କମିଶନର ଓ ଉପଜିଲ୍ଲାପାଳଙ୍କ ଏମ୍କେସିଜି ପରିଦର୍ଶନ

ବ୍ରହ୍ମପୁର (ବୁ୍ୟରୋ): ସୋମବାର ସନ୍ଧ୍ୟାରେ ନିଗମ କମିଶନର ଜେ.ସୋନାଲ ଓ ବ୍ରହ୍ମପୁରର ନୂତନ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ବ୍ରହ୍ମପୁର ବଡ଼ ଡାକ୍ତରଖାନା (ଏମ୍କେସିଜି ମେଡିକାଲ୍) ପରିଦର୍ଶନ କରିଛନ୍ତି । ବିଭିନ୍ନ ବିଭାଗ ସମ୍ପର୍କରେ ପଚାରି ବୁଝିବା ସହ ଏମ୍କେସିଜି କର୍ତ୍ତୃପକ୍ଷଙ୍କ ସହ ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋଚନା କରିଛନ୍ତି । ଏମ୍କେସିଜିରେ ରୋଗୀଙ୍କୁ କିପରି ସେବା ଦିଆଯାଉଛି ପଚାରି ବୁଝିବା ସହ କାଜୁଆଲଟି, ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ମେଡିସିନ୍ ବିଭାଗ ଆଦି ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ । ବଡ଼ ଡାକ୍ତରଖାନାରେ ରୋଗୀସେବା କିପରି ହେଉଛି ଓ ରୋଗୀମାନେ କେତେଦୂର ଡାକ୍ତରମାନଙ୍କ ସେବାରେ ସନ୍ତୁଷ୍ଟ ସେ ସମ୍ପର୍କରେ ପଚାରି ବୁଝିବା ସହ ଏମ୍କେସିଜିର ବିଭିନ୍ନ ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା କମିଶନର କହିଛନ୍ତି । ପରିମଳ ବ୍ୟବସ୍ଥାକୁ ପ୍ରତି ଗୁରୁତ୍ୱ ଦେବାକୁ ସଫେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କମିଶନର ମରାମର୍ଶ ଦେଇଛନ୍ତି । ଏମ୍କେସିଜି ମେଡିକାଲ୍ ପରିସରରେ ଥିବା ବିଭିନ୍ନ ଫାଷ୍ଟଫୁଡ୍ ଦୋକାନ ଓ ହୋଟେଲ ଉପରେ ଚଢ଼ଉ କରି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଦେଖିବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହୋଟେଲ ମାଲିକଙ୍କୁ କହିଥିଲେ । ମେଡିକାଲ୍ ପରିସରରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କମିଶନର କହିଛନ୍ତି । କମିଶନର ଓ ଉପଜିଲ୍ଲାପାଳଙ୍କ ଗସ୍ତକୁ ନେଇ ଏମ୍କେସିଜି କର୍ତ୍ତୃପକ୍ଷ ତତ୍ପରତା ଦେଖାଇଥିଲେ । ଉଭୟଙ୍କ ଗସ୍ତ ବେଳେ ଏମ୍କେସିଜି ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ମିଞ୍ଜି, ଏମ୍କେସିଜି ମ୍ୟାନେଜର ଅମିତାଭ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *