ବିଶ୍ୱାସ ହରାଉଛି ନ୍ୟାୟବ୍ୟବସ୍ଥା
ନୂଆଦିଲ୍ଲୀ (ଏଜେନ୍ସି): ପ୍ରାୟ ସାଢ଼େ ୧ଠ ବର୍ଷ ତଳର ଏକ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତମାନେ ଆଇନ୍ ଆଖିରେ ଧୂଳି ଦେଇ ଖସିଯାଇଛନ୍ତି । ଦିଲ୍ଲୀର ଛାୱଲା ଅଞ୍ଚଳରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପ୍ରଥମେ ଅପହରଣ, ପରେ ଗଣଦୁଷ୍କର୍ମ ଏବଂ ହତ୍ୟା ଭଳି ଏକ ସଂଗୀନ ଘଟଣାରେ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟଜନକ ଭାବେ ପ୍ରମାଣ ଅଭାବରୁ ନିଦେ୍ର୍ଦାଷରେ ଖଲାସ କରିଦେଇଛନ୍ତି । ପୂର୍ବରୁ ଏହି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ, ଦିଲ୍ଲୀ ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ଖାରଜ କରିବା ସହ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ବେଲା ତ୍ରିବେଦୀ ଏହି ମାମଲା ଶୁଣାଣି କରିଥିଲେ ।
ସବୁଠୁ ବଡ଼ କଥା ହେଉଛି, ଦେଶର ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଘଟଣାର ଅଭିଯୁକ୍ତମାନଙ୍କୁ ଯେଉଁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ, ଆଜି ସେହି ସୁପ୍ରିମକୋର୍ଟ ସମାନ ଘଟଣାରେ ଦୋଷୀମାନଙ୍କୁ ମୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀ ନିର୍ଭୟା ଘଟଣାର ୧ଠ ମାସ ପୂର୍ବରୁ ଛାୱଲା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ୯ ଫେବ୍ରୁଆରୀରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦିଲ୍ଲୀର ଛାୱଲା ଅଞ୍ଚଳରୁ ଅପହରଣ କରିବା ପରେ ହରିଆଣାର ରେୱାଡି ନେଇଯାଇଥିଲେ । ସେଠାରେ ୩/୪ ଦିନ ଧରି ସେମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ବର୍ବରତାର ଚରମ ସୀମା ଟପିଯାଇ ପୀଡ଼ିତାଙ୍କ ମୁହଁରେ ଏସିଡ୍ ଢ଼ାଳିଦେଇଥିଲେ, ଯାହାଦ୍ୱାରା ପୀଡ଼ିତାଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡିଯାଇଥିଲା । କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗରମ ଲୁହା ରଡ୍ର ଚେଙ୍କ ସହ ତାଙ୍କ ଗୁପ୍ତାଙ୍ଗରେ ମଦ ବୋତଲ ମଧ୍ୟ ଭର୍ତ୍ତି କରିଥିଲେ । ଏସବୁ ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡିଥିଲା ।
ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ପୀଡ଼ିତାଙ୍କ ମା’ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କୁ ଏବଂ ସେମାନଙ୍କ ମୃତ ଝିଅକୁ ନ୍ୟାୟ ମିଳିବ ବୋଲି ଆଶା ଥିଲା । କିନ୍ତୁ ସୁପ୍ରିମକୋର୍ଟ ଅଭିଯୁକ୍ତମାନଙ୍କୁ ମୁକ୍ତ କରିଦେବା ପରେ ଏ ଦେଶର ଆଇନ୍ କାନୁନ ଏବଂ ନ୍ୟାୟ ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟିଯାଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କୁ ମର୍ମାହତ କରିଛି । ଝିଅକୁ ନ୍ୟାୟ ଦେବା ପାଇଁ ଦୀର୍ଘ ୧ଠ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଲଢ଼ୁଥିବା ମା’ର ପରାଜୟ ହୋଇଛି । ଆଖି ସାମ୍ନାରେ ସୁପ୍ରିମକୋର୍ଟ ଅଭିଯୁକ୍ତମାନଙ୍କୁ ମୁକ୍ତ କରିବା ପୂରା ପୀଡ଼ିତାଙ୍କ ପରିବାର ପାଇଁ ଅସହ୍ୟ ହୋଇପଡିଛି ବୋଲି ପୀଡ଼ିତାଙ୍କ ମା’ କୋହଭରା କଣ୍ଠରେ କହିଛନ୍ତି । ଦିଲ୍ଲୀ ପୁଲିସ୍ ଅନୁସାରେ ଅଭିଯୁକ୍ତମାନେ ରେୱାଡି ଅଞ୍ଚଳର ଏକ ଚାଷ ଜମିରେ ପୀଡ଼ିତାଙ୍କୁ ପୋଡିଦେଇଥିଲେ । ତେବେ ଏମାନଙ୍କ ପାରିବାରିକ ପୃଷ୍ଠଭୂମୀ ଆଳରେ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହି ୩ ଅଭିଯୁକ୍ତ ହେଲେ ରବି କୁମାର, ରାହୁଲ ଏବଂ ବିନୋଦ । ଅଭିଯୁୂକ୍ତଙ୍କ ବିରୋଧରେ ଦଣ୍ଡାଦେଶ କୋହଳ କରାଯିବାକୁ ମଧ୍ୟ ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ୍ ବିରୋଧ କରିଥିଲା । ଏହି ୩ଜଣଙ୍କ ବିରୋଧରେ ସମସ୍ତ ପ୍ରମାଣ ସତ୍ତ୍ୱେ ସୁପ୍ରମକୋର୍ଟ ଏମାନଙ୍କୁ ମୁକ୍ତ କରିବା ସମଗ୍ର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ପୀଡ଼ିତାଙ୍କ ମା’ ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଝିଅ ସହ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇନି । କୌଣସି ଟିଭି ଚ୍ୟାନେଲରେ ଏହାକୁ ପ୍ରସାରଣ ମଧ୍ୟ କରାଯାଇନି, ଆଲୋଚନା କରାଯାଇନି । କୌଣସି ନେତା ସେମାନଙ୍କୁ ଶାନ୍ତ୍ୱନା ଦେବାକୁ ସେମାନଙ୍କ ଘରକୁ ଯାଇନାହାନ୍ତି । ଫଳରେ ସେମାନଙ୍କ ଝିଅ ସହ ଯାହା କିଛି ଘଟିଥିଲା, ସେସମ୍ପର୍କରେ ଦେଶବାସୀ ଜାଣି ପାରିଲେନି । ତେବେ ଯେତେବେଳେ ଝିଅ ସହ ହୋଇଥିବା ଏଭଳି ଜଘନ୍ୟ ଘଟଣା ସମ୍ପର୍କରେ ତକ୍ରାଳୀନ ମୁୂଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ଙ୍କୁ ଜଣାଇଥିଲେ, ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯେ, ଏପରି ଘଟଣା ହୋଇଥାଏ ।’ ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଏପ୍ରକାର ଉତ୍ତର ତଥା ବ୍ୟବହାର ମିଳିବା ପରେ ସେମାନେ ଭାଙ୍ଗିପଡିନଥିଲେ, ଏହି ଘଟଣାକୁ ସେମାନେ ନିମ୍ନ କୋର୍ଟକୁ ନେଇଥିଲେ । ନିମ୍ନ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଦେଇଥିଲେ । ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ପୂରା ଘଟଣା ସମ୍ପର୍କରେ ଜାଣିବା ପରେ ନିମ୍ନ ଅଦାଲତଙ୍କ ରାୟକୁ ବଳବତ୍ତର ରଖିଥିଲେ । ଶୁଣାଣି ବେଳେ ହାଇକୋର୍ଟ ଅଭିଯୁକ୍ତଙ୍କୁ ହିଂସକ ପଶୁ ଭାବେ ବିବେଚନା କରିଥିଲେ । ହାଇକୋର୍ଟଙ୍କ ରାୟ ଆସିବା ପରେ ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ କେବଳ ୧ଲକ୍ଷ ଟଙ୍କାର ଏକ ଚେକ୍ କ୍ଷତିପୂରଣ ବାବଦକୁ ଦିଆଯାଇଥିଲା । ଏପ୍ରକାର ପଶୁ ସଦାସର୍ବଦା ରାସ୍ତାଘାଟରେ ଶିକାର ଖୋଜିଥାଏ । ଏପରି ପଶୁଙ୍କୁ ବଞ୍ଚôବାର କୌଣସି ଅଧିକାର ନାହିଁ । ସେତେବେଳେ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଥିଲା । କିନ୍ତୁ ଏବେ ସୁୂପ୍ରିମକୋର୍ଟ ଏପ୍ରକାର ଅଭିଯୁକ୍ତମାନଙ୍କୁ ନିଦେ୍ର୍ଦାଷରେ ଛାଡିଦେବା ନ୍ୟାୟ ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଇଦେଇଛି ।