ନଳକୂପ ଛୁଇଁବାରୁ ଦଳିତ ଯୁବକଙ୍କୁ ହତ୍ୟା
ରାଜସ୍ଥାନରେ ପୁଣି ଛୁଅାଁ-ଅଛୁଆଁ ଭେଦଭାବଜନିତ ହିଂସା
ଜୟପୁର (ଏଜେନ୍ସି): ଯୋଧପୁର (ଏଜେନ୍ସି): ରାଜସ୍ଥାନରେ ପୁଣିଥରେ ଛୁଆଁ ଅଛୁଆଁ ଭେଦଭାବଜନିତ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଯୋଧପୁର ଅଞ୍ଚଳରେ କିଶନରାମ୍ ଭିଲ୍ ନାମକ ଜଣେ ୪୫ ବର୍ଷୀୟ ଦଳିତ ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳର ୧୨/୧୩ ସବର୍ଣ୍ଣ ଜାତିର ଲୋକେ ସାମୂହିକ ଭାବେ ଆକ୍ରମଣ କରିବା ଯୋଗୁ ଯୁବକଙ୍କ ମୃତୁ୍ୟ ହୋଇଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି ।
ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନଳକୂପକୁ ଛୁଇଁଦେବାରୁ କିଶନଲାଲ୍ଙ୍କୁ ସବର୍ଣ୍ଣ ଜାତିର ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ୧୨/୧୩ଜଣ ମିଳିତ ଭାବେ କିଶନରାମ୍ଙ୍କୁ ମାଡ଼ ମାରିଥିଲେ । ଏଥିରେ କିଶନରାମ ଅଚେତ୍ ହୋଇପଡିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅନ୍ୟପକ୍ଷେ କିଶନରାମଙ୍କ ଭାଇ ଅଶୋକ ଭିଲ୍ଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଏକ ସରକାରୀ ନଳକୂପ ରହିଥିବା ବେଳେ ସବର୍ଣ୍ଣ ଜାତିର ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଦଳିତ ତଥା ଅସବର୍ଣ୍ଣ ଲୋକଙ୍କୁ ସେମାନେ ଏଠାରୁ ପାଣିନେବାକୁ ଦେଇନଥାନ୍ତି । କିନ୍ତୁ ସୋମବାର ବିଳମ୍ବିତ ରାତିରେ କିଶନରାମ୍ ଉକ୍ତ ନଳକୂପରୁ ପାଣି ଆଣିବାକୁ ଯାଇଥିଲେ । ଏସମ୍ପର୍କରେ ଜାଣିବା ପରେ ମଙ୍ଗଳବାର ସକାଳେ ସବର୍ଣ୍ଣ ଜାତିର କିଛି ଲୋକେ କିଶନରାମ୍ଙ୍କ ଘରକୁ ଆସି ଗାଳିଗୁଲଜ କରିଥିଲେ । କିଶନ୍ରାମ ଏବଂ ତାଙ୍କ ପୁଅ ଏସବୁକୁ ବିରୋଧ କରିବାରୁ ସବର୍ଣ୍ଣ ଲୋକେ ରାଗରେ କିଶନ୍ରାମ୍ଙ୍କୁ ନିର୍ମର୍ମ ଭାବେ ମାଡ଼ ମାରିଥିଲେ । କେବଳ ସେତିକି ନୁହେଁ ସେ ଗୁରୁତର ହେବା ପରେ ତାକୁ ଘଣ୍ଟାଧିକ କାଳ ହସ୍ପିଟାଲ ବି ନେବାକୁ ଦେଇନଥିଲେ । ଯଦି ସେମାନେ କିଶନରାମ୍ଙ୍କୁ ହସ୍ପିଟାଲ ନେଇଯିବାକୁ ଦେଇଥାନ୍ତେ ତେବେ ହୁଏତ କିଶନ୍ରାମ ବଞ୍ଚôଯାଇଥାନ୍ତା ବୋଲି ଭାଇ ଅଶୋକ କହିଛନ୍ତି ।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳର ସମସ୍ତ ଦଳିତ ବର୍ଗର ଲୋକେ ଏକଜୁଟ୍ ହୋଇ ପ୍ରଶାସନ ବିରୋଧରେ ଧାରଣା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ଗିରଫ ଦାରି ସହ ମୃତ କିଶନ୍ରାମ୍ଙ୍କ ପରିବାରକୁ ୫ଠ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ତାଙ୍କ ପରିବାରର ଜଣକୁ ସରକାରୀ ନିଯୁକ୍ତି ପ୍ରଦାନ କରାନଯିବା ଯାଏ ଧାରଣା ପ୍ରତ୍ୟାହାର ହେବ ନାହିଁ ବୋଲି ଦଳିତ ବର୍ଗ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟପାକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ୍ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ଜଣଙ୍କୁ ଗିରଫ କରିଥିବା ବେଳେ ବାକି ୧ଠଜଣ ଫେରାର ରହିଛନ୍ତି । ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା କହିଛି ।