ସୃଷ୍ଟି କରୁଛନ୍ତି କରୋନା ଠାରୁ ଅଧିକ ପ୍ରାଣଘାତୀ ଭୂତାଣୁ
ଚୀନ୍-ପାକିସ୍ତାନର ସାଂଘାତିକ ଷଡ଼୍ୟନ୍ତ୍ର
ଇସଲାମାବାଦ/ବେଜିଂ (ଏଜେନ୍ସି): ଚୀନ୍ ନିଜ ପ୍ରକୃତି ତଥା ପ୍ରବୃତ୍ତିରୁ କେବେ ବି କ୍ଷାନ୍ତ ହେବନି । ବିଶ୍ୱକୁ କରୋନା ମହାମାରୀ ରୂପେ ଅଭିଶାପ ଦେଇଥିବା ଚୀନ୍ ଏବେ ଆଉ ଏକ ନୂଆ ଭୂତାଣୁର ବିକାଶ କରୁଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି ଚୀନ୍ ଏହି ଭୂତାଣୁକୁ ଏଥର ନିଜ ଉହାନ୍ ସହର ସ୍ଥିତ ଲାବୋରେଟୋରୀରେ ନୁହେଁ ବରଂ ପାକିସ୍ତାନର ରାୱଲପିଣ୍ଡୀ ସ୍ଥିତ ଭାଇରୋଲୋଜି ରିସର୍ଚ୍ଚ ଲ୍ୟାବ୍ରେ ବିକଶିତ କରାଉଛି । କରୋନା ଠାରୁ ହଜାର ହଜାର ଗୁଣରେ ଅଧିକ ଶକ୍ତିଶାଳୀ ଭୂତାଣୁର ସୃଷ୍ଟି କରାଯାଉଛି ପାକିସ୍ତାନର ଭାଇରୋଲୋଜି ଲ୍ୟାବ୍ରେ । ପାକିସ୍ତାନ୍ ମଧ୍ୟ ଚୀନ୍କୁ ଏପରି ଏକ ହୀନ ଚକ୍ରାନ୍ତରେ ପୂର୍ଣ୍ଣତଃ ସହଯୋଗ କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏପ୍ରକାର ରିପୋର୍ଟକୁ ନେଇ ଏବେ ପୁଣିଥରେ ବିଶ୍ୱସ୍ତରରେ ଆଲୋଡନ ସୃଷ୍ଟି ହୋଇଛି ।
ଚୀନ୍, ପାକିସ୍ତାନକୁ ଆତଙ୍କବାଦ ଭଳି ଅନ୍ତର୍ଜାତୀୟ ପ୍ରସଙ୍ଗରେ ସମର୍ଥନ କରିବା ପଛର କାରଣ ସମଗ୍ର ବିଶ୍ୱ ଭଲଭାବେ ଜାଣିଛି । ପାକିସ୍ତାନ୍ରେ ଇକୋନୋମିକ୍ କରିଡର ନିର୍ମାଣ କରିବା ଚୀନ୍ର ମୂଳ ଉଦେ୍ଦଶ୍ୟ ରହିଛି । ତେବେ ଚୀନ୍ କେବଳ ଏହି କାରଣରୁ ପାକିସ୍ତାନକୁ ସବୁ ପ୍ରକାର ସହାୟତା ଦେଉଛି ବୋଲି ଭାବିବା ଭୁଲ୍ ହେବ । ପାକିସ୍ତାନକୁ ଆର୍ଥିକ ସହାୟତା ଆଳରେ ମୋଟା ଅଙ୍କର ଋଣ ସହ ସାମରିକ ଉପକରଣ ଭଳି ସବୁକ୍ଷେତ୍ରରେ ସହଯୋଗ କରିବା ପଛରେ ଚୀନ୍ର ବାସ୍ତବ ଉଦେ୍ଦଶ୍ୟ ଏବେ ସାମ୍ନାକୁ ଆସିଛି । ଚୀନ୍ ଏବେ ପାକିସ୍ତାନରେ କରୋନା ଠାରୁ ମଧ୍ୟ ଅଧିକ ଘାତକ, ମାରାତ୍ମକ ଭୂତାଣୁର ବିକାଶ କରାଉଛି । ଏହାଦ୍ୱାରା କରୋନା ଠାରୁ ମଧ୍ୟ ଅଧିକ କ୍ଷତି ପହଞ୍ଚôବ ବୋଲି କୁହାଯାଉଛି ।
ତେବେ ଚୀନ୍ ବାରମ୍ବାର ଏପରି କାହିଁକି କରୁଛି? ଭୂତାଣୁ ବିକଶିତ କରିବା ପଛରେ ଚୀନ୍ର ଅସଲ ଉଦେ୍ଦଶ୍ୟ କ’ଣ ରହିଛି ସେସମ୍ପର୍କରେ କରୋନା ସମୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇସାରିଛି । କିନ୍ତୁ ଏସବୁ ମଧ୍ୟରେ ପାକିସ୍ତାନ ଏବଂ ଚୀନ୍ ଏବେ ମିଳିତ ଭାବେ ସମଗ୍ର ପୃଥିବୀ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲଇ ଜିଓ-ପଲିଟିକ୍ସ ନିଜ ରିପୋର୍ଟରେ ଦର୍ଶାଇଛି । ଚୀନ୍ର ଉହାନ ଇନଷ୍ଟିଚୁ୍ୟଟ୍ ଓ ପାକିସ୍ତାନ ସେନା ନିୟନ୍ତ୍ରଣରେ ଥିବା ଡିଫେନ୍ସ ସାଇନ୍ସ ଏଣ୍ଡ ଟେକ୍ନୋଲୋଜୀ ଅର୍ଗାନାଇଜେସନ (ଡିଏଚ୍ଟିଓ) ପକ୍ଷରୁ ଏହି ଗବେଷଣା କରାଯାଉଥିବା ଜିଓ-ପଲିଟିକ୍ସ ଉଲ୍ଲେଖ କରିଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାୱଲପିଣ୍ଡର ଚକଲାଲା କାଣ୍ଟନମେଣ୍ଟ ରୋଡ୍ରେ ଥିବା ଏହି ଲାବରୋଟୋରୀ ମୁଖ୍ୟ ଭାବେ ପାକିସ୍ତାନୀ ସେନାର ଜଣେ ଟୁ-ଷ୍ଟାର୍ ଜେନେରାଲଙ୍କୁ ନିଯୁକ୍ତ କରାଯାଇଛି ।
ରିପୋର୍ଟରେ ଚୀନ୍ ଓ ପାକିସ୍ତାନର ଏହି ଜୈବ-ପ୍ରକଳ୍ପ ମୁଖ୍ୟତଃ ଭାରତ ପାଇଁ ଏକ ମହାବିପଦ ସାବ୍ୟସ୍ତ ହେବ ବୋଲି ଦର୍ଶାଯାଇଛି । ଚୀନ୍, ପାକିସ୍ତାନକୁ ଭାରତ ବିରୋଧରେ ଜୈବ ଅସ୍ତ୍ର ଭାବେ ଏହି ଭୂତାଣୁକୁ ପ୍ରୟୋଗ କରିବାକୁ ପ୍ରବର୍ତ୍ତାଇପାରେ ବୋଲି କେତେକ ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥା ଆଶଙ୍କା ବ୍ୟକ୍ତ କରିଛନ୍ତି । ଚୀନ୍ ନିଜ ଅଞ୍ଚଳ ଏବଂ ନିଜ ଲୋକଙ୍କୁ ବିପଦରେ ନ ପକାଇବାକୁ ବିଦେଶ ମାଟିରେ ଏଭଳି ମାରାତ୍ମକ ଗବେଷଣା କରୁଛି ଏବଂ ପାକିସ୍ତାନକୁ ଏଥିପାଇଁ ବ୍ୟବହାର କରୁଛି । ଅନ୍ୟପକ୍ଷେ ଉଭୟ ଚୀନ୍ ଏବଂ ପାକିସ୍ତାନ ପକ୍ଷରୁ ଏପ୍ରକାର ରିପୋର୍ଟକୁ ଖଣ୍ଡନ କରାଯାଇଛି । ଏପରି ଜୈବ ଅସ୍ତ୍ର ଯଦି ପାକିସ୍ତାନ ମାଟିରେ ବଢ଼ୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ହାତରେ ପଡିଯାଏ, ତେବେ ସମଗ୍ର ମାନବ ଜାତି ପାଇଁ ଏହା ବିନାଶର କାରଣ ସାଜିବ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।