ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ରୋଷେଇ କଲେ

ଭୁବନେଶ୍ୱର (ବୁ୍ୟରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ ରୋଷେଇ ବାସ କରି ଖାଇ ଅହୋରାତ୍ର ଧାରଣା ଦେଇଛନ୍ତି କିଡନୀ ରୋଗୀ । ରୋଗ ପାଇଁ ମାଗଣାରେ ଔଷଧ ମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସେମାନେ ଜିଦ୍ ଧରିଛନ୍ତି । ସେମାନଙ୍କ କହିବା କଥା, ଗତଥର ଭଳି ଚଳିତ ଥର ମଧ୍ୟ ସ୍ୱାସ୍ଥ୍ୟ ସଚିବ ଏକା କଥା କହିଛନ୍ତି । କୌଣସି ସକରାତ୍ମକ ସମାଧାନ ନିମନ୍ତେ ସଚିବ ଉଦ୍ୟମ କରି ନ ଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ଔଷଧ ଜୋରଜବରଦସ୍ତ ଖାଇବାକୁ କହିଥିଲେ । ଏହାର କୁ ପ୍ରଭାବ ପଡ଼ିଲେ, ରୋଗୀମାନେ ଖାଉଥିବା ଔଷଧ ଦିଆଯିବ ବୋଲି ମତ ରଖିଥିଲେ ।
ଗତଥର ମଧ୍ୟ ସମାନ କଥା କୁହାଯାଇଥିଲା । ତେବେ ଏହାକୁ ରୋଗୀମାନେ ବିରୋଧ କରିଥିଲେ । ବ୍ଲାକ୍ ଲିଷ୍ଟେଡ୍ ଔଷଧ ଦିଆଯାଉଥିବାରୁ ୨୫ ଜଣ ରୋଗୀଙ୍କ ମୃତୁ୍ୟ ହୋଇଛି ଓ ୧୮ ଜଣଙ୍କ ରିଜେକ୍ସନ ହେଲା ବୋଲି ସ୍ୱାସ୍ଥ୍ୟ ସଚିବକଙ୍କୁ କୁହାଯାଇଥିଲା । ୨୦୨୧ରୁ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ କାହିଁକି ହୋଇନାହିଁ ବୋଲି ପଚାରିବାରୁ, ଉତ୍ତର ଆସିଥିଲା ଆସନ୍ତା ୭ ଦିନ ଭିତରେ ଏହାର ତଦନ୍ତ ହେବ । ତାଙ୍କ କହିବା କଥା ସ୍ୱାସ୍ଥ୍ୟ ବିଭାଗ ଯେଉଁ ଔଷଧ ଦେଉଛି, ସବୁ ପରିକ୍ଷୀତ । ହେଲେ ରୋଗୀମାନେ ଔଷଧ ବଦଳାଇବାକୁ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପରେ ବିଶ୍ୱାସ କରିବାକୁ ଅରାଜି । କାରଣ ତାଙ୍କ କଥାକୁ ବିଶ୍ୱାସ କରି ବହୁତ ଲୋକ ମରିଗଲେ । ତେଣୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଜଣେ ବିଶେଷଜ୍ଞ ଡାକ୍ତର ଯୋଗାଇ ଦେବା ଓ ରୋଗୀମାନେ ଯିଏ ଯେଉଁ ଔଷଧ ଖାଇ ସୁସ୍ଥ ଅଛି ସେହି ଔଷଧ ଦେବାକୁ ଦାବି ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *