ତ୍ରିପାକ୍ଷିକ ଆଲୋଚନା ପୁଣି ବିଫଳ
ସ୍ମାର୍ଟକେମ ଟେକ୍ନୋଲୋଜି ପ୍ରକଳ୍ପ ପ୍ରତିଷ୍ଠା ବିବାଦ
ଛତ୍ରପୁର (ଆପ୍ର): ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ନାମକ ଏକ ସାର କାରଖାନା ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ୨୦ ଖଣ୍ଡ ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି । ଯଦ୍ଦ୍ୱାରା ପ୍ରକଳ୍ପର କାମ ଅଗ୍ରଗତିରେ ବାଧା ଉପୁଜିଛି । ଏହି ବିବାଦର ସମାଧାନ ପାଇଁ ବୁଧବାର ଅପରାହ୍ନରେ ଛତ୍ରପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ସ୍ମାର୍ଟକେମ୍ ଟେକ୍ନୋଲୋଜି କମ୍ପାନୀ କର୍ତ୍ତୃପକ୍ଷ, ପୁଲିସ, ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟି ନ ଥିଲା । ଆଲୋଚନା ପୁଣି ବିଫଳ ହୋଇଥିବା କାଳିପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ବି.ମୋହନ ପାତ୍ର କହିଛନ୍ତି । ପୂର୍ବରୁ ଯେଉଁ ପ୍ରସଙ୍ଗକୁ ନେଇ ଗ୍ରାମବାସୀ ଆନେ୍ଦାଳନ ଜାରି ରଖିଛନ୍ତି, ତାହାର ସବିଶେଷ ତଥ୍ୟ ଆଲୋଚନା ବେଳେ ସନ୍ତୋଷଜନକ ନ ଥିଲା । ଗ୍ରାମବାସୀଙ୍କୁ ବିଭ୍ରାନ୍ତ କଲା ଭଳି କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ଅଧିକାରୀମାନେ ଆଲୋଚନା କରିଥିଲେ । କମ୍ପାନୀ ପ୍ରତିଷ୍ଠା କରାଯିବ କି ନାହିଁ ତାହା ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ଗ୍ରାମରେ ବସି ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।
କମ୍ପାନୀ ପ୍ରତିଷ୍ଠା ଲାଗି ପୂର୍ବରୁ ଜନଶୁଣାଣି କରାଯାଇ ନାହିଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ପ୍ରଦୂଷଣ ବୋର୍ଡରୁ ଆସିଥିବା ଅଧିକାରୀ ଜନଶୁଣାଣିର ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଟାଟା ସେଜ ସମୟରେ ଜନଶୁଣାଣି ହୋଇଥିଲା, ଏହା ସେଜ ପରିସରରେ ହେଉଥିବାରୁ ଜନଶୁଣାଣିର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ଏହାକୁ ନେଇ ଗ୍ରାମବାସୀ ଓ ଅଧିକାରୀଙ୍କ ମଧ୍ୟରେ ଯୁୂକ୍ତିତର୍କ ହୋଇଥିଲା । କାରଖାନା ହେଲେ ସ୍ଥାନୀୟ ଅଞ୍ଚଳରେ ବହୁ କ୍ଷତି ଘଟିବ ପ୍ରସଙ୍ଗକୁ ନେଇ ସନ୍ତୋଷଜନକ ଉତ୍ତର ମଧ୍ୟ ମିଳିଲା ନାହିଁ । ଗ୍ରାମବାସୀଙ୍କ ସହ ଆଲୋଚନା କରି କୌଣସି ନିଷ୍ପତ୍ତି ନ ନେଲା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ଏବଂ କାରଖାନା ନିର୍ମାଣ କାମ ମଧ୍ୟ ବନ୍ଦ ରଖାଯିବ ବୋଲି ଗ୍ରାମବାସୀ କହିଛନ୍ତି । ବୈଠକରେ କାଳିପଲ୍ଲୀ ଗ୍ରାମ୍ୟ କମିଟି ସମେତ ବଡ଼ପୁଟି, ବନ୍ଦର, ଭାଗିନିପେଟା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ଗ୍ରାମବାସୀଙ୍କ ହିତ ଭଳି କିଛି ଆଲୋଚନା ହୋଇ ନ ଥିବାରୁ ଏହି ତ୍ରିପାକ୍ଷୀକ ବୈଠକ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାପାଳ ଏକ ବୈଠକ ଡାକି ସମୂହ ଗ୍ରାମବାସୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ସେ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମ୍ୟ କମିଟିର କାଳିପଲ୍ଲୀ ସଭାପତି ଶ୍ରୀ ପାତ୍ର କହିଛନ୍ତି । ବୈଠକରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଚମାଖଣ୍ଡି ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ, କମ୍ପାନୀ କର୍ତ୍ତୃପକ୍ଷ, କାଳିପଲ୍ଲୀ ଗ୍ରାମ୍ୟ କମିଟିର ଘନଶ୍ୟାମ ସାହୁ, ପି.ଧର୍ମା ରେଡ଼ୀ, ଏସ୍. ଲାଛମେୟା, ବଡ଼ପୁଟି ଗ୍ରାମ୍ୟ କମିଟିର ପି.ମାଙ୍ଗଲେୟା, ବନ୍ଦର ଗ୍ରାମ୍ୟ କମିଟିର ବି.ଜାଗାରାଓ, ଡ଼ି.କ୍ରିଷ୍ଣା ରେଡ଼ି, ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଗ୍ରାମ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।