ରାଜରାସ୍ତାରେ କିଡ୍ନୀ ରୋଗୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ନିବାସ ସାମ୍ନାରେ କିଡ୍ନୀ ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସୋମବାରଠାରୁ ଧାରଣା ଦେଇଛନ୍ତି । ରୋଗୀ ଚିକିତ୍ସାରେ ଅସନ୍ତୋଷ ବ୍ୟକ୍ତି କରି ଏମାନେ ଧାରଣା ଦେଇଥିବାବେଳେ ସୋମବାର ଅହୋରାତ୍ର ରୋଗୀମାନେ ଧାରଣାରେ ବସିଥିଲେ । ମନ୍ତ୍ରୀ ସେମାନଙ୍କ ଦାବିକୁ ଗୁରୁତ୍ୱ ନ ଦେବାରୁ ମଙ୍ଗଳବାର ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାର ସେମାନଙ୍କର ଦାବି ନ ଶୁଣିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।
ସଠିକ ଔଷଧ ଏବଂ କୀଡ୍ନୀ ଡାକ୍ତର ଦାବି ନେଇ କିଡନି ରୋଗୀମାନେ ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ, ଡିସିପି ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ଭଲ ମେଡ଼ିସିନ ଯୋଗାଇଦେବା ପ୍ରତିଶ୍ରୁତି ମିଳିବା ପରେ କୀଡନ୍ ରୋଗୀମାନେ ଧାରଣରୁ ଉଠିଯାଇଥିଲେ । ମାତ୍ର ଥରେ ଭଲ ମେଡ଼ିସିନ ଦେଇ ପୁଣି ଥରେ ଡୁପ୍ଲିକେଟ ମେଡ଼ିସିନ ଦେବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ସମ୍ମୁଖରେ ସୋମବାରଠାରୁ ସେମାନେ ଧାରଣା ଦେଇଛନ୍ତି । ଯଦି ସରକାର ତାଙ୍କ କଥା ନ ଶୁଣନ୍ତି ତେବେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଅନ୍ୟପକ୍ଷରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ଦୁଇ ଦିନ ହେଲା ଧାରଣା ଜାରି ରଖିଥିବାରୁ ମନ୍ତ୍ରୀଙ୍କ ଘର ଭିତରୁ କେହି ବି ବାହାରକୁ ଆସିପାରୁ ନାହାନ୍ତି କି କେହି ଭିତରକୁ ମଧ୍ୟ ଯାଇପାରୁ ନାହାନ୍ତି । ଫଳରେ ପୁଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଛି ।