ହେତୁବାଦୀଙ୍କ ସହ ହାତାହାତି
ପାକତ୍ୟାଗ ବିପକ୍ଷରେ ପ୍ରଚାରକୁ ପରମ୍ପରାବାଦୀଙ୍କ ତୀବ୍ର ବିରୋଧ
ଭୁବନେଶ୍ୱର/ବ୍ରହ୍ମପୁର, ୮ା୧୧ (ବୁ୍ୟରୋ): ଚନ୍ଦ୍ରଗ୍ରହଣରେ ଚାଲିଥିବା ହେତୁବାଦୀ ସଙ୍ଗଠନର ସମୂହ ଭୋଜନ କାର୍ଯ୍ୟକ୍ରମକୁ ଗୋବର ମାଡ କରି ବିରୋଧ କରିଛି ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ବ୍ରାହ୍ମଣ ସମାଜ । ଘଟଣାସ୍ଥଳରେ ହେତୁବାଦୀ ସଙ୍ଗଠନ ଓ ବଜରଙ୍ଗୀ କର୍ମୀ ମୁହାଁମୁହିଁ ହେବା ଫଳରେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘଟଣା ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ।
ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମଙ୍ଗଳବାର ହେତୁବାଦୀ-ପରମ୍ପରାବାଦୀ ହାତାହାତତି ହୋଇଛନ୍ତି । ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ । ଏହାକୁ ପରମ୍ପରାବାଦୀମାନେ ତୀବ୍ର ବିରୋଧ କରିଥିଲେୟ । ବଜରଙ୍ଗ ଦଳର କର୍ମୀଙ୍କ ସମେତ ପରମ୍ପରାବାଦୀମାନେ ଆୟୋଜନ ସ୍ଥଳରେ ପହଞ୍ଚି ସାମୂହିକ ଭୋଜନର ଆୟୋଜନକୁ ତୀବ୍ର ବିରୋଧ କରିଥିଲେ । ପରମ୍ପରାବାଦୀର ସଦସ୍ୟମାନେ ହେତୁବାଦୀଙ୍କ ପକ୍ଷରୁ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ । ଏଥି ସହ ଗୋବର ମାଡ଼ କରିଥିଲେ । ଅପରପକ୍ଷେ ଏହାକୁ ହେତୁବାଦୀମାନେ ମଧ୍ୟ ବିରୋଧ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା । ହେତୁବାଦୀଙ୍କ ଖାଦ୍ୟ ଗ୍ରହଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଘଟଣାସ୍ଥଳରେ ପରମ୍ପରାବାଦୀମାନେ ପହଞ୍ଚି ତୀବ୍ର ବିରୋଧ କରିଥିଲେ । ପରମ୍ପରାବାଦୀଙ୍କ ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ଢ଼େଲା ବର୍ଷା ହୋଇଥିଲା । ଯାହାଫଳରେ ଏକାଡ଼େମୀର ଝରକା କାଚ ଭାଙ୍ଗି ଚୁନା ହୋଇଥିବା ନଜରକୁ ଆସିଛି । ଖାଲି ସେତିକି ନୁହେଁ ବରଂ, ପରସ୍ପରକୁ ବିଧା, ଗୋଇଠା ମାରିବା ସହ ଗୋବର ମଧ୍ୟ ଫିଙ୍ଗାଯାଇଥିଲା । ପୁଲିସ୍ ଉପସ୍ଥିତ ଥିଲେ ବି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।
ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ସହ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଥିବାବେଳେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି । ହେତୁବାଦୀମାନେ ଏହା ବିଜ୍ଞାନ ସମ୍ମତ ନୁହେଁ ବୋଲି କହନ୍ତି । ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହିଁ ବୋଲି ମତ ଦିଅନ୍ତି । ଏହାକୁ ପ୍ରମାଣ କରିବାକୁ ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସେମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନର ଆୟୋଜନ କରି ଶେଷରେ ବାଦ ବିବାଦ ଭିତରେ ଚିକେନ୍ ବିରିଆନି ଭୋଜନ କରିଛନ୍ତି । ଚନ୍ଦ୍ରଗ୍ରହଣର ନୀତି ନିୟମକୁ ବେଖାତିର କରି ହେତୁବାଦୀମାନେ ଅପରାହ୍ନରେ ଚିକେନ୍ ବିରିଆନି ଖାଇବା ସହ କହିଛନ୍ତି, ସୂର୍ଯ୍ୟପରାଗରେ ଖାଇଥିଲେ ଆଉ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଏବେ ୧୫ ଦିନ ପରେ ଚନ୍ଦ୍ରଗ୍ରହଣରେ ବି ଚିକେନ୍ ବିରିଆନି ଖାଇଛନ୍ତି । ସ୍ୱାସ୍ଥ୍ୟବାସ୍ଥା ବିଗିଡ଼ିଲେ ପ୍ରତିକ୍ରିୟା ଦେବେ ବୋଲି ସେମାନେ କହିଛନ୍ତି ।