୧୩ ବର୍ଷ ପରେ ଫାଇନାଲ୍ରେ ପାକ୍

ଟି-୨୦ ବିଶ୍ୱକପ୍ ୨୦୨୨
ସିଡ୍ନୀ, ୯ା୧୧ (ଏଜେନ୍ସି): ୧୩ ବର୍ଷ ପରେ ଟି-୨୦ ବିଶ୍ୱକପ୍ର ଫାଇନାଲ୍ର ପ୍ରବେଶ କରିଛି ପାକିସ୍ତାନ । ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ୭ ୱିକେଟ୍ରେ ନୁ୍ୟଜିଲାଣ୍ଡକୁ ମାତ୍ ଦେଇଛି । ଅନ୍ୟପଟେ, କିୱି ଟିମ୍ର ମୁକୁଟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି ।
୧୫୩ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ଟିମ୍ ମହମ୍ମଦ ରିଜୱାନ୍ ଓ ଅଧିନାୟକ ବାବର ଆଜମ୍ଙ୍କ ଶତକୀୟ ଇନିଂସ୍ ସହାୟତାରେ ୫ ବଲ୍ ବାକି ଥାଇ ବିଜୟୀ ହୋଇଥିଲା । ରିଜୱାନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପାକିସ୍ତାନ ୨୦୦୭ରେ ଖେଳାଯାଇଥିବା ପ୍ରଥମ ସଂସ୍କରଣରେ ଫାଇନାଲ୍ରେ ପହଞ୍ଚିଥିଲା; ହେଲେ ଭାରତ ଠାରୁ ହାରି ଯାଇଥିଲା । ୨୦୦୯ ସଂସ୍କରଣରେ ଟିମ୍ ଦ୍ୱିତୀୟ ଥର ଫାଇନାଲ୍ରେ ସ୍ଥାନ ପାଇଥିଲା ଏବଂ ସେଥର ମୁକୁଟ ଜିତିବାରେ ସଫଳ ହୋଇଥିଲା ।
ନୁ୍ୟଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଟିମ୍ର ଧୂଆଁଦାର ଓପନର୍ ଫିନ୍ ଆଲେନ୍ (୪) ନିରାଶ କରିଥିଲେ । ସେ ପ୍ରଥମ ଓଭର୍ରେହିଁ ପେସର୍ ଶାହୀନ ଶାହ ଆଫ୍ରିଦୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଅନ୍ୟତମ ଓପନର୍ ଡେଭନ୍ କନୱେ ଓ ଅଧିନାୟକ କେନ୍ ୱିଲିଅମ୍ସନ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୪ ରନ୍ ଯୋଗ କରିଥିଲେ । କନୱେ ୨୧ ସ୍କୋର୍ରେ ଶାଦାବ ଖାଁଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ ।
ନୂଆ ବ୍ୟାଟର୍ ଗ୍ଲେନ୍ ଫିଲିପ୍ସ ମାତ୍ର ୬ ରନ୍ କରି ମହମ୍ମଦ ନୱାଜ୍ଙ୍କ ଶିକାର ହୋଇଥିଲେ । ୪୯ ରନ୍ରେ ଟିମ୍ ୩ ୱିକେଟ୍ ହରାଇଥିଲା । ଏହାପରେ ୱିଲିଅମ୍ସନ୍ ପରବର୍ତ୍ତୀ ବ୍ୟାଟର୍ ଡାରିଲ୍ ମିଚେଲ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୬୮ ରନ୍ର ଭାଗୀଦାରୀ ହୋଇଥିଲା । ୱିଲିଅମ୍ସନ୍ (୪୨ ବଲ୍ରୁ ୪୬ ରନ୍)ଙ୍କୁ ମାତ୍ର ୪ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ ଶାହୀନ ।
ଏହାପରେ ମିଚେଲ୍ ଓ ଜେମ୍ସ ନିଶାମ୍ଙ୍କ ଇନିଂସ୍କୁ ୧୫୦ ଅତିକ୍ରମ କରାଇଥିଲେ । ରନ୍ରେଟ୍ ବଡ଼ ସମସ୍ୟା ଥିଲା, ଯେଉଁଥିପାଇଁ ଟିମ୍ ୧୫୩ ରନ୍ର ଅପେକ୍ଷାକୃତ ସହଜ ଟାର୍ଗେଟ୍ ଦେଇଥିଲା । ମିଚେଲ୍ ୩୫ ବଲ୍ରୁ ୫୩ ଓ ନୀଶାମ୍ ୧୬ ରନ୍ କରି ଅପରାଜିତ ଥିଲେ ।
ଜବାବରେ ପାକିସ୍ତାନୀ ଟିମ୍ ୧୯.୧ ଓଭର୍ ଖେଳି ୩ ୱିକେଟ୍ ହରାଇ ୧୫୩ ରନ୍ କରି ବିଜୟୀ ହୋଇଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଯେଉଁ ଦୁଇ ଓପନିଂ ଯୋଡ଼ିକୁ ନେଇ ସମାଲୋଚନା କରାଯାଉଥିଲା, ସେମାନଙ୍କ ଯୋଗୁଁ ଟିମ୍ ବିଜୟୀ ହୋଇଥିଲା । ରିଜୱାନ୍ ଓ ଆଜମ୍ ୭୦ ବଲ୍ରୁ ୧୦୫ ରନ୍ର ଭାଗୀଦାରୀ କରିଥିଲେ ।
ପ୍ରଥମ ଓଭର୍ରେ କରିଥିବା ଭୁଲ୍ ନୁ୍ୟଜିଲାଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା । ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱିତୀୟ ବଲ୍ରେ ୱିକେଟ୍କିପର୍ କନୱେ ଓପନର୍ ବାବରଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ । ସେତେବେଳେ ବାବର ଖାତା ବି ଖୋଲି ନ ଥିଲେ । ଏହାପରେ ଯାହା ହେଲା, ତାହା ସମସ୍ତେ ଜାଣନ୍ତି ।
ଓପନିଂ ଯୋଡ଼ିକୁ ଭାଙ୍ଗିବା ପାଇଁ କିୱି ବୋଲର୍ଙ୍କୁ ୧୩ତମ ଓଭର୍ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା । ବାବର ୪୨ ବଲ୍ରୁ ୭ ଚୌକା ସହାୟତାରେ ୫୩ ରନ୍ କରି ବୋଲ୍ଟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରିଜୱାନ (୪୩ ବଲ୍ରୁ ୫ ଚୌକା ସହାୟତାରେ ୫୭) ମଧ୍ୟ ବୋଲ୍ଟଙ୍କ ଶିକାର ହୋଇଥିଲେ ।
ତିନି ନମ୍ବର ବ୍ୟାଟର୍ ହାରିସ୍ ୩୦ ରନ୍ର ଉପଯୋଗୀ ଇନିଂସ୍ ଖେଳିଥିଲେ । ଶାନ୍ ମସୁଦ ୩ ଓ ଇଫିତିଖାର ଅହମଦ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *