ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍
ଟି-୨୦ ବିଶ୍ୱକପ୍ ୨୦୨୨
ଆଡିଲେଡ୍, ୯ା୧୧ (ଏଜେନ୍ସି): ଟି-୨୦ ବିଶ୍ୱକପ୍ ମୁକୁଟ ଠାରୁ ମାତ୍ର ଦୁଇ ପାଦ ଦୂରରେ ରହିଛି ଟିମ୍ ଇଣ୍ଡିଆ । ଫାଇନାଲ୍ ଟିକେଟ୍ ପାଇଁ ଗୁରୁବାର ଇଂଲଣ୍ଡ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ସେନା । ଗ୍ରୁପ୍-୨ ଟପ୍ପର ଭାବେ ଭାରତ ସେମିଫାଇନାଲ୍କୁ ଆସିଥିବା ବେଳେ ଇଂଲଣ୍ଡ ଗ୍ରୁପ୍-୧ର ଦ୍ୱିତୀୟ ଟିମ୍ ଭାବେ ଅନ୍ତିମ-୪ରେ ପହଞ୍ଚିଥିଲା ।
ଟିମ୍ ଇଣ୍ଡିଆର ସାମର୍ଥ୍ୟ:-
୧୫ ବର୍ଷ ପରେ ମୁକୁଟ ଜିତିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଟିମ୍ ଛଅ ବର୍ଷ ପରେ ସେମିଫାଇନାଲ୍ରେ ସ୍ଥାନ ପାଇଛି । ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ଏହି ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ସାମର୍ଥ୍ୟ ରହିଆସିଛନ୍ତି ।
କ୍ଷ ଚର୍ଚ୍ଚାରେ ସୂର୍ଯ୍ୟଙ୍କ ଧମାକା
ସୂର୍ଯ୍ୟକୁମାରଙ୍କ ତିନି ଅର୍ଦ୍ଧଶତକୀୟ ଇନିଂସ୍ ଓ ୩୬୦ ଡିଗ୍ରୀ ସଟ୍ସ କେବଳ ଚର୍ଚ୍ଚାର ବିଷୟ ହୋଇନି, ଟିମ୍କୁ ଜିତାଇବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି । ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେ ପ୍ରଭାବିତ କରିପାରି ନ ଥିଲେହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪୦ ବଲ୍ରୁ ୬୮ ରନ୍ କରିଥିବା ବେଳେ ନେଦରଲାଣ୍ଡ୍ସ ଓ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ସେ ଯଥାକ୍ରମେ ୫୧ (୨୫ ବଲ୍ରୁ) ଓ ୬୧ (୨୫ ବଲ୍ରୁ) ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ସେମିଫାଇନାଲ୍ରେ ବି ତାଙ୍କ ଠାରୁ ଏଭଳି ବଡ଼ ଇନିଂସ୍ ଆଶା କରାଯାଉଛି ।
କ୍ଷ ଜୋର୍ଦାର ଫର୍ମରେ ବିରାଟ
ଏସିଆ କପ୍ରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ଶତକ ହାସଲ କରିଥିଲେ । ଏହାପର ଠାରୁ ସେ ଉତ୍ତମ ଫର୍ମରେ ଅଛନ୍ତି । ଟି-୨୦ ବିଶ୍ୱକପ୍ର ସୁପର୍-୧୨ ପର୍ଯ୍ୟାୟରେ ବିରାଟ ପାକିସ୍ତାନ ବିପକ୍ଷରେ ୫୩ ବଲ୍ରୁ ୮୨ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଏହି ଐତିହାସିକ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଥିଲା । ଡଚ୍ ଟିମ୍ ବିପକ୍ଷରେ ବିରାଟ ୪୪ ବଲ୍ରୁ ୬୨ ଏବଂ ବାଂଲାଦେଶ ବିପକ୍ଷରେ ୪୪ ବଲ୍ରୁ ଅପରାଜିତ ୬୪ ରନ୍ କରିଥିଲେ । ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ତାଙ୍କ ଠାରୁ ଦମ୍ଦାର ପ୍ରଦର୍ଶନ ଆଶା କରିବ ।
କ୍ଷ ଅର୍ଶଦୀପ-ଶାମୀଙ୍କ ପ୍ରଭାବଶାଳୀ ବୋଲିଂ
ଟିମ୍ ଇଣ୍ଡିଆର ପେସ୍ ବୋଲର୍ମାନେ ଏହି ବିଶ୍ୱକପ୍ରେ ପ୍ରଭାବଶାଳୀ ବୋଲିଂ କରିଛନ୍ତି । ଅର୍ଶଦୀପ ସିଂହ ଓ ମହମ୍ମଦ ଶାମୀଙ୍କ ସହିତ ଭୁବନେଶ୍ୱର କୁମାର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଚମକ୍ପ୍ରଦ ପ୍ରଦର୍ଶନ କରିଛନ୍ତି । ଭୁବି ୫ ମ୍ୟାଚ୍ରେ ୬ରୁ କମ୍ ଇକୋନୋମୀ ରେଟ୍ରେ ବୋଲିଂ କରି ୪ ୱିକେଟ୍ ନେଇଛନ୍ତି ।
