ପ୍ରଶାସନ ଉପଯୁକ୍ତ ସମ୍ମାନ ଦେଉ ନ ଥିବାରୁ କ୍ଷୋଭ
ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ
ବେତନଟୀ (ଆପ୍ର): ବରିଷ୍ଟ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ମିଳୁ ନ ଥିବା ଓ ପ୍ରଶାସନ ଦାବି ପୂରଣ କରିବାରେ ଅସହାୟତା ପ୍ରକାଶ କରିବାରୁ ବରିଷ୍ଠ ନାଗରିମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବରିଷ୍ଠ ନାଗରିକ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ହିମାଂଶୁ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଫରେଷ୍ଟ ପ୍ରୋଟେକ୍ସନ କମିଟିର ସଭାପତି ଡ. ଶ୍ୟାମସୁନ୍ଦର ଦାସ, ସ୍ୱତନ୍ତ୍ର ଅତିଥି ପ୍ରାକ୍ତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ, ସମ୍ମାନିତ ଅତିଥି ଭାବେ ରାଧାମୋହନ ବେହେରା, ଅର୍ଜୁନ ସାମଲ, ଅମରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପ୍ରଣତି ଅର୍ପଣ ପ୍ରର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସାଧାରଣ ସମ୍ପାଦକ ଜୟନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାଜରେ ବରିଷ୍ଠ ନାଗରିକ ଯେ ଅବହେଳିତ ନୁହିଁନ୍ତି ତାହା ଏହି କାର୍ଯ୍ୟକ୍ରମରେ ପ୍ରତିପାଦିତ ହୋଇଥିଲା ।
ବିଗତ ୪ବର୍ଷରେ ବରିଷ୍ଠ ନାଗରିକମାନେ ଅନେକ ଉନ୍ନୟନ କାର୍ଯ୍ୟ କରି ସେମାନେ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି । ସଂଘର ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କିଭଳି କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମ୍ପାଦକ ସଦସ୍ୟଙ୍କୁ ଅବଗତ କରାଇଥିଲେ । ବେତନଟୀକୁ ଏନ୍ଏସି ମାନ୍ୟତା ପ୍ରଦାନ, ବେତନଟୀ ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ମାନ୍ୟତା, ରେଳବାଇର ଉନ୍ନତି କଳ୍ପେ ବିଭିନ୍ନ ଯୋଜନା ହାତକୁ ନିଆଯାଇ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବ୍ୟାପ୍ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକଙ୍କୁ ଯେତିକି ସରକାରୀ ସୁବିଧା ମିଳିବା କଥା ତାହା ନ ମିଳିବା ଏପରିକି ପ୍ରଶାସନ ମଧ୍ୟ ଉପଯୁକ୍ତ ସମ୍ମାନ ଦେଉ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା ।
ଏହି ଅବସରରେ ବରିଷ୍ଠ ନାଗରିକ ଭାସ୍କର ଚନ୍ଦ୍ର ଦ୍ୱିବେଦୀ, ଗୌତମ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଗାମୀ ୩ ବର୍ଷ ନିମନ୍ତେ ସଂଘର ନୂତନ ତାଲିକା ପ୍ରକାଶ କରାଯାଇଥିଲା । ବରିଷ୍ଠ ନାଗରିକଙ୍କୁ ଟ୍ରେନରେ ରିହାତି ମିଳିବା ଦାବିରେ ସ୍ମାରକପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ଦୀପ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।