ଖୁସିମନରେ ଘରକୁ ଫେରିଲେ ହବିଷ୍ୟାଳୀ

ଶେଷ ହେଲା କାର୍ତ୍ତିକ ବ୍ରତ
ପୁରୀ (ବୁ୍ୟରୋ): କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା’ମାନେ । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡ. କନୱର ବିଶାଲ ସିଂହ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ମା’ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ମାସ ସାରା ନିଜ ପରିବାର ଛାଡ଼ି ଏହି ନିବାସରେ ରହିଥିଲେ । ସେମାନଙ୍କ ସେବା ଓ ସ୍ୱଚ୍ଛନ୍ଦ ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ । ମା’ମାନେ ମଧ୍ୟ ନିଜ ମହାନ୍ ଗୁଣରେ ଏଇ ମାସ ସାରା ସହଯୋଗ କରିଛନ୍ତି । ଏହି ମାସର ଅଭିଜ୍ଞତା ଆଗାମୀ ଦିନରେ ପ୍ରଶାସନକୁ ଅଧିକ ଋଦ୍ଧିମନ୍ତ ଓ କ୍ରିୟାଶୀଳ କରିବ ବୋଲି କହିବା ସହ ପ୍ରତ୍ୟେକ ମା’ମାନଙ୍କୁ ଜିଲ୍ଲାପାଳ ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ଫଳ ପ୍ରଦାନ କରିଥିଲେ । ମା’ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷମାନଙ୍କ ଠାରୁ ଚଳିତ ବର୍ଷର ରାଇଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ ।
ସରକାର ଓ ପ୍ରଶାସନ ଖୁବ୍ ଭଲ ଭାବରେ ଆମ ଦାୟିତ୍ୱ ନେବା ସହ ବୃନ୍ଦାବତୀ ପୂଜା, ସ୍ୱେଚ୍ଛାସେବୀଙ୍କ ସହଯୋଗ ଓ ସେବା, ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ଭଲ ଥିଲା । ମାସେ କେମିତି କଟିଗଲା ଜଣାପଡ଼ିଲା ନାହିଁ । ଘରୁ ଆସିଥିଲା ବେଳେ କେମିତି କ’ଣ ହେବ ବୋଲି ଆଶଙ୍କାରେ ଥିଲୁ । ଏବେ ଏଠା ଛାଡ଼ିଗଲା ବେଳେ ମାସକର ସ୍ନେହ ମମତାକୁ ଭାବି ଦୁଃଖ ଲାଗୁଛି । ଇଶ୍ୱରଙ୍କ ଆଶୀର୍ବାଦ ଥିଲେ ପୁଣି ଆରବର୍ଷକୁ ଆସିବୁ ବୋଲି କୋହଭରା କଣ୍ଠରେ କହୁଥିଲେ ମା’ମାନେ । ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଦୃଷ୍ଟିରୁ ଆଜି ନିଜ ନିଜ ଘରକୁ ଫେରିବା ବେଳେ ମା’ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା । ସମସ୍ତ ହବିଷ୍ୟାଳୀ କେନ୍ଦ୍ରମାନଙ୍କରେ ମଧ୍ୟ ଅନୁରୂପ ଭାବେ ଭୋଗ ଓ ଫଳ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ରଞ୍ଜନ ବେହେରା, ରାକେଶ କୁମାର ପଣ୍ଡା, ଆଶୁତୋଷ ଦେ, ପୁରୀ ତହସିଲଦାର କ୍ଷିରୋଦ ବେହେରା, ପୁରୀ ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ, ଆର୍ଟିଓ ରବିନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡ଼ା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *