ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ
ପୁରୀ (ବୁ୍ୟରୋ): ରାଇରଙ୍ଗପୁରରୁ ରାଇସିନା ହଲ୍ରେ ପହଞ୍ଚôବା ପରେ ଗୁରୁବାର ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଉନ୍ସିଲର୍, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଭାବେ ଅଭିସିକ୍ତ ହେବା ପରେ ଠାକୁରଙ୍କୁ ଦର୍ଶନ ଲାଗି ଧାଇଁ ଆସିଥିଲେ । ଆଉ ଏଥର ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦରେ ଅଳଙ୍କୃତ କରିବା ପରେ କାଳିଆ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସିଛନ୍ତି । ଏପରିକି ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗି ବଳଗଣ୍ଡି ଛକରୁ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି ।
ଅନ୍ୟପକ୍ଷରେ ନିଜ ରାଜ୍ୟକୁ ଆସି ନିଜର ପୋଷାକଠାରୁ ଆରମ୍ଭ କରି ଖାଦ୍ୟପେୟରେ ମଧ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ମହକ । ତତ୍ସହିତ ରାଜଭବନରେ ଓଡ଼ିଶାର କଳା, ସଂସ୍କୃତିର ଝଲକକୁ ନେଇ ଖୁସି ପ୍ରକଟ କରିଥିଲେ ଦ୍ରୌପଦୀ ମୁର୍ମୁ । ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଓ ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀଙ୍କର ଦାରୁଦେବତା ଓ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର । ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ ବୋଲି ମୋର ଠାକୁରଙ୍କ ନିକଟରେ କାମନା ।
ତଳେ ବସି ମହାପ୍ରସାଦ ସେବନ କଲେ
ଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ଯେଉଁ ନିୟମ ଅଛି, ତାହାକୁ ମଧ୍ୟ ପାଳନ କରିଛନ୍ତି ରାଷ୍ଟ୍ରପତି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀଙ୍କ ସହିତ ରାଜଭବନରେ ତଳେ ବସି କଦଳୀପତ୍ରରେ ମହାପ୍ରସାଦ ଖାଇଥିଲେ ରାଷ୍ଟ୍ରପତି । ଘିଅ ଅନ୍ନ, କାନିକା, ଖେଚୁଡ଼ି, କଦଳୀ ଭଜା, ପୋଟଳ ଭଜା, ଡାଲି, ଡାଲମା, ଶାଗ ସମେତ ଅନ୍ୟାନ୍ୟ ପ୍ରସାଦ ଖାଇଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ଝିଅ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଦୀପ ଅମାତ୍ ଓ ସମ୍ବିତ ପାତ୍ର ପ୍ରମୁଖ ମହାପ୍ରସାଦ ସେବନରେ ସାମିଲ ହୋଇଥିଲେ ।
ପ୍ରଥମ ନାଗରିକଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ଭିଡ଼
ଭାରତର ପ୍ରଥମ ନାଗରିକଙ୍କୁ ଦେଖିବା ପାଇଁ ଗୁରୁବାର ପୂର୍ବାହ୍ନରେ ବଡ଼ଦାଣ୍ଡରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏପରିକି ରାଷ୍ଟ୍ରପତିଙ୍କ ଆସିବା ସମୟ ଠିକ୍ ହୋଇଥିଲେ ମଧ୍ୟ ଲୋକମାନେ ଅପେକ୍ଷା କରି ରହିଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବା ସହ ମୋବାଇଲ୍ରେ ଫଟୋ ଉଠାଇବାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସେହିପରି ଲୋକଙ୍କୁ ଦେଖି ହାତ ହଲେଇବା ସହ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଭଳି
ଯଜମାନ ପାଇ ମୁଁ ଧନ୍ୟ
ମହାପ୍ରଭୁଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ମୋ ଜୀବନ ସାର୍ଥକ ହୋଇଛି । ତତ୍ସହିତ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କୁ ଯାତ୍ରୀ ଭାବେ ପାଇ ଜୀବନ ଧନ୍ୟ ହୋଇଗଲା ବୋଲି କହିଛନ୍ତି କୌଳିକ ପଣ୍ଡା । ସେହିପରି ରାଷ୍ଟ୍ରପତି ମହାପ୍ରଭୁଙ୍କ ସମ୍ପର୍କରେ ତାଙ୍କଠାରୁ ତଥ୍ୟ ବୁଝିଥିବା ସେ କହିଥିଲେ । ଶେଷରେ ସେ କାଉନ୍ସିଲର, ମନ୍ତ୍ରୀ, ରାଜ୍ୟପାଳ ସମୟରେ ମଧ୍ୟ ଆସିଥିଲେ ବୋଲି ପ୍ରକାଶ କରିଛନ୍ତି ।
ସେବାୟତଙ୍କ ପକ୍ଷରୁ
ରାଷ୍ଟ୍ରପତିଙ୍କୁ ଫଟୋଚିତ୍ର ପ୍ରଦାନ
ଆଜି ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ଚଳଚଞ୍ଚଳ ହୋଇ ପଡ଼ିଥିଲା ଶ୍ରୀମନ୍ଦିର ପ୍ରଶାସନ । ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ପ୍ରଶାସନ ପାଇଁ ଥିଲା ଚାଲେଞ୍ଜ । ତାହାକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପନ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ ସାରି ବାହାରିବା ସମୟରେ ସିଂହଦ୍ୱାର ସମ୍ମୁଖରେ ଶ୍ରୀମନ୍ଦିରର ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା ।
ଅରୁଣସ୍ତମ୍ଭଙ୍କୁ ପ୍ରଣାମ କଲେ ରାଷ୍ଟ୍ରପତି
ଶ୍ରୀମନ୍ଦିରରେ ମହାମହିମ ରାଷ୍ଟ୍ରପତି । ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ । ତାଙ୍କୁ ଶ୍ରୀମନ୍ଦିର ପରିସରକୁ ପାଛୋଟି ନେଉଥିଲେ ସମସ୍ତେ । ଏହି ସମୟରେ ଅଧାରେ ଅଟକି ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣସ୍ତମ୍ଭଙ୍କୁ ପ୍ରଣାମ କରିଥିଲେ । ଏହି ଦୃଶ୍ୟକୁ ଦେଖି ରାଷ୍ଟ୍ରପତିଙ୍କ ମହାପ୍ରଭୁଙ୍କ ପ୍ରତି ଭକ୍ତି ଅନନ୍ୟ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳିଥିଲା ।