ଜଷ୍ଟିସ୍ ଚନ୍ଦ୍ରଚୂଡ଼ ହେଲେ ୫୦ତମ ସିଜେଆଇ
ନୂଆଦିଲ୍ଲୀ, ୯ ।୧୧: ଜଷ୍ଟିସ୍ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଭାରତର ୫୦ତମ ପ୍ରଧାନ ବିଚାରପତି (ସିଜେଆଇ) ରୂପେ ବୁଧବାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁ ତାଙ୍କୁ ଇଂରାଜୀରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ସେ ସୁପ୍ରିମ୍ କୋର୍ଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସିଜେଆଇ ଆସନରେ ବସିବା ପୂର୍ବରୁ ନିଜ କ୍ୟାବିନ୍ରେ ଜାତୀୟ ପତାକାକୁ ପ୍ରଣାମ କରିଥିଲେ ।
ସୁପ୍ରିମ କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ପିତା-ପୁତ୍ର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପିତା ୱାଇ.ଭି ଚନ୍ଦ୍ରଚୂଡ଼ ୪୪ ବର୍ଷ ପୂର୍ବେ ଚିଫ୍ ଜଷ୍ଟିସ୍ ଥିଲେ । ସେ ସର୍ବାଧିକ ସମୟ ଧରି (୧୯୭୮ ଫେବ୍ରୁଆରୀ ୨୨ରୁ ୧୯୮୫ ଜୁଲାଇ ୧୧ ପର୍ଯ୍ୟନ୍ତ ୭ ବର୍ଷ) ଏହି ପଦରେ ରହିଥିଲେ । ନବନିଯୁକ୍ତ ସିଜେଆଇଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ରେ ଶେଷ ହେବ ।
ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ୧୯୫୯ ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ୟୁନିଭର୍ସିଟିରୁ ଏଲ୍ଏଲ୍ବି ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାକୋତ୍ତର ଡିଗ୍ରୀ ଲାଭ କରିଛନ୍ତି । ୧୯୯୮ରେ ବମ୍ବେ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ରୂପେ ସେ ଯୋଗ ଦେଇଥିଲେ ଏବଂ ସେହି ହାଇକୋର୍ଟରେ ପରେ ଜଜ୍ ରୂପେ ନିଯୁକ୍ତ ହୋଇଥିଲେ । ଏଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ କାର୍ଯ୍ୟ କରିଛନ୍ତି । ୨୦୧୬ରେ ତାଙ୍କୁ ସୁପ୍ରିମ କୋର୍ଟରେ ଜଜ୍ ନିଯୁକ୍ତ କରାଯାଇଥିଲା ।
ସିଜେଆଇ ଚନ୍ଦ୍ରଚୂଡ଼ ୨୦୧୭-୧୮ରେ ଆଡ୍ଲଟ୍ ଟ୍ରିର ଶିବକାନ୍ତ ଶୁକ୍ଳା ବନାମ ଏଡିଏମ୍ ଜବଲପୁର ମାମଲାରେ ତାଙ୍କ ପିତାଙ୍କ ଦୁଇଟି ଫଇସଲାକୁ ବଦଳାଇ ଦେଇଥିଲେ । ଏହାଛଡ଼ା ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯଥା ସବରିମାଳା, ସମଲିଙ୍ଗୀ ସମ୍ପର୍କ, ଆଧାର, ଅଯୋଧ୍ୟା ଆଦି ମାମଲାର ବିଚାର କରିଥିବା ନ୍ୟାୟପୀଠରେ ସେ ସଦସ୍ୟ ଥିଲେ । ଏହାଛଡ଼ା ନୋଏଡା ଟ୍ୱିଟ୍ ଟାୱାର୍ ଭଙ୍ଗାଯିବା, ପ୍ରିଭେସିକୁ ମୌଳିକ ଅଧିକାର ରୂପେ ଗ୍ରହଣ କରାଯିବା ଏବଂ ଅବିବାହିତାଙ୍କୁ ଗର୍ଭପାତ ଅଧିକାର ଦେବା ସମ୍ବନ୍ଧୀୟ ଫଇସଲା ଦେଇଥିବା ନ୍ୟାୟପୀଠରେ ସେ ସାମିଲ ଥିଲେ ।