ବିଜୁଳି କାଟ୍: ଡାକ ଓ ବିଏସ୍ଏନ୍ଏଲ ସେବା ବାଧାପ୍ରାପ୍ତ
ଯୋଡ଼ା (ଆପ୍ର): ବିଜୁଳି ବିଭାଗର ବାର୍ଷିକ ରକ୍ଷଣା ବେକ୍ଷଣା କାର୍ଯ୍ୟ ଯୋଗୁଁ ବୁଧବାର ଓ ଗୁରୁବାର ୨ଦିନ ଧରି ବିଦୁ୍ୟତ୍ ସରବରାହ ବନ୍ଦ ଥିଲା । ସକାଳ ୭ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦୁ୍ୟତ୍ କାଟ୍ ଯୋଗୁ ଯୋଡାରେ ବ୍ୟାଙ୍କ, ଡାକଘର ସମେତ ଅନ୍ୟାନ୍ୟ ଡିଜିଟାଲ କାରବାର ଠପ୍ ହୋଇଥିଲା । ଯୋଡା ପୌରାଞ୍ଚଳ ଅଧୀନ ବନେଇକଳା ଉପ-ଡାକଘରେ ବିଦୁ୍ୟତ୍ର ବିକଳ୍ପ ବ୍ୟବସ୍ଥା ନ ଥିବାରୁ ୨ଦିନ ଧରି ଡାକଘର ଖୋଲା ଥିଲେ ମଧ୍ୟ ଡାକଘର କାର୍ଯ୍ୟ ଠପ୍ ରହିଥିଲା । ଏହି ଡାକଘରଟି ଦୀର୍ଘ ୨୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏକ ଭଡା ଘରେ ପରିଚାଳିତ ହୋଇ ଆସୁଥିବା ବେଳେ ଏଥିରେ ସାଧାରଣ ଇନ୍ଭଟରଟିଏ ମଧ୍ୟ ଲଗାଯାଇ ନାହିଁ ।
ସେହିପରି ସର୍ବପୁରାତନ ଟେଲିଫୋନ୍ ସରବରାହ ସଂସ୍ଥା ବିଏସ୍ଏନ୍ଏଲ ମଧ୍ୟ ବିଦୁ୍ୟତ୍ ବିଛିନ୍ନ ହେଲେ ଟେଲିଫୋନ୍ ଏବଂ ମୋବାଇଲ ସେବା ବିପର୍ଯ୍ୟସ୍ତ । ଏହାଦ୍ୱାରା ଯୋଗାଯୋଗରେ ବିଭିନ୍ନ ବ୍ୟବସାୟୀକ ସଂସ୍ଥା ଏବଂ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିଦୁ୍ୟତ୍ ସ୍ରୋତ ବିଛିନ୍ନ ଯୋଗୁଁ ବିଭିନ୍ନ ଦୋକାନରେ ଲାଗିଥିବା ଓଜନ କଣ୍ଟା ଅଚଳ ହୋଇପଡୁଥିବା ଫଳରେ ସେମାନଙ୍କର ବ୍ୟବସାୟରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ବାରମ୍ବାର ବିଦୁ୍ୟତ୍ କାଟ୍କୁ ତୁରନ୍ତ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।