ବନ୍ଦ ହେବ ବଣ୍ଡ୍ ପଲିସି
ଏନ୍ଏମ୍ସି ସୁପାରିସ ଭିତ୍ତିରେ ଜାରି ହେବ ଗାଇଡ୍ଲାଇନ୍
ନୂଆଦିଲ୍ଲୀ, ୬ା୧୧: ଡାକ୍ତରମାନଙ୍କ ପାଇଁ ଥିବା ବଣ୍ଡ୍ ପଲିସିକୁ ରଦ୍ଦ କରିବା ସମ୍ବନ୍ଧୀୟ ଗାଇଡ୍ଲାଇନ୍ ଜାରି କରିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନ୍ଏମ୍ସି)ଙ୍କ ସୁପାରିସ ଆଧାରରେ ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେବାକୁ ଯାଉଛି ।
ଏନ୍ଏମ୍ସି ଅଧିନିୟମ, ୨୦୧୯ ବା ପୂର୍ବବର୍ତ୍ତୀ ଭାରତୀୟ ଚିକିତ୍ସା ପରିଷଦ ଅଧିନିୟମ, ୧୯୫୬ ଏବଂ ତଦନୁଯାୟୀ ପ୍ରଣୀତ ନିୟମାବଳିରେ ବଣ୍ଡ୍ ବ୍ୟବସ୍ଥା ନାହିଁ । ବଣ୍ଡ୍ ପଲିସି ଅନୁଯାୟୀ ଡାକ୍ତରମାନଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଲାଭ ପରେ ନିଜ ନିଜ ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶର ସରକାରୀ ହସ୍ପିଟାଲ୍ ବା ମେଡିକାଲ୍ କଲେଜରେ ନିର୍ଦ୍ଦିଷ୍ଟ ଅବଧି ପାଇଁ କାମ କରିବା ବାଧ୍ୟତାମୂଳକ । ଏହି ବଣ୍ଡ୍ର ଖିଲାପ କଲେ ନିର୍ଦ୍ଧାରିତ ପରିମାଣର ଅର୍ଥ ଦଣ୍ଡ ମିଳିଥାଏ । ବିଭିନ୍ନ ରାଜ୍ୟରେ ଉକ୍ତ ଅର୍ଥ ରାଶି ପରିମାଣ ତଥା ଅନିବାର୍ଯ୍ୟ ସେବା ଅବଧି ଭିନ୍ନ ଭିନ୍ନ (ଅନିବାର୍ଯ୍ୟ ସେବା ଅବଧି ୧ବର୍ଷରୁ ୫ବର୍ଷ, ବଣ୍ଡ ପାଳନ ନକଲେ ଜରିମାନା ରାଶି ୧୦ଲକ୍ଷରୁ ୫୦ ଲକ୍ଷ ଟଙ୍କା) ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି) ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି)ରେ ସେ ଖାଲି ରହୁଥିବା ଡାକ୍ତର ପଦ ପୂରଣ କରିବା, ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବଢାଇବା ଉଦେ୍ଦଶ୍ୟରେ ଏଭଳି ବଣ୍ଡ୍ ସର୍ତ୍ତ ଲାଗୁ କରାଯାଇଛି ।
୨୦୧୯ରେ ସୁପ୍ରିମ୍କୋର୍ଟ ବଣ୍ଡ୍ ପଲିସି କାଏମ ରହିବ ବୋଲି ରାୟ ଦେଇଥିଲେ ।
ଓଡିଶା, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ଥିବା ପ୍ରଚଳିତ ବଣ୍ଡ୍ ବ୍ୟବସ୍ଥା ସମୁଚିତ ବୋଲି ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ ରାୟରେ ଉଲ୍ଲେଖ କରିଥିଲେ । ସୁପ୍ରିମ୍କୋର୍ଟ କହିଥିଲେ ସ୍ନାତକୋତ୍ତର ଓ ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମ ଲେଖା ସମୟରେ ଡାକ୍ତରମାନେ ଯେଉଁ ବଣ୍ଡ୍ ଦାଖଲ କରିଥାନ୍ତି, ତାହାକୁ ସେମାନେ ପାଳନ କରିବାକୁ ବାଧ୍ୟ । ରାଜ୍ୟ ସରକାର ନିଜ କ୍ଷମତା ପ୍ରୟୋଗ ପୂର୍ବକ ଡାକ୍ତରମାନଙ୍କୁ ଏହି ଅନିବାର୍ଯ୍ୟ ସେବା ଦେବା ଲାଗି କହିପାରିବେ । ଜନସେବା ପାଇଁ ବାଧ୍ୟ କରାଯିବା ଦ୍ୱାରା ଡାକ୍ତରଙ୍କ ମୌଳିକ ଅଧିକାର (ସମ୍ବିଧାନର ଅନୁଚ୍ଛେଦ-୨୧ରେ ଥିବା ଜୀବନ ଧାରଣ ଅଧିକାର) କ୍ଷୁଣ୍ଣ ହେବ ନାହିଁ ।
ସରକାରୀ କଲେଜରୁ ଡିଗ୍ରୀ ଲାଭ କରିଥିବା ଡାକ୍ତରମାନଙ୍କ ପାଇଁ ଅନିବାର୍ଯ୍ୟ ସେବା ସମ୍ବନ୍ଧୀୟ ସମାନ ନୀତି ପ୍ରଣୟନ କରାଯାଉ ବୋଲି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ମେଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନିଦେ୍ର୍ଦଶ ଦେଇଥିଲେ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ୨୦୧୯ରେ ମାମଲାର ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ସେବା ମହାନିଦେ୍ର୍ଦଶାଳୟର ମୁଖ୍ୟ ପରାମର୍ଶଦାତା ଡା. ବି.ଡି. ଅଥାନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢାଯାଇଥିଲା । କମିଟି ୨୦୨୦ ମେ’ରେ ଯେଉଁ ରିପୋର୍ଟ ଦେଲେ ତାହାକୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନ୍ଏମ୍ସି)ଙ୍କ ନିକଟକୁ ପଠାଇ ଦିଆଯାଇଥିଲା ।
ଏନ୍ଏମ୍ସି ୨୦୨୧ ଫେବ୍ରୁଆରୀରେ ଯେଉଁ ଟିପ୍ପଣୀ ପ୍ରସ୍ତୁତ କଲେ, ସେଥିରେ ବିଭିନ୍ନ ରାଜ୍ୟ ସରକାରଙ୍କ ବଣ୍ଡ୍ ସର୍ତ୍ତ ଅନିବାର୍ଯ୍ୟ ଭାବେ ଲାଗୁ କରାଯିବା ନୀତିକୁ ସମର୍ଥନ କରାଯାଇ ନାହିଁ । ସେଥିରେ ଦର୍ଶାଯାଇଛି ଯେ ବିଭିନ୍ନ ରାଜ୍ୟ ଦ୍ୱାରା ବନ୍ଦ ପଲିସି ଘୋଷଣା ପରେ ଦେଶରେ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ବହୁତ ପରିବର୍ତ୍ତନ ଘଟିଛି । ତେଣୁ ବଣ୍ଡ୍ ପଲିସିର ସମୀକ୍ଷା କରାଯିବା ଜରୁରୀ । ଆୟୋଗ ଆହୁରି ମଧ୍ୟ ପରାମର୍ଶ ଦିଆଯାଇଛି, ମେଡିକାଲ୍ ଛାତ୍ରଙ୍କ ଉପରେ କୌଣସି ବନ୍ଧନର ବୋଝ ରହିବା ଅନୁଚିତ୍ । ଅନ୍ୟଥା ତାହା ନୈସର୍ଗିକ ନ୍ୟାୟ ସିଦ୍ଧାନ୍ତର ବିପରୀତ ହୋଇପାରେ ।
ଏନ୍ଏମ୍ସିଙ୍କ ଟିପ୍ପଣୀ ମିଳିବା ପରଠାରୁ ୟୁନିଫର୍ମ ବଣ୍ଡ ନୀତି ପରିଚାଳନା ଉପରେ ବିଚାରବିମର୍ଶ ପାଇଁ ଏକାଧିକ ବୈଠକ ହୋଇଛି ।