ଅର୍ଶଦୀପ ତ କମାଲ୍ କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ବାବର ଆଜମ୍ଙ୍କ ସମେତ ୩ ୱିକେଟ୍ ଅକ୍ତିଆର କରିଥିଲେ । ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ୨ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜିମ୍ବାୱେ ବିପକ୍ଷରେ ଗୋଟିଏ ୱିକେଟ୍ ପାଇଥିଲେ । ଏ ଯାବତ୍ ସେ ୧୦ ୱିକେଟ୍ ନେଲେଣି । ଏହାଛଡ଼ା ଅର୍ଶଦୀପଙ୍କ ରୂପରେ ଟିମ୍ ଇଣ୍ଡିଆକୁ ନୂଆ ଡେଥ୍ ଓଭର୍ ବୋଲର୍ ମିଳିପାରିଛି ।
ଅନ୍ୟପଟେ, ମହମ୍ମଦ ଶାମୀ ଟି-୨୦ ବିଶ୍ୱକପ୍ରେ ବେଶୀ ୱିକେଟ୍ ନେଇ ନ ଥିଲେ ବି ଯେତିକି ଓଭର୍ ପକାଇଛନ୍ତି, ସେଥିରେ ବ୍ୟାଟର୍ ରନ୍ କରିବା ପାଇଁ ସଂଘର୍ଷ କରିଛନ୍ତି । ଯେତେବେଳେ ବି ଆବଶ୍ୟକ ପଡ଼ିଛି, ସେ ୱିକେଟ୍ ନେଇଛନ୍ତି । ଏପରିସ୍ଥଳେ ତାଙ୍କ ଓଭର୍ ମ୍ୟାଚ୍ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ଶାମୀଙ୍କ ନିରନ୍ତର ଭଲ ପ୍ରଦର୍ଶନ ଟିମ୍ ପାଇଁ ଲାଭପ୍ରଦ ହୋଇଛି ।
ଟିମ୍ ଇଣ୍ଡିଆର ଦୁର୍ବଳତା:-
ଚଳିତ ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ତିନି ଦୁର୍ବଳତା ସାମ୍ନାକୁ ଆସିଛି । ଓପନିଂ ଯୋଡ଼ି, ସ୍ପିନ୍ ବୋଲିଂ ଓ ଖରାପ ଫିଲ୍ଡିଂ – ଏହି ତିନି ସମସ୍ୟା ଉପରେ ଫୋକସ୍ କରିବାକୁ ହେବ ।
ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି ଟୁର୍ଣ୍ଣାମେଣ୍ଟରେ ଥରେ ବି ୫୦ ରନ୍ର ଭାଗୀଦାରୀ କରି ନାହାନ୍ତି । ରୋହିତ ୪, ୫୩, ୧୫, ୨ ଓ ୧୫ ରନ୍ ସ୍କୋର୍ କରିଛନ୍ତି । ରାହୁଲ ପ୍ରଥମେ ପ୍ରଥମେ ବିଫଳ ହୋଇଥିଲେ, ତେବେ ଏହାପରେ ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ ଲଗାଇ ଫର୍ମକୁ ଫେରିଥିଲେ । ରୋହିତଙ୍କୁ ଫର୍ମକୁ ଫେରିବାକୁ ହେବ ଏବଂ ରାହୁଲ ଫର୍ମ ବଜାୟ ରଖିବାକୁ ହେବ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ରେ ଉଭୟ ଏକ ଭଲ ଭାଗୀଦାରୀ କରିବା ଜରୁରୀ ।
ଫାଇନାଲ୍କୁ ଯିବାକୁ ହେଲେ ଭାରତୀୟ ସ୍ପିନର୍ଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଏହି ବିଶ୍ୱକପ୍ରେ ସେମାନଙ୍କର ପ୍ରଦର୍ଶନ ଆଭରେଜ୍ ରହିଛି । ଅକ୍ଷର ପଟେଲ୍ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଗୋଟିଏ ବି ୱିକେଟ୍ ପାଇ ନ ଥିଲେ । ଜିମ୍ବାୱେ ବିପକ୍ଷରେ ସେ ଗୋଟିଏ ପାଇଥିଲେ ବି ୪୦ ରନ୍ ଦେଇଥିଲେ ।
ଅଶ୍ୱିନ ମଧ୍ୟ କିଛି ଖାସ୍ କରିପାରି ନ ଥିଲେ । ସେ ବି ପାକ୍ ଓ ବାଂଲାଦେଶ ବିପକ୍ଷରେ ୱିକେଟ୍ ନେଇପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪୩ ରନ୍ ଦେଇଥିଲେ । କେବଳ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରି ୨୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ରେ ଯୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦିଆଯାଇପାରେ । ଚହଲଙ୍କ ଇଂଲଣ୍ଡ ବିପକ୍ଷରେ ଭଲ ରେକର୍ଡ ରହିଛି । ସେ ୧୧ ମ୍ୟାଚ୍ ଖେଳି ୧୬ ୱିକେଟ୍ ନେଇଛନ୍ତି ।
ଖରାପ ଫିଲ୍ଡିଂ ଟିମ୍ର ଅନ୍ୟ ଏକ ଦୁର୍ବଳତା । ଏ ଦିଗକୁ ବି ଫୋକସ୍ କରିବାକୁ ହେବ ।
ଅନ୍ୟପଟେ, ଇଂଲଣ୍ଡ ଟିମ୍ର ସବୁଠାରୁ ମଜଭୁତ ପକ୍ଷ ତା’ର ବ୍ୟାଟିଂ । ଏପରିସ୍ଥଳେ ପାୱାରପ୍ଲେରେ ଭାରତୀୟ ଟିମ୍କୁ ଅଧିକରୁ ଅଧିକ ୱିକେଟ୍ ନେବାକୁ ପଡ଼ିବ । ଇଂଲଣ୍ଡ ବି ସ୍ପିନ୍ ଆକ୍ରମଣ ଠାରୁ ସତର୍କ ରହିବାକୁ ହେବ ।