ଆଜିଠୁ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

କଟକ (ବୁ୍ୟରୋ): ଐତିହାସିକ ବାଲିଯାତ୍ରାକୁ ନେଇ କମିଶନରେଟ ପୁଲିସର ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ବାଲିଯାତ୍ରାରେ ଅସାମାଜିକ ଓ ରୋଡ୍ ରୋମିଓମାନଙ୍କୁ ନଜର ରଖିବ ପୁଲିସ । ଇଭ ଟିଜିଙ୍ଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଥିପାଇଁ ମିହଳାଙ୍କ ପାଇଁ ପୁଲିସ ସଖୀ ଟିମ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାସହ ଚଳିତ ବାଲିଯାତ୍ରାରେ ଉଭୟ ତଳ ଓ ଉପର ପଡ଼ିଆରେ ମୋଟ ୨୦ ଟି ପୁଲିସ ଏଡ୍ ପୋଷ୍ଟ କରାଯିବା ସହିତ ଏଗୁଡ଼ିକୁ ନବୀକରଣ କରାଯିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଏହା ସହ ପ୍ରଥମ ଥର ପାଇଁ ୪ ଟି ପୁଲିସ ସପୋର୍ଟ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ଉପର ପଡ଼ିଆରେ ଗୋଟିଏ ଓ ତଳ ପଡିଆରେ ୩ ଟି ରହିବ । ଏହି ସପୋର୍ଟ ସେଣ୍ଟରଗୁଡିକରେ ମୁଖ୍ୟତଃ ଚାରୋଟି ବିଷୟକୁ ଗୁରୁତ୍ୱ ଦିଆଯିବ । ହଜି ଯାଇଥିବା ସାମଗ୍ରୀ ସମ୍ପର୍କିତ ଅଭିଯୋଗ ପାଇଁ ସପୋର୍ଟ ସେଣ୍ଟର କରାଯିବ, ଏଥିପାଇଁ ଆଉ ପୂର୍ବ ବର୍ଷ ଗୁଡିକ ପରି କ୍ୟାଣ୍ଟନମେଣ୍ଟ ଥାନା ଯିବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ।
ସେହିପରି ମେଳାରେ ହଜିଯାଉଥିବା ଶିଶୁ ବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ବା ଚିଲଡ୍ରେନ ସପୋର୍ଟ ସେଣ୍ଟର କରାଯିବ । ଯୁବତୀ ଓ ମହିଳାଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ । ଏହାସହ ପଡ଼ିଆ ଭିତରେ ୱାଚ ଟାୱାର ସିସିଟିଭି ବ୍ୟବସ୍ଥା କରାଯିବ । ଭିଡ଼କୁ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଫୋକସ ଦିଆଯିବ । ସେଥିପାଇଁ ୮ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ କାର୍ତ୍ତିକେଶ୍ୱରୀ ଭଷାଣି ଏବଂ ୧୩ ତାରିଖରେ ବାରଙ୍ଗ ଅଞ୍ଚଳରେ କାର୍ତ୍ତିକେଶ୍ୱର ଭଷାଣି ରହିଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *