ଟିମ୍ ଇଣ୍ଡିଆର ଲଜ୍ଜାଜନକ ବିଦାୟ

ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍
ଆଡିଲେଡ୍, ୧୦ା୧୧ (ଏଜେନ୍ସି): ଏଭଳି ଏକ ଅପ୍ରତ୍ୟାଶିତ ତଥା ଏକତରଫା ମୁକାବିଲା କେହି ଆଶା କରି ନ ଥିବେ, ତାହା ପୁଣି ନକ୍ଆଉଟ୍ ପର୍ଯ୍ୟାୟରେ । ଗୁରୁବାର ଦ୍ୱିତୀୟ ସେମିଫାଇନାଲ୍ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାଜୟ ଜନିତ ବିପର୍ଯ୍ୟୟ ପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ମୁକୁଟ ଜିତିବାର ସ୍ୱପ୍ନ ଚୁର୍ମାର୍ ହୋଇଯାଇଛି । ୨୦୨୨ ସଂସ୍କରଣରୁ ବିଦାୟ ନେଇଛି ରୋହିତ ସେନା । ଏଥିସହିତ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ସୁନିଶ୍ଚିତ ହୋଇଛି, ଯାହାକି ୧୩ ତାରିଖରେ ଖେଳାଯିବ ।
ରୋ-ହିଟ୍, କିଙ୍ଗ୍ କୋହଲି, ମିଷ୍ଟର ୩୬୦ ଡିଗ୍ରୀ, କୁଙ୍ଗ୍ଫୁ ପାଣ୍ଡ୍ୟା, ସ୍ୱିଙ୍ଗ୍ କିଙ୍ଗ୍… ସମସ୍ତେ ଥିଲେ । ବ୍ୟାଟ୍ ଧରି ଆଠ ଖେଳାଳି ମଇଦାନକୁ ଓହ୍ଲାଇଥିଲେ, ଛଅ ପାଭିଲିଅନ୍ ଫେରିଥିଲେ, ମୋଟ୍ ୧୬୮ ରନ୍ ହୋଇଥିଲା, ତାହା ବି କଷ୍ଟରେ । ଇଂଲଣ୍ଡର ଦୁଇ ବ୍ୟାଟର୍ ମଇଦାନକୁ ଆସିଥିଲେ ଏବଂ ପ୍ରତି ଓଭର୍ରେ ପ୍ରାୟ ୧୦.୬୨ ରନ୍ କରି ୧୬ ଓଭର୍ରେ ମ୍ୟାଚ୍ ଶେଷ କରିଥିଲେ । ଆଲେକ୍ସ ହେଲ୍ସଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୩, ରନ୍ ୮୬, ୪ ଚୌକା ଓ ୭ ଛକା । ଅଧିନାୟକ ଜୋସ୍ ବଟ୍ଲର୍ଙ୍କ ଷ୍ଟ୍ରାଇକ୍ରେଟ୍ ଥିଲା ୧୬୩, ରନ୍ ୮୦, ୯ ଚୌକା ଓ ୩ ଛକା । ହେଲ୍ସ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟି-୨୦ ବିଶ୍ୱକପ୍ ଇତିହାସରେ ମୋଟ୍ ୧୬ ସେମିଫାଇନାଲ୍ ଖେଳାଯାଇଥିବା ବେଳେ ଏ ଯାବତ୍ ଏହା କୌଣସି ଟିମ୍ର ସର୍ବବୃହତ୍ ପରାଜୟ ଅଥବା ସର୍ବବୃହତ୍ ବିଜୟ ଥିଲା । ଇଂଲଣ୍ଡ ଟିମ୍ ଭାରତକୁ ହରାଇ ସେମିଫାଇନାଲ୍ରେ ସର୍ବାଧିକ ୧୦ ୱିକେଟ୍ରେ ବିଜୟର ନୂଆ ରେକର୍ଡ କରିଛି । ଏହା ସହିତ କମ୍ ଓଭ୍ରରେ ଜିତିବାର ନିଜ ରେକର୍ଡର ସମକକ୍ଷ ହୋଇଛି । ୧୨ ବର୍ଷ ପୂର୍ବେ ୨୦୧୦ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ୧୬ ଓଭର୍ରେ ଶ୍ରୀଲଙ୍କାକୁ ହରାଇଥିଲା । ଏହି ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିଲା ।
୧୬୯ ରନ୍ର ବିଜୟ ଲକ୍ଷ୍ୟ ସେମିଫାଇନାଲ୍ ଭଳି ମୁକାବିଲାରେ ଆହ୍ୱାନପୂର୍ଣ୍ଣ ହୋଇପାରିଥା’ନ୍ତା; କିନ୍ତୁ ଇଂଲିଶ୍ ଓପନର୍ ଅଧିନାୟକ ଜୋସ୍ ବଟ୍ଲର୍ ଓ ଆଲେକ୍ସ ହେଲ୍ସ କୌଣସି ଚାପ ସୃଷ୍ଟି ହେବାକୁ ଦେଇ ନ ଥିଲେ ।
ଉଭୟ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଭାରତୀୟ ବୋଲର୍ଙ୍କୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୬୩/୦ । ଏହାପରେ ବି ଉଭୟଙ୍କ ଲୟ ଅପରିବର୍ତ୍ତିତ ରହିଥିଲା । ହେଲ୍ସ ୨୮ ବଲ୍ରୁ ଓ ବଟ୍ଲର୍ ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୬୧ ବଲ୍ରୁ ଇନିଂସ୍ ୧୦୦ ଛୁଇଁଥିଲା ଏବଂ ୮୩ ବଲ୍ରୁ ୧୫୦ ରନ୍ ।
ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ୍, ମହମ୍ମଦ ଶାମୀ, ରବିଚନ୍ଦ୍ରନ୍ ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା କାହା ବଲ୍ କାମ କରି ନ ଥିଲା, କେହି ୱିକେଟ୍ ପାଇ ନ ଥିଲେ । ବଟ୍ଲର୍ ଓ ହେଲ୍ସ ୧୬ ଓଭର୍ରେ ୧୭୦ ରନ୍ କରି ଟିମ୍କୁ ଜିତାଇଥିଲେ । ହେଲ୍ସ ୪୭ ବଲ୍ର ସାମ୍ନା କରିଥିବା ବେଳେ ବଟ୍ଲର୍ ୪୯ ବଲ୍ ଖେଳିଥିଲେ ।
ଏହା ପୂର୍ବରୁ ଇଂଲଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଥିଲା । ମାର୍କ ଉଡ୍ଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନ୍, ଡେଭିଡ୍ ମଲାନ୍ଙ୍କ ସ୍ଥାନରେ ଫିଲ୍ ସଲ୍ଟଙ୍କୁ ସାମିଲ୍ କରାଯାଇଥିଲା । ତେବେ ଭାରତୀୟ ଏକାଦଶ ଅପରିବର୍ତ୍ତିତ ରହିଥିଲା ।
ଲୋକେଶ ରାହୁଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ପୁଣି ଥରେ ଫ୍ଲପ୍ ହୋଇଥିଲା । ମାତ୍ର ୯ ରନ୍ରେ ଯୋଡ଼ି ଭାଙ୍ଗିଥିଲା । ରାହୁଲ ଇନିଂସ୍ର ଦ୍ୱିତୀୟ ଓଭର୍ରେ କ୍ରିସ୍ ୱକ୍ସଙ୍କ ବାହାରକୁ ଯାଉଥିବା ବଲ୍ରେ କିପର୍ଙ୍କୁ କ୍ୟାଚ୍ ଦେଇଥିଲେ । ଏଠାରୁ ଚାପ ବଢ଼ି ଯାଇଥିଲା ଏବଂ ପାୱାରପ୍ଲେରେ ବ୍ୟାଟିଂ ଧୀମା ରହିଥିଲା ।
ଏହାପରେ ରୋହିତ ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୪୭ ରନ୍ର ଭାଗୀଦାରୀ ହୋଇଥିଲା । କିନ୍ତୁ ରନ୍ରେଟ୍ ଧୀମା ଥିଲା । ରୋହିତ (୨୭) କ୍ରିଜ୍ରେ ସେଟ୍ ହେବା ବେଳକୁ ଆଉଟ୍ ହୋଇଥିଲେ । ତାଙ୍କ ୱିକେଟ୍ ଜୋର୍ଡାନ୍ଙ୍କ ଖାତାକୁ ଯାଇଥିଲା । ୧୦ ଓଭର୍ ସୁଦ୍ଧା ଭାରତର ସ୍କୋର୍ ମାତ୍ର ୬୨ ରନ୍ ହୋଇଥିଲା ।
ନୂଆ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ୍ କରି ଆଦିଲ୍ ରଶିଦଙ୍କ ଶିକାର ହୋଇଥିଲେ । ବିରାଟ ଏହାପରେ ପାଣ୍ଡ୍ୟାଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ରନ୍ରେଟ୍ ବଢ଼ାଇବାକୁ ପ୍ରୟାସ କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍ର ଭାଗୀଦାରୀ ହୋଇଥିଲା ।
ବିରାଟ ୪୦ ବଲ୍ରୁ ୫୦ ରନ୍ କରି ଜୋର୍ଡାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ସେ ୪ ଚୌକା ଓ ୧ ଛକା ଲଗାଇଥିଲେ । ପାଣ୍ଡ୍ୟାଙ୍କ ପାୱାର ହିଟିଂ ଯୋଗୁଁ ଟିମ୍ ଭଲ ସ୍ଥିତିରେ ପହଞ୍ଚି ପାରିଥିଲା । ଶେଷ ଓଭର୍ରେ ରିଷଭ ପନ୍ତ ୬ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଜୋର୍ଡାନ୍ଙ୍କ ଶେଷ ବଲ୍ରେ ପାଣ୍ଡ୍ୟା ହିଟ୍ ୱିକେଟ୍ ହୋଇଥିଲେ । ସେ ୩୩ ବଲ୍ରୁ ୬୩ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୪ ଚୌକା ଓ ୫ ଛକା ରହିଥିଲା । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୯୦.୯୦ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *