କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଶ୍ରୀମନ୍ଦିର ସମେତ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ
ପୁରୀ (ବୁ୍ୟରୋ): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରିଛି ପୁଲିସ । ସେଥିପାଇଁ ଏକ ଦିନରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ । ସେଦିନ କାର୍ତ୍ତିକ ବ୍ରତ ଶେଷ ହେବ । ପୂର୍ଣ୍ଣିମା ଦିନ ସକାଳୁ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ଡଙ୍ଗା ଭସାଇବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ସେଥିପାଇଁ ଶ୍ରୀମନ୍ଦିର ସମେତ ସହର, ମହୋଦଧି ଓ ଜିଲ୍ଲାରେ ମୋଟ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏସ୍ପିଙ୍କ ନେତୃତ୍ୱରେ ୩ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୧୦୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ଓ ୩୦୦ ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ।
ବିଶେଷ ଭାବରେ ଶ୍ରୀମନ୍ଦିର ପାଇଁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଭିତରକାଠ ଓ ବାହାର କାଠ ନିକଟରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲା ପରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ଦେଇ ବାହାରକୁ ଆସିବେ । ଶ୍ରୀମନ୍ଦିର ଭିତରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୁଇକ୍ ରେସପନ୍ସ ଟିମ୍ ସମେତ ଶତାଧିକ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତତ୍ସହିତ କ୍ୟାମେରା ମାଧ୍ୟମରେ ଲୋକଙ୍କ ଗତିବିଧିକୁ ଲକ୍ଷ୍ୟ କରାଯିବ । ଆନୁମାନିକ ପ୍ରାୟ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସମାଗମକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭୋର ୬ଟାରୁ ଶ୍ରୀମନ୍ଦିରର ଦ୍ୱାର ଖୋଲାଯାଇ ଭିତରଶୋଧ କରାଯାଇ ମଙ୍ଗଳଆଳତି ଅନୁଷ୍ଠିତ ହେବ । ସେହିପରି ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ୧୦୦ ତାଲିମ୍ପ୍ରାପ୍ତ ଲାଇଫ୍ଗାର୍ଡ ମୁତୟନ କରାଯିବ । ଶ୍ୱେତଗଙ୍ଗା, ଇନ୍ଦ୍ରଦୁ୍ୟମ୍ନ, ନରେନ୍ଦ୍ର ଏବଂ ମାର୍କଣ୍ଡେୟ ପୁଷ୍କରିଣୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।