ବିକ୍ରମ-ଏସ୍ ଲଞ୍ଚିଂ ପାଇଁ ପ୍ରସ୍ତୁତ

ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍
ହାଇଦରାବାଦ୍, ୮ା୧୧: ସ୍କାଇରୁଟ୍ ଏରୋସ୍ପେସ୍ ନାମକ ହାଇଦରାବାଦ ସ୍ଥିତ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ପକ୍ଷରୁ ଆସନ୍ତା ୧୨ରୁ ୧୬ ତାରିଖ ଭିତରେ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ଉତକ୍ଷେପଣ କରାଯିବ । ବିକ୍ରମ-ଏସ୍ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ସ୍କାଇରୁଟ୍ର ଏହି ପ୍ରଥମ ମିଶନର ନାମ ଦିଆଯାଇଛି ‘ପ୍ରାରମ୍ଭ’ । ପ୍ରଥମ ମିଶନରେ ରହିବ ୩ କଷ୍ଟମର ପେଲୋଡ୍ । ଏହାକୁ ଇସ୍ରୋର ଶ୍ରୀହରିକୋଟା ସ୍ଥିତ ଲଞ୍ଚ୍ପ୍ୟାଡ୍ରୁ ଉତକ୍ଷେପଣ କରାଯିବ । ପାଣିପାଗ ସ୍ଥିତିକୁ ଚାହିଁ ଚୂଡାନ୍ତ ଲଞ୍ଚିଂ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି କମ୍ପାନୀର ସିଇଓ ତଥା ସହ ପ୍ରତିଷ୍ଠାତା ପବନ କୁମାର ଚନ୍ଦନା ମଙ୍ଗଳବାର କହିଛନ୍ତି ।
ସ୍କାଇରୁଟ୍ ଏରୋସ୍ପେସ୍ ଅନ୍ତରୀକ୍ଷକୁ ରକେଟ୍ ଲଞ୍ଚ୍ କଲେ ଏକ ନୂଆ ଯୁଗର ଆରମ୍ଭ ହେବ । କାରଣ ଏପର୍ଯ୍ୟନ୍ତ ଭାରତରେ କେବଳ ସରକାରୀ ଉଦ୍ୟୋଗ ଇସ୍ରୋ ମହାକାଶ କାର୍ଯ୍ୟକ୍ରମ ଜାରି ରଖିଆସିଛି । ମହାକାଶଯାନ ଉତ୍କ୍ଷେପଣରେ ଘରୋଇ କ୍ଷେତ୍ରକୁ ସାମିଲ କରିବା ପାଇଁ ୨୦୨୦ରେ ନିଷ୍ପତ୍ତି ନିଆଯାଇଥିଲା । ବିକ୍ରମ-ଏସ୍ ସଫଳ ହେଲେ ଦେଶରେ ରକେଟ୍ ଲଞ୍ଚିଂ ପ୍ରକ୍ରିୟା ୩୦-୪୦ ପ୍ରତିଶତ ଶସ୍ତା ହେବ ।
କମ୍ପାନୀର ଚିଫ୍ ଅପରେଟିଂ ଅଫିସର ନାଗା ଭାରତ ଡାକା କହିଛନ୍ତି, ବିକ୍ରମ-ଏସ୍ ରକେଟ୍ ଏକ ସିଙ୍ଗଲ୍-ଷ୍ଟେଜ୍ ସବ୍-ଅରବିଟାଲ୍ ଲଞ୍ଚ୍ ଭେଇକଲ୍ । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ପ୍ରସିଦ୍ଧ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ସମ୍ମାନର୍ଥେ ସ୍କାଇରୁଟ୍ର ଲଞ୍ଚ୍ ଭେଇକଲ୍ଗୁଡିକର ନାମ ‘ବିକ୍ରମ’ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *