ନୌବାଣିଜ୍ୟ ଦ୍ୱାରା ରାଜ୍ୟ ଧନଶାଳୀ ହୋଇଥିଲା
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): କାର୍ତ୍ତିକ ମାସର ଶେଷ ଦିନରେ ଅର୍ଥାତ୍ ପୂର୍ଣ୍ଣିମା ଉପଲକ୍ଷେ କୃଷ୍ଣପ୍ରସାଦର ପରଳାଠାରେ ୨୫ ତମ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ପରେ ଶ୍ରୀ ଦାସବର୍ମା କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମହାନ୍ ପରମ୍ପରାକୁ ଆଜିପର୍ଯ୍ୟନ୍ତ ବଞ୍ଚାଇ ରଖିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନ୍ୟପକ୍ଷରେ ଓଡ଼ିଆ ସଂସ୍କୃତିର ଐତିହ୍ୟ ଆଜି ମଧ୍ୟ ଉଜ୍ଜୀବିତ ହୋଇରହିଛି । ପୂର୍ବକାଳରେ ପୂର୍ବପୁରୁଷମାନେ ନୌକା ମାଧ୍ୟମରେ ଜଳ ବାଟ ଦେଇ ବିଭିନ୍ନ ଦେଶକୁ ଯାଇ ବେପାର ବଣିଜ କରି ନିଜ ଦେଶକୁ ଧନ ସମ୍ପତ୍ତି ଆଣୁଥିଲେ । ଫଳରେ ଆମ ରାଜ୍ୟ ଧନଶାଳୀ ହେଉଥିଲା । ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି । ଆଧୁନିକ ଯୁଗରେ ବ୍ୟବସାୟ ଜାରି ରହୁଥିଲା ବେଳେ ନୌକା ମାଧ୍ୟମରେ ବ୍ୟବସାୟ ବନ୍ଦ ହୋଇଯାଇଛି । ସେହି ମହାନ୍ ନୌବାଣିଜ୍ୟ ପରମ୍ପରାକୁ ମନେପକାଇବା ପାଇଁ ଆଜି ଦିନରେ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ ।
କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ଲକ୍ଷ୍ମୀଧର ସାହୁ, ସନ୍ଦୀପ କୁମାର ଜେନା, ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତିସଭ୍ୟା ବିନୋଦିନୀ ଜେନା, ଅମୂଲ୍ୟ କୁମାର ଜେନା, ବିଜୟ ତରେଇ, ନବଘନ ତରେଇ, ଦୁଃଶାସନ ମହାନ୍ତି, କୀର୍ତ୍ତବୀଯ୍ୟ ସ୍ୱାଇଁ, ନିନୁ ମିଶ୍ର, ଯୁବନେତା ଅଭୟ ତରେଇ, ବିଜୟ ଦଳାଇ, ଫାଲୁଗୁନି ଜେନା ଓ ଶାନ୍ତୁନୁ ମାଝିଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।