ଐତିହାସିକ ବାଲିଯାତ୍ରା ଉଦ୍ଘାଟିତ

କଟକ, ୮ ।୧୧(ବୁ୍ୟରୋ): ଦୁଇ ବର୍ଷ ପରେ କଟକର ଐତିହାସିକ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ମହାନଦୀ ପଠାରେ ଉଦ୍ଘାଟିତ ହୋଇଛି । ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭବେ ଯୋଗ ଦେଇ ଉସôବକୁ ଉଦଘାଟନ କରିଛନ୍ତି ।
ଏଥର ବାଲିଯାତ୍ରାରେ ପ୍ରାୟ ଦେଢ଼ ହଜାର ଷ୍ଟଲ୍‌ ଲାଗିଛି । ଭଳିକି ଭଳି ଜିନିଷ ସାଙ୍ଗକୁ ଖାଦ୍ୟପେୟ ଷ୍ଟଲ ଏହା ଭିତରେ ଭରି ରହିଛି । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ରାଜ୍ୟର ଏହି ବୃହତ୍ତମ ବାଣିଜି୍ୟକ ମେଳା ବନ୍ଦ ରହିଥିଲା । ତେଣୁ ଏବର୍ଷ ଏହାକୁ ନେଇ ଲୋକେ ବେଶ ଉକ୍ରଣ୍ଠାରେ ଥିଲେ । ଯାତ୍ରା ଆରମ୍ଭ ହୋଇଥିବାରୁ କିଣାକିଣି ସହ ଚଟପଟି ଓ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ପ୍ରଥମ ଦିନରୁ ଭିଡ଼ ହୋଇଛି । ସନ୍ଧ୍ୟାରେ ସାଙ୍ଗସାଥୀ ଓ ପରିବାର ସହ ଆସିଥିବା ଲୋକେ ରାମ ଦୋଳି, ଡିସ୍କୋ ଦୋଳିରେ ବସି ଖୁବ୍‌ ମଜା ନେଇଛନ୍ତି । ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି ।
ଉଦ୍ଘାଟନୀ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ସାଂସଦ ଅନୁଭବ ମହାନ୍ତି, ମେୟର ସୁବାସ ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କେନ୍ଦ୍ରାଞ୍ଚଳ ଆର୍ଡ଼ିସି ସୁରେଶ ଚନ୍ଦ୍ର ଦଳାଇ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସମେତ ଅନେକ ବିଧାୟକ, ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏଥର ମୋଟ ୪୨.୫ ଏକର ପରିମିତ ଜମିରେ ବାଲିଯାତ୍ରା ଆୟୋଜନ କରାଯାଇଛି । ସେଥିରୁ ୩୪ ଏକର ତଳ ପଡିଆ ଏବଂ ୮.୫ ଏକର ଉପର ପଡିଆ । ଏଥିରେ ପ୍ରାୟ ୧୪ଶହ ପ୍ଲଟ ଅଛି । ୧୦ଟି ସଂସ୍ଥାର ପ୍ରାୟ ୮୦ଟି ଦୋଳି ଏବଂ ଓରମାସର ୪୨୦ ଷ୍ଟଲ ପଡଛି ।
ଚଳିତବର୍ଷ ପ୍ରଶାସନ ପକ୍ଷରୁ ବାଲିଯାତ୍ରାକୁ ନୂତନ ରୂପ ରେଖା ଦେବା ଲାଗି ପ୍ରଚେଷ୍ଟା କରାଯାଇଛି । ଏଥିରେ କଟକ ଇନ୍ କଟକ ନାମରେ ଏକ ପାର୍କ କରାଯାଇ ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଓ କୀର୍ତ୍ତିରାଜକୁ ସ୍ଥାନିତ କରାଯାଇଛି । ସେହିପରି ପ୍ରଥମଥର ଲାଗି ଲେଜର ସୋ ମହାନଦୀ ପାଣିରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରତିଦିନ ପଥୋତ୍ସବ ଯୋଗ ଶିବିର ଆୟୋଜନ କରାଯିବ । ଦର୍ଶକଙ୍କ ଲାଗି ୱାଟର ସ୍କୁଟର ଓ ବମ୍ପର ବ୍ୟବସ୍ଥା କରାଯାଇଛି ।
ପ୍ରତିଦିନ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ, ବଲିଉଡ ଓ ଓଲିଉଡର ଷ୍ଟାରମାନେ ଗୀତ ପରିବେଷଣ କରିବେ । ଅନ୍ୟପକ୍ଷରେ ଗିନିଜ ବୁକ ରେକର୍ଡ ଲାଗି ପ୍ରଚେଷ୍ଟା କରାଯାଇଛି । ୧୫ ମିନିଟ ମଧ୍ୟରେ ୧୦ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଉଦ୍ୟମ ଜାରି ରହିଛି । ବୁଲାବୁଲି ସାଙ୍ଗକୁ ଚଟପଟି ଖାଦ୍ୟର ମଜା ଉଠାଇବା ଲାଗି ଏହାର ପରିସରରେ ଫୁଡ କୋର୍ଟ ନିର୍ମାଣ କରାଯାଇଛି । ଏହାମଧ୍ୟରେ ଦେଶୀ ଓ ବିଦେଶୀ ଖାଦ୍ୟ ପାଇପାରିବେ । ଏଥିଲାଗି ୪୮ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *