳି ନାରୀନେତ୍ରୀ ଓଡିଶାରୁ ସୃଷ୍ଟି ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନେ୍ଦାଳନ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିଆଁୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ । ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁଁ ଓଡିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବପର ହୋଇପାରିଥିଲା ।
ଓଡିଶାରୁ ଭାରତର ପ୍ରଗତୀ ଆରମ୍ଭ ହେଉ । ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚିବା ଦରକାର । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଁଚିବା ଦରକାର । ରାଜ୍ୟ ଗୁଡିକରେ ବିକାଶରେ ଭାରତର ବିକାଶ । ତେଣୁ ଏହି ବିକାଶ ପକ୍ରିୟା ଓଡିଶାରୁ ଆରମ୍ଭ ହଉ ବୋଲି କାମନା କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋଟ୍ ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ, ମୁଖ୍ୟାଶସନ ସଚିବ ସରୋଶଚନ୍ଦ୍ର ମହାପାତ୍ରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମେୟର ସୁଲୋଚନା ଦାସ ମଞ୍ଚାସୀନ ଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପିକେ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଥିଲେ, ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ନିଜ ସଫଳତା ଦେଖୁଛି । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ଥପତି ସୁଦର୍ଶନ ସାହୁ ଏକ ପ୍ରସ୍ଥଳ କଳାକୃତି ମହାମହିମଙ୍କୁ ଉପହାର ଦେଇଥିଲେ । ସେହିଭଳି ପ୍ରଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଜର୍ସି, ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେର ନିଜସ୍ୱ ପ୍ରସ୍ତୁତ ଏକ ବାନ୍ଧକଳା ଉପହାର ଦେଇଥିଲେ । ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶୀ ଅରୁଣା ମହାନ୍ତି ତାଳପତ୍ରରେ ଏକ ଉପହାର ପ୍ରଦାନ କରିଥିଲେ ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବି·ରପତି, ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ, ବିଏମସି ମେୟର ସୁଲୋଚନା ଦାଶ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ଉପହାର ଦେଇଥିଲେ । ମୟୁରଭଞ୍ଜର ମିଲେଟ ଚାଷୀ ସୁବାଷୋ ମହାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ମିଲେଟ ଗିଫ୍ଟ ହ୍ୟାମ୍ପର ଉପହାର ଦେଇଥିଲେ । ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଉତରୀୟ ଦେଇଥିଲେ । ରାଜ୍ୟପାଳ ଶ୍ରୀ ଲାଗଲ ମଧ୍ୟ ଏହି ଅବସରରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ରାଜଭବନରେ ନୈଶ ଭୋଜିର ଆୟୋଜନ କରାଯାଇଛି । ରାଜ୍ୟର ସବୁ ବିଧାୟକ, ମନ୍ତ୍ରୀ, ବିରିଷ୍ଠ ପ୍ରଶାସନିକ ଅଧିକାରୀ ରାଜଭବନରେ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତି ଶ୍ରୀମତି ମୁର୍ମୁୁ ଗୁରୁବାର ରାଜଭବନରରେ ରାତ୍ରୀଯାପନ କରି ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମେ;ର ଯୋଗ ଦେବେ ଓ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *