ଘୋଟିଆସୁଛି ବଡ଼ ଧରଣର ମାନ୍ଦାବସ୍ଥା

ନୂଆଦିଲ୍ଲୀ (ଏଜେନ୍ସି): ସମଗ୍ର ବିଶ୍ୱ ଏବେ ଏକ ବଡ ଧରଣର ଅଦୃଶ୍ୟ ବିପଦ ଆଡକୁ ମୁହାଁଇଛି । ଏହି ଅଦୃଶ୍ୟ ବିପଦ ମାନ୍ଦାବସ୍ଥା ଭାବେ ଆସିବ ଏବଂ ସମଗ୍ର ବିଶ୍ୱକୁ ନିଜ ଶିକାର କରିନେବ । ଏହାର ପ୍ରଭାବ ପଡ଼ିବା ବିଶ୍ୱସ୍ତରରେ ଅନୁଭୂତ ହେବାରେ ଲାଗିଛି । ଫେସ୍ବୁକ୍, ଟ୍ୱିଟର, ଆମାଜନ୍, ମାଇକ୍ରୋସଫ୍ଟ ଭଳି ବଡ଼ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଇଛନ୍ତି । କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଏବେ ଏସବୁ କମ୍ପାନୀଗୁଡ଼ିକ ସୁଯୋଗ ଅପେକ୍ଷାରେ ରହିଛନ୍ତି । କର୍ମଚାରୀଙ୍କ ପକ୍ଷରୁ ସାମାନ୍ୟ ତ୍ରୁଟି, କମ୍ପାନୀ ସେମାନଙ୍କୁ ବାହାର ରାସ୍ତା ଦେଖାଇବା ପାଇଁ ଅପେକ୍ଷା କରିବସିଛି । କେବଳ ଛଟେଇ ନୁହେଁ ବରଂ ନୂଆ ନିଯୁକ୍ତି ଉପରେ ମଧ୍ୟ ଏସବୁ କମ୍ପାନୀ ଏବେ ରୋକ୍ ଲଗାଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ମାନ୍ଦାବସ୍ଥା ନିଜ ପାଦ ପ୍ରସାରୁଥିବା ବିବେଚନା କରାଯାଉଛି । ଏପରି ହେଲେ ବିଶ୍ୱବ୍ୟାପୀ ୨ଠଠ୮ ଭଳି ସ୍ଥିତି ଉତ୍ପନ୍ନ ହେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।
ବଡ଼ ବଡ଼ କମ୍ପାନୀ ବିଶେଷ କରି ଟେକ୍ କମ୍ପାନୀଗୁଡ଼ିକ ଭାରତରେ ଛଟେଇ ଅଭିଯାନକୁ ଏବେ ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ନିକଟରେ ଟ୍ୱିଟରର ନୂଆ ମାଲିକ ତଥା ଟେସ୍ଲା ଏବଂ ସ୍ପେଶ୍ ଏକ୍ସ ଭଳି କମ୍ପାନୀର ପ୍ରତିଷ୍ଠାତା ଏଲନ୍ ମସ୍କ, ଟ୍ୱିଟର ଇଣ୍ଡିଆର ୫ଠ%ରୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥିପାଇଁ ସେ କମ୍ପାନୀର କ୍ଷତି ହେଉଥିବା ଦର୍ଶାଇଛନ୍ତି । କେବଳ ଟ୍ୱିଟର କାହିଁକି, ଛଟେଇ କରୁଥିବା କମ୍ପାନୀଙ୍କ ପକ୍ଷରୁ ସମାନ ଅଭିଯୋଗ ଆଳରେ ହିଁ ଛଟେଇ କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ସମଗ୍ର ବିଶ୍ୱ ବଜାରର ଚିନ୍ତା ବଢ଼ିଯାଇଛି । ସେହିପରି ବାଇଜୁସ୍ ଭଳି ଏକ ଶିକ୍ଷା ସମ୍ବନ୍ଧୀତ କମ୍ପାନୀ ବୃହତ୍ ପରିମାଣର କର୍ମଚାରୀଙ୍କୁ ଛଟେଇ କରିସାରିଛି । ଆମାଜନ୍, ଗୁଗୁଲ, ଫେସ୍ବୁକ୍ ତଥା ଏହାର ପ୍ୟାରେଣ୍ଟ କମ୍ପାନୀ ମେଟା ପକ୍ଷରୁ ମଧ୍ୟ ଘୋଷଣା କରାଯାଇସାରିଛି ଯେ, ବର୍ତ୍ତମାନ ସମୟରେ ଆଉ ନୂଆ ନିଯୁକ୍ତି ଦିଆଯିବ ନାହିଁ । ମାଇକ୍ରୋସଫ୍ଟ ତଥା ଆପଲ୍ ଭଳି ଅନେକ ଆଇଟି କମ୍ପାନୀ ମଧ୍ୟ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇବା ସହ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଇଣ୍ଟେଲ, ଏଚ୍ପି ତଥା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା ସୀମିତ କରିବା ଉପରେ ବିଚାର କରୁଥିବା ସୂଚନା ମିଳିଛି ।
ଏସବୁ ପଛର କାରଣ ଖୋଜିବାରେ ଜଣାପଡିଛି ଯେ, ସେୟାର ମାର୍କେଟ୍ରେ ଆଗଭଳି ଉତ୍ସାହ ନଥିବାରୁ କମ୍ପାନୀଗୁଡ଼ିକ ବ୍ୟାପକ କ୍ଷତି ସହୁଛନ୍ତି । କ୍ଷତି ପରିମାଣକୁ ଭରଣା କରିବା ଉଦେ୍ଦଶ୍ୟରେ ଏପ୍ରକାର ଛଟେଇ କରାଯାଉଛି । ୱାଲ୍ ଷ୍ଟି୍ରଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା’ରେ ଏବେ ବଡ଼ ଧରଣର ଛଟେଇ ଅଭିଯାନ ଆରମ୍ଭ ହୋଇପାରେ । କମ୍ପାନୀ ଏକକାଳୀନ ୧ଠଠଠ କିମ୍ବା ତଦୁଦ୍ଧ୍ୱର୍ କର୍ମଚାରୀଙ୍କୁ ସାମୂହିକ ଭାବେ ବିଦା କରିପାରେ । ଚଳିତ ବର୍ଷ ମେଟାର ୭୩% ପର୍ଯ୍ୟନ୍ତ ସେୟାର ହ୍ରାସ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *