ସୁରକ୍ଷା ମଞ୍ଚର ବାରଗାଁ ବଞ୍ଚାଅ ବୈଠକ
ରାଜନଗର (ଆପ୍ର): ଦକ୍ଷିଣଭେଡା ଠାରୁ ଲୋକନାଥପ୍ରସାଦ ଯାଏଁ ବ୍ରାହ୍ମଣୀ କୂଳ ଖାଇ ଏବେ ଗାଁ ଭିତରକୁ ମାଡି ଆସିଲାଣି । କିଛି ସ୍ଥାନରେ ପଥରପ୍ୟାକିଂ ଓ ସ୍ପର ନିର୍ମାଣ ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇପାରିନି । ବାରଗାଁର ସୁରକ୍ଷା ପାଇଁ ଉପକୂଳ ଓଡ଼ିଶାର ଆରାଧ୍ୟା ଶକ୍ତିପୀଠ ମା’ମାଟିଆମଙ୍ଗଳାଙ୍କ ପୀଠରେ ବାରଗାଁର ସୁରକ୍ଷା ପାଇଁ ବାରଗାଁ ବଞ୍ଚାଅ ବୈଠକ ଅନୁଷ୍ଠିତ ହୋଇଛି । ହେମନ୍ତ ମିଶ୍ର ଓ ଅଭିରାମ ରାଉଳଙ୍କ ଆବାହକତ୍ୱରେ ଏହି ବୈଠକ ବସିଥିଲା । ହେମନ୍ତ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ଚିତ ରଞ୍ଜନ ପଣ୍ଡା, ସମିତିସଭ୍ୟା ପ୍ରତିନିଧି ସରୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ଦକ୍ଷୀଣଭେଡା ଠାରୁ ଲୋକନାଥପ୍ରସାଦ ଯାଏଁ ପଥର ବନ୍ଧ ନିର୍ମାଣ ସହିତ ସିରିଜ ସ୍ପର ନିର୍ମାଣ ପାଇଁ ଜଳସେଚନ ବିଭାଗ ଓ ବିଧାୟକ ଗୁରୁତ୍ୱ ଦେବା ଉପରେ ମତ ପ୍ରକାଶ କରିଥିଲେ । ଏଥିସହିତ ବନ୍ୟା ସମୟରେ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ମାଟିଆ ମଙ୍ଗଳା ଛକ ଠାରୁ ମା’ମାଟିଆମଙ୍ଗଳାଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତାକୁ କାଟି ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ବୈଠକରେ ଆଲେଚନା ହୋଇଥିଲା ।