ଆଜି ପାକ୍-ନୁ୍ୟଜିଲାଣ୍ଡ ସେମିଫାଇନାଲ୍
ଟି-୨୦ ବିଶ୍ୱକପ୍ ୨୦୨୨
ସିଡ୍ନୀ, ୮ା୧୧ (ଏଜେନ୍ସି): ବୁଧବାର ଠାରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ ୨୦୨୨ର ସେମିଫାଇନାଲ୍ ପର୍ଯ୍ୟାୟ । ପ୍ରଥମ ସେମିଫାଇନାଲ୍ରେ ନୁ୍ୟଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ସୁପର୍-୧୨ ପର୍ଯ୍ୟାୟରେ ନୁ୍ୟଜିଲାଣ୍ଡ ୭ ପଏଣ୍ଟ ସହ ଗ୍ରୁପ୍-୧ର ଟପ୍ପର ଥିବା ବେଳେ ପାକିସ୍ତାନ ଗ୍ରୁପ୍-୨ରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ବିଶ୍ୱକପ୍ ରେକର୍ଡ ଦୃଷ୍ଟିରୁ ପାକିସ୍ତାନର ପଲା ଭାରୀ ଥିଲେହେଁ ମଜଭୁତ କିୱି ଟିମ୍କୁ ହରାଇବା ତା’ପକ୍ଷେ ଏତେ ସହଜ ହେବ ନାହିଁ । ନକ୍ଆଉଟ୍ରେ ଉଭୟ ଟିମ୍ କି ପ୍ରକାର ରଣକୌଶଳ ଆପଣାଇବେ, ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ମ୍ୟାଚ୍ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।
ଟସ୍ ଜିତିବା ଟିମ୍ ବାଛିପାରେ ବ୍ୟାଟିଂ
ସିଡ୍ନୀରେ ଚଳିତ ବିଶ୍ୱକପ୍ର ଏ ଯାବତ୍ ଛଅଟି ମ୍ୟାଚ୍ ଖେଳାଯାଇଛି । ପାଞ୍ଚ ଥର ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଓ ଥରେ ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ବିଜୟ ହାସଲ କରିଛି । ପାଞ୍ଚ ଥର ଟସ୍ ଜିତିଥିବା ଟିମ୍ ପ୍ରଥମେ ବ୍ୟାଟିଂ ନେଇଛି । ପ୍ରଥମେ ବ୍ୟାଟିଂ କରି ଚାରି ଥର ୧୮୦ରୁ ଅଧିକ ସ୍କୋର୍ ହୋଇଛି । ଏପରିସ୍ଥଳେ ନୁ୍ୟଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସେମିଫାଇନାଲ୍ରେ ଟସ୍ ଜିତିବା ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ସ୍ଥିର କରିପାରନ୍ତି ।
ଏଠାରେ ଓଭର୍ଅଲ୍ ୧୬ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି । ୧୦ ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଓ ଛଅ ମ୍ୟାଚ୍ ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ଜିତିଛି । ଏହି ସମୟରେ ପ୍ରଥମ ଇନିଂସ୍ର ଆଭରେଜ୍ ସ୍କୋର୍ ୧୭୨ ଓ ଦ୍ୱିତୀୟ ଇନିଂସ୍ର ଆଭରେଜ୍ ସ୍କୋର୍ ୧୩୨ ରନ୍ ରହିଛି ।
ବିଶ୍ୱକପ୍ରେ ଛଅ ଥର ମୁହାଁମୁହିଁ ହୋଇଛନ୍ତି ପାକ୍-କିୱି
ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ର ଅଷ୍ଟମ ସଂସ୍କରଣ ଜାରି ରହିଛି । ଏହା ପୂର୍ବରୁ ସାତ ସଂସ୍କରଣରେ ପାକିସ୍ତାନ ଓ ନୁ୍ୟଜିଲାଣ୍ଡ ଛଅ ଥର ମୁହାଁମୁହିଁ ହୋଇଛନ୍ତି । ସେଥି ମଧ୍ୟରୁ ପାକିସ୍ତାନ ଚାରି ଥର ଓ ନୁ୍ୟଜିଲାଣ୍ଡ ଦୁଇ ଥର ବିଜୟ ହାସଲ କରିଛି । ୨୦୨୧ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଟିମ୍ ନୁ୍ୟଜିଲାଣ୍ଡକୁ ୫ ୱିକେଟ୍ରେ ହରାଇଥିଲା । ଦିନିକିଆ ଓ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍କୁ ବିଚାରକୁ ନେଇ ଉଭୟ ଟିମ୍ ମଧ୍ୟରେ ତିନି ଥର ମୁକାବିଲା ହୋଇଛି ଏବଂ ପାକ୍ ଟିମ୍ ସମସ୍ତ ମ୍ୟାଚ୍ ଜିତିଛି ।
ଓଭର୍ଅଲ୍ ଉଭୟ ଟିମ୍ ମଧ୍ୟରେ ୨୮ ଟି-୨୦ ଆନ୍ତର୍ଜାତିକ ଖେଳାଯାଇଛି । ପାକିସ୍ତାନ ୧୭ ଓ ନୁ୍ୟଜିଲାଣ୍ଡ ୧୧ ମ୍ୟାଚ୍ ଜିତିଛି । ଚଳିତ ବର୍ଷ ଅକ୍ଟୋବର ୧୪ରେ ତ୍ରିକୋଣୀୟ ଶୃଙ୍ଖଳା ଫାଇନାଲ୍ ସମୟରେ ଉଭୟ ଟିମ୍ ଶେଷ ଥର ମୁହାଁମୁହିଁ ହୋଇଥିଲେ । ସେତେବେଳେ ପାକିସ୍ତାନ ୫ ୱିକେଟ୍ରେ ଜିତିଥିଲା ।
ନୁ୍ୟଜିଲାଣ୍ଡର ସାମର୍ଥ୍ୟ ଓ ରଣକୌଶଳ
ସ୍ୱିଙ୍ଗ୍ ଓ ସ୍ପିନ୍ ବୋଲର୍ ନୁ୍ୟଜିଲାଣ୍ଡ ଟିମ୍ର ସବୁଠାରୁ ବଡ଼ ସାମର୍ଥ୍ୟ । ଲୋକୀ ଫର୍ଗୁ୍ୟସନ୍ ସ୍ପିନର୍ଙ୍କ ସହିତ ମିଡିଲ୍ ଓଭର୍ସରେ ୱିକେଟ୍ ନେଉଛନ୍ତି । ଏହାଛଡ଼ା ସାଣ୍ଟନର୍ଙ୍କ ବାମହାତି ଅର୍ଥୋଡକ୍ସକୁ ହିଟ୍ କରିବା ସହଜ ନୁହେଁ ।
ବ୍ୟାଟିଂରେ ଫିନ୍ ଆଲେନ୍ ଟିମ୍କୁ ଦ୍ରୁତ ଆରମ୍ଭ ଦେଉଛନ୍ତି । ଡେଭନ୍ କନୱେ ଓ ଅଧିନାୟକ କେନ୍ ୱିଲିଅମ୍ସନ୍ ଗୋଟିଏପଟ ସମ୍ଭାଳି ପାରନ୍ତି । ଚାରି ନମ୍ବରରେ ଆକ୍ରମଣାତ୍ମକ ବ୍ୟାଟର୍ ଗ୍ଲେନ୍ ଫିଲିପ୍ସ ଆସନ୍ତି । ନୀଶାମ, ଡାରିଲ୍ ମିଚେଲ୍ ଓ ମିଚେଲ୍ ସାଣ୍ଟନର୍ଙ୍କ ଯେକୌଣସି ମ୍ୟାଚ୍ର ଦିଗକୁ ନିଜ ବ୍ୟାଟିଂ ବଳରେ ବଦଳାଇ ପାରନ୍ତି ।
କିୱି ଟିମ୍ ସେମିଫାଇନାଲ୍ରେ ସେହି ରଣକୌଶଳ ଆପଣାଇପାରେ, ଯାହା ସେ ଟୁର୍ଣ୍ଣାମେଣ୍ଟରେ ଏ ଯାବତ୍ ଆପଣାଇ ଆସୁଛି । ଟିମ୍ ଟସ୍ ଜିତିବାସ୍ଥଳେ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ ଏବଂ ପାୱାରପ୍ଲେରେ ତା’ର ଓପନର୍ ହଲ୍ଲା ବୋଲ୍ ମନୋଭାବ ସହ ଖେଳିବେ । ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦୀଙ୍କ ଯୋଡ଼ି ପାୱାରପ୍ଲେରେ ବାବରଙ୍କ ସମେତ ପାକିସ୍ତାନର ଶୀର୍ଷକ୍ରମକୁ ସଅଳ ବିଦା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।
ପାକିସ୍ତାନର ସାମର୍ଥ୍ୟ ଓ ରଣକୌଶଳ
ମହମ୍ମଦ ହାରିସ୍, ଇଫତିଖାର ଅହମ୍ମଦ ଓ ଶାଦାବ ଖାଁଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହି ବିଶ୍ୱକପ୍ରେ ଟିମ୍ର ବଡ଼ ସାମର୍ଥ୍ୟ ହୋଇଛି । ଏହା ସହ ପେସର୍ ଶାହୀନ ଶାହ ଆଫ୍ରିଦୀ ଫର୍ମକୁ ଫେରିବା ମଧ୍ୟ ଟିମ୍ ପାଇଁ ବଡ଼ କଥା । ରାଉଫ୍, ନସୀମ ଓ ମହମ୍ମଦ ୱାସିମ୍ଙ୍କ ପେସ୍ ବ୍ୟାଟେରୀ ଶାହୀନଙ୍କ ସହ ମିଶି ଯେକୌଣସି ବ୍ୟାଟିଂ ୟୁନିଟ୍କୁ ଅଡ଼ୁଆରେ ପକାଇପାରନ୍ତି । ଏହାଛଡ଼ା ସ୍ପିନର୍ ଶାଦାବ ଖାଁ ମଧ୍ୟ ପ୍ରଭାବିତ କରିପାରିଛନ୍ତି ।
ପାକିସ୍ତାନର ଦୁଇ ଓପନର୍ ଟିମ୍ର ସବୁଠାରୁ ବଡ଼ ଦୁର୍ବଳତା ହୋଇଛନ୍ତି । ଟିମ୍ ପକ୍ଷରୁ ନୂଆ ଓପନିଂ ଯୋଡ଼ି ଖେଳିପାରନ୍ତି । ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ମଧ୍ୟରୁ ଜଣେ ମଧ୍ୟକ୍ରମକୁ ଯାଇ ହାରିସ୍ଙ୍କୁ ଓପନିଂ ପାଇଁ ପଠାଯାଇପାରେ । ଟସ୍ ଜିତିବା ସ୍ଥଳେ ଟିମ୍ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର୍ ଛିଡ଼ା କରିବା ପାଇଁ ପ୍ରୟାସ କରିବ ।