ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡ୍ରୋନ୍ ସର୍ଭେର ଶୁଭାରମ୍ଭ

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର
ବ୍ରହ୍ମପୁର (ବୁ୍ୟରୋ): ବସ୍ତି ବାସିନ୍ଦାଙ୍କ ସୁବିଧା ପାଇଁ ଜାଗା ମିଶନ୍ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ଡ୍ରୋନ୍ ସର୍ଭେ ଗୁରୁବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୧୦ନମ୍ବର ୱାର୍ଡ ଆଇନାବନ୍ଧ ସାହିରେ ମହାନଗର ନିଗମ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ନିଗମ କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ମଞ୍ଚାସୀନ ଥିଲେ ।
ମହାନଗର ନିଗମର ୪୨ ୱାର୍ଡରେ ଥିବା ୧୬୩ଟି ବସ୍ତିକୁ ଜାଗା ମିଶନରେ ସାମିଲ୍ କରାଯାଇଛି । ଏହା ଦ୍ୱାରା ୧୭ହଜାର ୪୫୭ଟି ପରିବାର ଉପକୃତ ହେବେ । ଯେଉଁମାନେ ସରକାରୀ ଜାଗାରେ ଘର କରି ରହିଥିଲେ ସେହି ଜାଗା ଉପରେ ପଟ୍ଟା ପ୍ରଦାନ କରାଯିବ । ଏହା ପୂର୍ବରୁ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ ପରେ ତହସିଲ କାର୍ଯ୍ୟାଳୟକୁ ଆବଶ୍ୟକୀୟ ନଥିପତ୍ର ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତି ଉନ୍ନୟନ ସଂଘ, ପଦାଧିକାରୀ ଓ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁୂଆଲ ମାଧ୍ୟମରେ ପତାକା ଦେଖାଇ ଉଦ୍ଘାଟନ କରିବା ପରେ ଡ୍ରୋନ୍ ଉଡାଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଯୋଜନା ଦ୍ୱାରା ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଦେଖିବାକୁ ମିଳିଛି, ଗରିବ ଏବଂ ଖଟିଖିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଏହା ଦ୍ୱାରା ବସ୍ତିବାସିନ୍ଦାଙ୍କ ଘର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଥିଲେ । ଡ୍ରୋନ୍ ସର୍ଭେ ପରେ ଉଷା ସର୍ଭେ କରାଯିବ । ଏହାପରେ ଭୂମି ଅଧିକାର ପଟ୍ଟା ପ୍ରଦାନ କରାଯିବ କମିଶନର ଜେ.ସୋନାଲ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ.ଗୋପବନ୍ଧୁ ଦାଶ, ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୂରଲୀମୋହନ, ଅତିରିକ୍ତ କମିଶନର ନିଳମାଧବ ଭୋଇ, ଡେପୁଟି କମିଶନର ଆର୍ଶିବାଦ ପରିଡା ଓ ବିନୋଦ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ନିଗମର ସମସ୍ତ କର୍ପୋରେଟର, ସିଇଓ, ଯନ୍ତ୍ରୀଗଣ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *