ଉତ୍ସାହ, ସଚ୍ଚୋଟତା ସହ କାମ କର

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର, ୯ା୧୧ (ବୁ୍ୟରୋ): ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ । ବୁଧବାର ସନ୍ଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରଙ୍କୁ ଚାକିରୀ ପ୍ରତି ଉତ୍ସାହ ଓ ସଚ୍ଚେଟତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ମଧ୍ୟ ଆମ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟକରୁଛି । ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି । ଏଥି ସହ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ ୧୬ ପାଇପଲାଇନ ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ । ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହ ସମ୍ପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରଙ୍କର ଅଧିକ ଭୂମିକା ରହିଛି । ଏଣୁ ଆପଣମାନେ ଲୋକଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱ ପୃଷ୍ଠା: ୫
ଉତ୍ସାହ…
ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ରାଜ୍ୟକୁ ଅନ୍ୟ ରାଜ୍ୟ ମଧ୍ୟରେ ଏକ ଉଚ୍ଚ ପଦବୀରେ ରଖିବ । ଦାୟିତ୍ୱ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ନୂତନ ଇଞ୍ଜିନିୟରଙ୍କୁ ନିବେଦନ କରିଛନ୍ତି । ତିନିଜଣ ନୂତନ ଇଞ୍ଜିନିୟର ସୀତିପ୍ରଙ୍ଗ ବିଶ୍ୱାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି, ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ହୋଇଛି । ସେମାନେ ୫-ଟି ଏବଂ ମୋ-ସରକାରଙ୍କ ନିଦେ୍ର୍ଦଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ୟାପକ ଶିଳ୍ପାୟନ, ବନ୍ୟା ପରିଚାଳନା, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏହି ବିଭାଗର ଦାୟିତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଭାଗର ଦକ୍ଷତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏକ ସଙ୍ଗରେ ଏତେ ସଂଖ୍ୟକ ଯନ୍ତ୍ରୀ ଯୋଗଦେବା ଗୁରୁତ୍ୱ ବହନ କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *