ଇଡବ୍ଲ୍ୟଏସ୍ କୋଟା ବୈଧ

ନୂଆଦିଲ୍ଲୀ, ୭ା୧୧: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସବର୍ଣ୍ଣ (ଇଡବ୍ଲୁ୍ୟଏସ୍)ମାନଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପରେ ସୁପ୍ରିମ୍ କୋର୍ଟ ସୋମବାର ମୋହର ଲଗାଇଛନ୍ତି । ଏହି ଫଇସଲା ଫଳରେ ଏଣିକି ଗରିବ ସବର୍ଣ୍ଣମାନେ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ କୋଟା ବ୍ୟବସ୍ଥାରେ ଉପକୃତ ହେବେ ।
ପାଞ୍ଚ ଜଣିଆ ନ୍ୟାୟପୀଠର ୩ଜଣ ଜଜ୍ ଏ ସମ୍ବନ୍ଧୀୟ ପୂର୍ବ ନିଷ୍ପତ୍ତିକୁ ସମର୍ଥନ କରିଥିବାସ୍ଥଳେ ୨ଜଣ ଅସହମତ ହୋଇଛନ୍ତି । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀ ଓ ଜଷ୍ଟିସ୍ ଜେ.ବି. ପାରଦିୱାଲା ଇଡବ୍ଲୁ୍ୟଏସ୍ କୋଟାକୁ ସମର୍ଥନ କରି ଏହା ସାମ୍ବିଧାନିକ ଢାଞ୍ଚାର ଉଲ୍ଲଂଘନ ନୁହେଁ ବୋଲି ରାୟ ଦେଇଛନ୍ତି । ଅପରପକ୍ଷେ ପ୍ରଧାନ ବିଚାରପତି ୟୁୟୁ ଲଳିତ ଓ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟ ଗରିବ ସବର୍ଣ୍ଣଙ୍କ ପାଇଁ କୋଟା ବ୍ୟବସ୍ଥାକୁ ବିରୋଧ କରି କହିଛନ୍ତି ଗରିବ ଲୋକଙ୍କ ପାଇଁ ସରକାର ଆରକ୍ଷଣ ବ୍ୟବସ୍ଥା କରିପାରିବେ । ଆର୍ଥିକ ଆଧାରରେ ଆରକ୍ଷଣ ଅବୈଧ ନୁହେଁ କିନ୍ତୁ ସେଥିରେ ଏସି-ଏସ୍ଟି ଓ ଓବିସିଙ୍କୁ ନରଖିବା ଅସାମ୍ବିଧାନିକ । ଇଡବ୍ଲୁ୍ୟଏସ୍ କୋଟା କେବଳ ଭେଦଭାବ ଓ ପକ୍ଷପାତ । ଜନସଂଖ୍ୟାର ବୃହତ୍ତର ଅଂଶ ଏସି/ଏସ୍ଟି/ଓବିସି ସେମାନଙ୍କ ମଧ୍ୟରୁ ବହୁ ଲୋକ ଗରିବ । ଏହି କାରଣରୁ ଇଡବ୍ଲୁ୍ୟଏସ୍ କୋଟା ପାଇଁ ସମ୍ବିଧାନର ୧୦୩ତମ ସଂଶୋଧନ ଅବୈଧ । ଅନୁଚ୍ଛେଦ ୧୫ (୬) ଓ ୧୬ (୬) ରଦ୍ଦ ହେବା ଆବଶ୍ୟକ । ଇଡବ୍ଲୁ୍ୟଏସ୍ କୋଟା ସପକ୍ଷରେ ସଂଖ୍ୟାଗରିଷ୍ଠ ରାୟ ମିଳିଥିବା ଅର୍ଥାତ୍ ୩:୨ ଫଇସଲା ଆସିଥିବାରୁ ଏହା କାଏମ୍ ରହିବ ।
ଅନେକ ଦଳଙ୍କ ବିରୋଧ ସତ୍ତ୍ୱେ ନରେନ୍ଦ୍ର ମୋଦି ସରକାର ୨୦୧୯ରେ ୧୦୩ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ପାସ୍ କରାଇଥିଲେ । ପରେ ଇଡବ୍ଲୁ୍ୟଏସ୍ କୋଟାକୁ ଚ୍ୟାଲେଞ୍ଜ କରି ୪୦ ପିଟିସନ୍ ଦାୟର କରାଯାଇଥିଲା ।
ସେଥିରେ ତର୍କ ଦିଆଯାଇଥିଲା ଯେ, ଗରିବ ସବର୍ଣ୍ଣଙ୍କ ପାଇଁ କୋଟା ବ୍ୟବସ୍ଥା ସମ୍ବିଧାନର ମୂଳ ଢାଞ୍ଚାର ଉଲ୍ଲଂଘନ ।
ଉଲ୍ଲେଖଯୋଗ୍ୟ ଯେ, ୟୁପିଏ ସରକାର ୨୦୦୫ରେ ଅବସରପ୍ରାପ୍ତ ମେଜେର ଜେନେରାଲ୍ ଏସ୍ଆର ସିହ୍ନା ଆୟୋଗ ଗଠନ କରିଥିଲେ । ୨୦୧୦ରେ ଆୟୋଗ ଯେଉଁ ରିପୋର୍ଟ ଦେଇଥିଲେ ତା’ରି ଆଧାରରେ ଗରିବ ସବର୍ଣ୍ଣଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ହେଲା । ସୁପ୍ରିମ କୋର୍ଟରେ ସରକାରଙ୍କ ପକ୍ଷରୁ ତତ୍କାଳୀନ ଆଟଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ ଦର୍ଶାଇଥିଲେ ଯେ, ଇଡବ୍ଲୁ୍ୟଏସ୍ କୋଟା ବ୍ୟବସ୍ଥା ଦ୍ୱାରା ଆରକ୍ଷଣର ୫୦ ପ୍ରତିଶତ ସୀମା ଲଂଘନ କରାଯାଇ ନାହିଁ । ୧୯୯୨ରେ ସୁପ୍ରିମ୍ କୋର୍ଟ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣ ଦିଆଯିବା ଅନୁଚିତ ବୋଲି ଫଇସଲା ଶୁଣାଇଥିଲେ ।
ଏବେ ଓବିସିଙ୍କ ପାଇଁ ୨୭, ଏସ୍ସି ପାଇଁ ୧୫, ଏସ୍ଟି ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥା ଅଛି । ୧୦ ପ୍ରତିଶତ ଇଡବ୍ଲୁ୍ୟଏସ୍ କୋଟା ଯୋଗ କଲେ ମୋଟ କୋଟା ୫୯.୫ ପ୍ରତିଶତ ହେଉଛି । ଏହି କାରଣରୁ ପ୍ରଧାନ ବିଚାରପତି ଲଳିତ ଓ ଜଷ୍ଟିସ୍ ଭଟ୍ଟ ଇଡବ୍ଲୁ୍ୟଏସ୍ କୋଟା ଅସହମତ ହୋଇଛନ୍ତି ।
୨୦୨୦ ଅଗଷ୍ଟ ୫ ତାରିଖ ଦିନ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍ଏ ବୋବୋଡେଙ୍କ ନେତୃତ୍ୱାଧୀନ ୩ଜଣିଆ ପୀଠ ମାମଲାଟିକୁ ସମ୍ବିଧାନପୀଠକୁ ପଠାଇ ଦେଇଥିଲେ । ମଙ୍ଗଳବାର (ନଭେମ୍ବର ୮)ରେ ଅବସର ନେଉଥିବା ପ୍ରଧାନ ବିଚାରପତି ଲଳିତଙ୍କ ନେତୃତ୍ୱାଧୀନ ନ୍ୟାୟପୀଠ ମାମଲାର ସାଢ଼େ ଛଅ ଦିନ ଶୁଣାଣି ପରେ ସେପ୍ଟେମ୍ବର ୨୭ରେ ଫଇସଲା ସୁରକ୍ଷିତ ରଖିଥିଲେ ।
ସୁପ୍ରିମ୍ କୋର୍ଟ ରାୟକୁ ବିଜେପି ମହାସଚିବ ବିଏଲ୍ ସନ୍ତୋଷ କଂଗ୍ରେସ ନେତା ଜୟରାମ ରମେଶ ସ୍ୱାଗତ କରିଛନ୍ତି । ସନ୍ତୋଷ କହିଛନ୍ତି ଅଣସଂରକ୍ଷିତ ବର୍ଗ ପାଇଁ ସୁପ୍ରିମ୍ କୋର୍ଟଙ୍କ ଫଇସଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ଦିଗରେ ଏକ ବଡ଼ ପଦକ୍ଷେପ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସୁପ୍ରିମ୍ କୋର୍ଟଙ୍କ ରାୟ ସାମାଜିକ ନ୍ୟାୟ ପାଇଁ ବହୁ ଶତାଦ୍ଦୀ ଧରି ଚାଲିଥିବା ଲଢ଼େଇକୁ ଝଟ୍କା ଦେଇଛି । ରାଜନୈତିକ ସମୀକ୍ଷକମାନଙ୍କ ମତରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମ୍ ଫଇସଲା ଆସିଥିବାରୁ ଏହା ବିଜେପିର ମନୋବଳ ବଢ଼ାଇବ ତଥା ଭୋଟ୍ ପାଇଁ ବୁଷ୍ଟର ଭଳି କାମ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *