ସୂର୍ଯ୍ୟବଂଶୀ ବିଜୟୀ

ଗଡ଼ ବଜାୟ ରଖିଲା ବିଜେପି
ଭୁବନେଶ୍ୱର/ଭଦ୍ରକ/ଧାମନଗର, ୬ା୧୧ (ବୁ୍ୟରୋ/ଆପ୍ର): ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଅପରାହ୍ନ ଭୋଟ ଗଣତି ସରିଥିଲା । ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ନିଜ ନାଁରେ ନୂଆ ନିର୍ବାଚନୀ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ପ୍ରଥମ ।
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁ ୭୦୪୭୦ (୪୩.୦୫%) ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ (୨.୧୮%) ଭୋଟ୍ ମିଳିଛି । ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି । ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା । ସେହିପରି ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି । ୫୧୮ ଭୋଟ୍ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମିଳିଥିବା ମତଦାନ ମଧ୍ୟରୁ ସର୍ବାଧିକ ବିଜେପି ପ୍ରାର୍ଥୀ ସୂରଜଙ୍କ ସପକ୍ଷରେ ୨୬୧ ପଡ଼ିଥିବାବେଳେ ବିଜେଡିର ଅବନ୍ତୀଙ୍କୁ ୧୮୨, କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୨୮, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁୁ ୩୧, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନଙ୍କୁ ୧୫ ଓ ନୋଟାରେ ଗୋଟିଏ ଭୋଟ୍ ପଡ଼ିଛି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୨୦୦୯ ମସିହାରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ନଗଠନ ହେବା ପରଠୁ କୌଣସି ପ୍ରାର୍ଥୀ ଏତେ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇନଥିଲେ । ବିଜେପିର ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟ୍ ବ୍ୟବଧାନରେ ଚଳିତ ଉପନିର୍ବାଚନରେ ବିଜୟୀ ହୋଇଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୪୯୪୪ଖଣ୍ଡ ଭୋଟରେ ସୂର୍ଯ୍ୟଙ୍କ ପିତା ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିଲେ । ସେହିପରି ୨୦୧୪ ବିଧାନସଭାରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ୯୧୯୨ଖଣ୍ଡ ଭୋଟ୍ ବ୍ୟବଧାନରେ ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ ।
ଚଳିତ ନିର୍ବାଚନରେ ମୋଟ ୨,୩୮,୪୧୭ ଭୋଟର ମଧ୍ୟରୁ ୧,୬୩,୧୫୪ ମତଦାନ କରିଥିଲେ । ସୁରଜଙ୍କ ବିଜୟ ପରେ ତାଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି । ଏହା ଧାମନଗରର ବିଜୟ ବୋଲି ସୁରଜ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଆମର କେଉଠି ଭୁଲ ରହିଲା ତା’କୁ ସମୀକ୍ଷା କରାଯିବ ଓ ଜନାଦେଶକୁ ମାନିବାକୁ ପଡ଼ିବ ବୋଲି ବିଜେଡ଼ି ପ୍ରାର୍ଥୀ ଅବନ୍ତୀ କହିଛନ୍ତି । କହିବାକୁ ଗଲେ ଧାମନଗରରେ ଅନୁକମ୍ପା ଭୋଟ କାମକରିଛି । ଅତୀତରେ ଧାମନଗର ସ୍ୱାଭିମାନ ମାଟିରେ କେବଳ ଅନୁକମ୍ପା ଭୋଟ ହିଁ କାମ କରିଛି । ଧାମନଗରର ମୁରଲୀ ଜେନା ଓ ହୃଦାନନ୍ଦ ମଲ୍ଲିକଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରକୁ ଅନୁକମ୍ପା ଭୋଟ୍ ମିଳିଥିବାବେଳେ ବିଷ୍ଣୁ ସେଠୀଙ୍କ ବିୟୋଗରେ ତାଙ୍କ ପୁତ୍ରକୁ ଅନୁକମ୍ପା ଭୋଟ ମିଳିଛି ଯାହାକି ରାଜ୍ୟ ରାଜନିତୀରେ ହଟଚମଟ କରିଛି । ପ୍ରକାଶଥାଉ କି, ଗତ ୩ ତାରିଖରେ ଉପନିର୍ବାଚନ ହୋଇଥିଲା । ଏଥିରେ ୬୮.୯୮% ମତଦାନ ହୋଇଥିଲା । ନିର୍ବାଚନ ମଣ୍ଡଳୀର ମୋଟ ୨୩୮୪୧୭ ଭୋଟର ମଧ୍ୟରୁ ୧୬୪୪୬୫ ଜଣ ମତଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରେ ଭୋଟ ଗଣତି ହୋଇଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *