ତିନି ଦ୍ୱାରରେ କଟକଣା, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ
ଶ୍ରୀମନ୍ଦିରରେ ରବିବାରିଆ ଭିଡ଼
ପୁରୀ (ବୁ୍ୟରୋ): ପଞ୍ଚୁକର ତୃତୀୟ ଦିବସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା । ରବିବାର ସାଙ୍ଗକୁ ମହାପ୍ରଭୁଙ୍କ ତି୍ରବିକ୍ରମ ବେଶ ଦେଖିବା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିଥିଲେ । ସିଂହଦ୍ୱାର ବାଦ୍ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ନେଇ ଅନେକ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ କରି ଏହି ତିନିଦ୍ୱାର ସମ୍ମୁଖରେ ହୋଇଥିବା ଗହଳି ମଧ୍ୟରେ ବହୁ ବରିଷ୍ଠ ନାଗରିକ ମଧ୍ୟ ଛିଡ଼ା ହୋଇଥିଲେ । ଫଳରେ ସେମାନଙ୍କ ମନରେ ଘୋର ଅସନ୍ତୋଷ ଦେଖା ଦେଇଥିଲା । ଏପରିକି ଉତ୍ତରଦ୍ୱାର ଲକ୍ଷ୍ମୀବଜାର ରାସ୍ତା ଦେଇ ଲୋକେ ଯା’ଆସ କରିବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା ।
ଅନ୍ୟପକ୍ଷରେ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ଲାଗି ସମସ୍ତେ ଭିତରକୁ ପଶିଥିଲେ । ସାତପାହାଚ ନିକଟରେ ସ୍ଥିତି ଏମିତି ହୋଇଥିଲା ଯେ, ନିୟନ୍ତ୍ରଣ ପାଇଁ ମୁତୟନ ଥିବା ପୁଲିସ କର୍ମଚାରୀ ଅସହାୟ ହୋଇ ପଡ଼ିଥିଲେ । ଭିତରେ ବି ପ୍ରବଳ ଗହଳି ହେଉଛି । ଅନେକ ହବିଷ୍ୟାଳୀ ଠାକୁରଙ୍କୁ ଦର୍ଶନ କରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି । ଠେଲାପେଲା ଓ ଭିଡ଼କୁ ଡରି ଅନେକ ବ୍ରତଧାରୀ ଓ ବରିଷ୍ଠ ଶ୍ରଦ୍ଧାଳୁମାନେ ବେଢ଼ା ପରିସରରେ ଥିବା ଅନ୍ୟ ଦେବଦେବୀଙ୍କୁ କେବଳ ଦର୍ଶନ କରି ଫେରୁଛନ୍ତି । ଭୋରଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଗହଳି ଲାଗି ରହୁଛି । ପୁଲିସ ପକ୍ଷରୁ କେବଳ ସିଂହଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉଥିବା ଅନେକ ଭକ୍ତ ଜାଣିପାରି ନ ଥିଲେ । ସେମାନେ ଅନ୍ୟ ତିନିଦ୍ୱାରରେ ପ୍ରବେଶ ପାଇଁ ପହଞ୍ଚôଥିଲେ । କିନ୍ତୁ ସେମାନଙ୍କୁ ଛଡ଼ା ନ ଯାଇ ଫେରାଇ ଦିଆଯାଉଥିଲା । ପୂର୍ବରୁ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପରିସରକୁ ଛଡ଼ାଯାଉଥିବା ବେଳେ ଏବେ ତାହାକୁ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ପଶ୍ଚିମଦ୍ୱାର ନିକଟରେ ପହଞ୍ଚôଲା ପରେ ସେମାନଙ୍କୁ ପ୍ରବେଶ ଲାଗି ବାରଣ କରାଯିବାରୁ ଏହାକୁ ନେଇ ପଶ୍ଚିମଦ୍ୱାରରେ ପୁଲିସ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି ।
ଏବେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି । ଫଳରେ ଦୀର୍ଘ ଲମ୍ବାଲାଇନ୍ ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବି ରହୁଛି । ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଟାଣ ଖରାରେ ଧାଡ଼ିରେ ଠିଆ ହେଉଛନ୍ତି । ଯାହାଫଳରେ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରି ରହିବା ଫଳରେ ଭକ୍ତଙ୍କ ମନ ଅତିଷ୍ଠ ହୋଇପଡୁଛି । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଅନେକ ଶ୍ରଦ୍ଧାଳୁ ନାପସନ୍ଦ କରିଛନ୍ତି । ସେହିଭଳି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓ ବଡ଼ଦାଣ୍ଡରେ ମାତ୍ରାଧିକ ଗହଳି ଲାଗିଛି । ଏ ସମ୍ପର୍କରେ ଜଣେ ପୁଲିସ ଅଧିକାରୀ କୁହନ୍ତି, ସ୍ୱତନ୍ତ୍ର ପର୍ବପର୍ବାଣୀରେ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଛଡ଼ାଯାଇଥାଏ । କାରଣ ସବୁ ଦ୍ୱାର ଦେଇ ଭକ୍ତଙ୍କୁ ଭିତରକୁ ଛାଡ଼ିଲେ ଗହଳି ନିୟନ୍ତ୍ରଣ କରିହେବ ନାହିଁ । ବର୍ତ୍ତମାନ ଯେହେତୁ ପଞ୍ଚକ ଚାଲିଛି ଏବଂ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେଉଛି । ତେଣୁ ଭକ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇଛି । ସେଥିଲାଗି ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।