ପିଡିକେ ରାସ୍ତା ୨ ଘଣ୍ଟା ଅବରୋଧ
କେନାଲରେ ପାଣି ନ ଛାଡ଼ିବାରୁ ତାତିଲେ ଚାଷୀ
ଡେଲାଙ୍ଗ (ଆପ୍ର): ଜଳସେଚନ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କେନାଲର ତଳ ମୁଣ୍ଡକୁ ପାଣି ଯାଉ ନାହିଁ । ଫଳରେ ଶହ ଶହ ଏକର ଚାଷ ଜମିରେ ହୋଇଥିବା ଧାନ ଫସଲ ପାଣି ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବେରବୋଇ ପଞ୍ଚାୟତ ଅନ୍ତର୍ଗତ ବୁଆଲି, ବେରବୋଇ, ମଣିଜିପୁର, ବୋଳକଣା, ଉଦୟପୁର, ଡଅଁପୁର ଆଦି ଗ୍ରାମର ଶତାଧିକ ଚାଷୀ ପିଡିକେ (ପଟ୍ଟନାୟିକିଆ-ଡେଲାଙ୍ଗ-ଖୋର୍ଦ୍ଧା) ରାସ୍ତାର ବେରବୋଇ ଛକଠାରେ ୨ଘଣ୍ଟା ଧରି ରାସ୍ତା ଅବରୋଧ କରି ଗଣଧାରଣାରେ ବସିଥିଲେ ।
ସୂଚନାଯୋଗ୍ୟ ବୁଆଲି ମାଇନର୍ର ବୁଆଲି-ବୋଳକଣା କେନାଲ ମଝିରେ ଜଳସେଚନ ବିଭାଗ ପକ୍ଷରୁ ତ୍ରୁଟିପୂର୍ଣ୍ଣ ଭାବେ କଂକ୍ରିଟ ବନ୍ଧ କରାଯାଇଥିବାରୁ କେନାଲର ଜଳ ତଳମୁଣ୍ଡକୁ ପ୍ରବାହିତ ହେବାରେ ବାଧା ସୃଷ୍ଟି ହେଉଛି । ଫଳରେ କେନାଲର ତଳମୁଣ୍ଡରେ ଥିବା ଶହ ଶହ ଏକର ଧାନ ଫସଲ ପାଣି ଅଭାବରୁ ଫାଟି ଆଁ କଲାଣି । ସମସ୍ୟା ସମ୍ପର୍କରେ ପୁରୀ ଜିଲ୍ଲାପାଳ, ଏସ୍ପି, ଡେଲାଙ୍ଗ ତହସିଲ୍ଦାର, ବିଡିଓ, ଥାନାଧିକାରୀ ଓ ପୁରୀ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ ୩ ଦଫା ଦାବି ପୂରଣ ପାଇଁ ଚାଷୀମାନେ ରାସ୍ତା ଅବରୋଧ କରିଥିବାବେଳେ ଥାନାଧିକାରୀ ଅନିଲ କୁମାର ମହାନ୍ତି ଏବଂ ଡେଲାଙ୍ଗ ଜଳସେଚନ ଉପଖଣ୍ଡ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ତନୁଜ କିଶୋର ରାଉତ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଦାବିପୂରଣ ନ ହେଲେ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଆଗାମୀ ଶୁକ୍ରବାର ସୁଦ୍ଧା ଏହି କେନାଲରେ ପାଣି ଛାଡ଼ିବାକୁ ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରାଉତ ପ୍ରତିଶ୍ରୁତି ଦେବାରୁ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଗଣଧାରଣା କାର୍ଯ୍ୟରେ ଚାଷୀ ଗୋପାଳ ଚନ୍ଦ୍ର ସ୍ୱାଇଁ, ବାଦଲ ଦଳେଇ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭୀମସେନ ଦଳେଇ, ସୁରେନ୍ଦ୍ର ସ୍ୱାଇଁ, ବଂଶୀଧର ବିଶ୍ୱାଳ, ସୂରଜ କୁମାର ମହାନ୍ତି, ଲକ୍ଷ୍ମୀଧର ସାହୁ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ବାସୁଦେବ ଜେନା, ସୀତାକାନ୍ତ ପ୍ରଧାନ, ରଘୁନାଥ ସେଠୀ, ରାମଚନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ । ଡେଲାଙ୍ଗ ଥାନାଧିକାରୀ ଅନିଲ କୁମାର ମହାନ୍ତି ସଦଳବଳ ଧାରଣାସ୍ଥଳରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଦାୟିତ୍ୱ ନିର୍ବାହ କରିଥିଲେ ।