୧୧ହଜାର କର୍ମଚାରୀଙ୍କୁ ବିଦା କଲା ମେଟା

ସର୍ବସାଧାରଣରେ କ୍ଷମା ମାଗିଲେ ମାର୍କ ଜୁକରବର୍ଗ
ନୁ୍ୟୟର୍କ (ଏଜେନ୍ସି): ଫେସ୍ବୁକ୍, ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍ର ମୂଳ କମ୍ପାନୀ ‘ମେଟା’ ପ୍ଲାଟ୍ଫର୍ମ ବଡ଼ ଧରଣର ଛଟେଇ କରିଥିବା ସୂଚନା ମିଳିଛି । ଟ୍ୱିଟର ପରେ ମେଟା ଦ୍ୱିତୀୟ କମ୍ପାନୀ ଭାବେ ଏପ୍ରକାର କର୍ମଚାରୀଙ୍କୁ ବିଦା କରିଛି । ପ୍ରାପ୍ତ ସୂଚନାନୁସାରେ ଟ୍ୱିଟରର ନୂଆ ମାଲିକାନା ହାସଲ କରିବା ପରେ ପରେ ଏଲନ୍ ମସ୍କ, ଟ୍ୱିଟରର ପ୍ରାୟ ୫ଠ% କର୍ମଚାରୀଙ୍କୁ ବରଖାସ୍ତ କରିଥିବା ବେଳେ ଏବେ ମେଟା କମ୍ପାନୀ ମାଲିକ ମାର୍କ ଜୁକରବର୍ଗ କମ୍ପାନୀର ୧୩% କର୍ମଚାରୀ ଅର୍ଥାତ୍ ପ୍ରାୟ ୧୧ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।
ବୁଧବାର ଏସମ୍ପର୍କରେ ଘୋଷଣା କରିବା ସହ ଜୁକରବର୍ଗ ସର୍ବସାଧାରଣରେ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି । ସମ୍ପ୍ରତି ବିଶ୍ୱ ବଜାରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀକୁ ଏଭଳି ଏକ ଦୁଃଖଦ ନିଷ୍ପତ୍ତି ନେବାକୁ ପଡିଛି ବୋଲି ସେ କହିଛନ୍ତି । ତେବେ ଏଭଳି ଏକ ଅପ୍ରୀତିକର ସ୍ଥିତି ତଥା ନିଷ୍ପତ୍ତି ନେବା ପାଇଁ କମ୍ପାନୀ ପକ୍ଷରୁ ସେ ନିଜକୁ ଉତ୍ତରଦାୟୀ ଭାବେ ଉପସ୍ଥାପିତ କରିଛନ୍ତି । କମ୍ପାନୀର ଏପ୍ରକାର ନିଷ୍ପତ୍ତି ଦ୍ୱାରା ହଜାର ହଜାର କୁଶଳ କର୍ମଚାରୀ ପ୍ରଭାବିତ ହେବା ନେଇ ସେ ଅବଗତ ରହିଛନ୍ତି । ଏଥିପାଇଁ ସେ ନିଜ ଦୁଃଖ ମଧ୍ୟ ବ୍ୟକ୍ତ କରିଛନ୍ତି ।
ମେଟାର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜୁକରବର୍ଗ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂଆ ମାର୍ଗଦର୍ଶିକା, ବିଜ୍ଞାପନରୁ ରାଜସ୍ୱ ହ୍ରାସ ମେଟାବର୍ସ ପ୍ରକଳ୍ପ ପାଇଁ ବ୍ୟାପକ କ୍ଷତିର କାରଣ ସାଜିଛି । କଷ୍ଟ କଟିଂ ମାଧ୍ମୟରେ କମ୍ପାନୀର କର୍ମଚାରୀ ସଂଖ୍ୟାରେ ୧୩% କାଣ୍ଟଛାଣ୍ଟ କରାଯାଉଛି । ତେବେ କମ୍ପାନୀ ପକ୍ଷରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ୪ ମାସର ଦରମା ଏବଂ ପରିବାର ବର୍ଗଙ୍କୁ ୬ମାସର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ ବୋଲି ଜୁକରବର୍ଗ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *