ଉପାସରେ ୪ କୋମଳମତି ଶିଶୁ

ମୁନା ପାଇଁ ସରକାରୀ ଯୋଜନା ସାତସପନ
ଓଡାପଡା (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାଣ୍ଡି ପୁଲିଆ ଠାରେ ଏକ ଅସହାୟ ପରିବାରର କରୁଣ ଚିତ୍ର ଦେଖିବାକୁ ମିଳିଛି । ଗରିବ ପ୍ରଜାମାନଙ୍କ ନିମନ୍ତେ ରାଜ୍ୟ ସରକାର ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନ ଓ ଲୋକ ପ୍ରତିନିଧିମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଯୋଜନା ଫାଇଲ୍ ମଧ୍ୟରେ ସିମୀତ ରହି ଯାଇଥିବା ଦେଖିବାକୁ ମିଳିଛି । ଖବର ନେବାରେ ଜଣାଗଲା ଯେ ଗୁଡିଆକାଟେଣୀ ଛକ ନିକଟରେ ଥିବା ନାଣ୍ଡି ପୁଲିଆ ଠାରେ ମୁନା ନାଏକ (୫୦) ନାମକ ଆଦିବାସୀ ପ୍ରଜା ଦୀର୍ଘ ବର୍ଷରୁ ନିକଟ କ୍ରସରେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ ହୋଇ ଆସୁଥିଲେ । ମୁନା ନାଏକଙ୍କର ୪ ଗୋଟି ନାବାଳକ ଶିଶୁ ପୁତ୍ର ଅଛନ୍ତି । କିନ୍ତୁ ସରକାରଙ୍କ ଖାତାରେ ଜଣେ ପ୍ରଜା ଭାବେ ପରିଗଣିତ ହୋଇ ନଥିବା ଜଣାପଡିଛି ।
ମୁନା ନାଏକଙ୍କ ସ୍ତ୍ରୀ ଫାଲଗୁନି ନାଏକ ଗତ ୨ ବର୍ଷ ତଳେ ମୃତୁ୍ୟ ବରଣ କରିବା ପରେ ସେହି ୪ କୋମଳମତି ଶିଶୁ ମା ଛେଉଣ୍ଡ ହୋଇ ଅନାଥ ହୋଇ ଭୋକ ଉପାଷରେ କାଳତିପାତ କରୁଥିବା ଦେଖିବାକୁ ମିଳିଛି । ମୁନା ମୂଲ ମଜୁରି କରିବାପାଇଁ ଯିବାପରେ ୪ ଗୋଟି ଶିଶୁ ବାପାଙ୍କୁ ଚାତକ ଭଳି ଅନାଇ ରହିବାକୁ ବାଧ୍ୟ ହେଉଛନ୍ତି । ୮ ବର୍ଷର ବଡଭାଇ ସାହା ଭରଷା ପାଲଟିଛି । ଏମାନେ ଦିନେ ଖାଇଲେ ଦିନେ ନାହିଁ । ଏ ଅଞ୍ଚଳରେ କ୍ରସର ଏକ କୁଟୀର ଶିଳ୍ପ ପାଲଟିଥିଲା ବେଳେ ଯେଉଁ ଶ୍ରମିକଙ୍କ ଝାଳ ନାଳ ପରିଶ୍ରମର ମାଲିକମାନେ କୋଟିପତି ପାଲଟିଛନ୍ତି ସେମାନଙ୍କ ମଧ୍ୟରେ ମାନବିକତାର ଅଭାବ ଏବଂ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ମୁନା ନାଏକ ଏବଂ ତାଙ୍କର ପରିବାର ମୋ÷÷ଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଭୋକ ଉପାଷରେ କାଳତିପାତ କରୁଥିବା ଦେଖିବାକୁ ମିଳିଛି । ମୁନା ନାଏକଙ୍କର ଘର ମୟୁରଭଞ୍ଜ ଜିଲ୍ଲା ଗୁରୁଆଁ ଥାନା ଜାମୁତି ଗ୍ରାମରେ । ମୁନା ନାଏକଙ୍କର ରେସନ କାର୍ଡ କିମ୍ବା ଆଧାର କାର୍ଡ ନଥିବା ସେ କହିଥିଲେ । ପ୍ରଶାସନ ଏହି ଅସହାୟ ପରିବାରକୁ ସାହା ହେବାପାଇଁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *