ପଦ୍ମପୁର ପାଇଁ ୩ ଦଳଙ୍କ ପାଗଭିଡ଼ା

ଭୁବନେଶ୍ୱର, ୮ା୧୧ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ଯୋଦ୍ଧାକୁ ପ୍ରସ୍ତୁତ କରିବାକୁ ଲାଗିପଡ଼ିଲେଣି । ବିଜେଡି ଏହି ଉପନିର୍ବାଚନ ପାଇଁ ମଙ୍ଗଳବାର ଦାୟିତ୍ୱ ବାଣ୍ଟିଥିବାବେଳେ ଧାମନଗର ପରେ ଏବେ ପଦ୍ମପୁର ଉପନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ହେବ । ତେଣୁ ବିଜେଡି ତରଫରୁ ଉପନିର୍ବାଚନ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି । ସେହିପରି କିଭଳି ବିଜେପି ପଦ୍ମପୁର ଉପନିର୍ବାଚନରେ ବାଜିମାତ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି । ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ୱ ଦେଇଥିବା ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜେଡ଼ି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ପ୍ରଚାର ଓ ପରିଚାଳନା ମଙ୍ଗ ଧରିବେ । ତା’ସହ ତିନି ମନ୍ତ୍ରୀଙ୍କୁ ତିନି ବ୍ଲକ ଦାୟିତ୍ୱ ଦିଆଯାଇଛି । ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, ପାଇକମାଳ ପାଇଁ ମନ୍ତ୍ରୀ ନବ ଦାସ ଏବଂ ଝାରବନ୍ଧ ବ୍ଲକ ପାଇଁ ରାଜେନ୍ଦ୍ର ଢୋଲକିଆଙ୍କୁ ଦାୟିତ୍ୱ ଦିଆଯାଇଛି । ତାସହ ବିଭିନ୍ନ ଜୋନ ଦାୟିତ୍ୱରେ ପଶ୍ଚିମ ଓଡ଼ିଶା ବିଭିନ୍ନ ନେତା ରହିବେ । ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ, ନିରଞ୍ଜନ ବିଶି, ରୋହିତ ପୂଜାରୀଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଛି । ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ୱ ବଣ୍ଟାଯିବ ବୋଲି ଦଳ ପକ୍ଷରୁ ପ୍ରକାଶ ପାଇଛି ।
ସେପଟେ ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ବିଜେପି । ଦଳର ସାଧାରଣ ସମ୍ପାଦକ ଶ୍ରୀ ହରିଚନ୍ଦନ କହିଛନ୍ତି, ଖୁବ ଶୀଘ୍ର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ପ୍ରଭାରୀ ଡି ପୁରନେ୍ଦଶ୍ୱରୀ ଆସିବେ । ପ୍ରାଥମିକ ସ୍ତରରେ ଦଳର ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଦଳୀୟ କାର୍ଯ୍ୟର ପ୍ରଚାର ପ୍ରସାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜାନା ଓ ରାଜ୍ୟ ସରକାରଙ୍କ ବିଫଳତାର ପ୍ରଚାରପ୍ରସାର କରାଯିବ । ନିର୍ବାଚନବେଳେ ସମସ୍ତ ବିଧାୟକ ସମେତ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସେଠାରେ ରହିବାକୁ କୁହାଯାଇଛି । କଂଗ୍ରେସ ବି ବିଭିନ୍ନ ଜୋନ୍ରେ ନିଜ ନେତାଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ନିର୍ବାଚନ ଜିତିବ ବୋଲି ସନ୍ତୋଷ ସିଂ ସାଲୁଜା କହିଥିବାବେଳେ ପଦ୍ମପୁରରେ କଂଗ୍ରେସ ଭଲ କରିବ, ସେଠାରେ ଦଳୀୟ ଭୋଟ ଅଛି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।
ସେପଟେ ବିଜେପି କୃଷକ ସେଲ୍ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଦଳର ଟିକେଟ୍ ଦୌଡରେ ଆଗରେ ରହିଛନ୍ତି । ଶ୍ରୀ ପୁରୋହିତ ପୁନର୍ବାର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ୪ ଜଣିଆ ନାମ ଏଆଇସିସିକୁ ପ୍ରଦାନ କରାଯାଇଛି । ବିଜେଡି ନିଜର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛି । ୧୦ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବାରୁ ଦିନେ ୨ ଦିନ ମଧ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନରେ ବିଜୟୀ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରୁ ମୋଟ ୮୩,୨୯୯ ଭୋଟ୍ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୫୬୫ ଭୋଟ୍ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୨,୭୮୭ ଖଣ୍ଡ ଭୋଟ ପାଇଥିଲେ । ତେଣୁ ଏଠାରେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ । ଯଦି କଂଗ୍ରେସ ପୂର୍ବଭଳି ନ ଲଢେ, ତେବେ ତାହାର ଭୋଟ ନିର୍ଣ୍ଣାୟକ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୯୫୧ରୁ ୨୦୧୯ ମଧ୍ୟରେ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୬ ଥର ନିର୍ବାଚନ ହୋଇଛି । ବିଜେଡି ଏହି ଆସନକୁ ୩ଥର ( ୨୦୦୦, ୨୦୦୯, ୨୦୧୯) ଓ ବିଜେପି ଏହି ଆସନକୁ ଥରେ କେବଳ ମାତ୍ର (୨୦୧୪) ବିଜୟୀ ହୋଇଛି । ଅପରପକ୍ଷରେ କଂଗ୍ରେସ ଏହି ଆସନକୁ ସର୍ବାଧିକ ୭ଥର (୧୯୫୧, ୧୯୬୧, ୧୯୭୧, ୧୯୭୪, ୧୯୮୦, ୧୯୮୫ ଏବଂ ୨୦୦୪) ଜିତିଛି । ଅନ୍ୟ ଦଳ ଗୁଡ଼ିକ ମଧ୍ୟ ଜନ କଂଗ୍ରେସ (୧୯୬୭) ଏବଂ ଗଣତନ୍ତ୍ର ପରିଷଦ (୧୯୫୭) ଥରେ ଲେଖାଏଁ ଏହି ଆସନରେ ବିଜୟୀ ହୋଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *